ଭୁବନେଶ୍ଵର ୦୨/୦୩ : ହୋଲି ପର୍ବ ପ୍ରତ୍ୟେକ ହୃଦୟକୁ ଆନନ୍ଦ ଏବଂ ଉତ୍ସାହରେ ଭରିଦିଏ । ଏହି ଦିନରେ ଲୋକମାନେ ପୁରୁଣା ଅଭିଯୋଗକୁ ଭୁଲି ପରସ୍ପର ରଙ୍ଗ ଖେଳନ୍ତି । ମାର୍ଚ୍ଚ ୪ ତାରିଖରେ ପାଳିତ ହେବାକୁ ଯାଉଛି ହୋଲି ପର୍ବ । ପାରମ୍ପରିକ ହିନ୍ଦୁ ବିଶ୍ୱାସ ଅନୁସାରେ, ନିୟମ ମୁତାବକ ରଙ୍ଗ ଲଗାଇଲେ ହୋଲିର ଆନନ୍ଦ ବହୁଗୁଣିତ ହୁଏ । ଜ୍ୟୋତିଷଶାସ୍ତ୍ର କହେ, ପ୍ରତ୍ୟେକ ରଙ୍ଗ ରାଶି ଓ ଗ୍ରହ ସହିତ ଜଡିତ । ଏହି ଦିନ ରାଶି ଅନୁସାରେ ରଙ୍ଗ ଲଗାଇଲେ ଗ୍ରହ ଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ । ହୋଲି ପର୍ବରେ ଆପଣ କି କି ରଙ୍ଗରେ ଖେଳିବା ଉଚିତ୍? ଆପଣଙ୍କ ରାଶି ଅନୁଯାୟୀ ସୌଭାଗ୍ୟର ରଙ୍ଗ ବାଛି ନିଅନ୍ତୁ...
ମେଷ ଏବଂ ବିଛା: ଏହି ଦୁଇଟି ରାଶି ମଙ୍ଗଳ ଗ୍ରହ ସହ ଜଡିତ । ମଙ୍ଗଳଙ୍କ ପ୍ରିୟ ରଙ୍ଗ ଲାଲ୍ । ତେଣୁ ଲାଲ୍,କମଳା, ଖଇରି (ମେରୁନ) ଆଦି ମେଷ ଏବଂ ବିଛା ରାଶି ପାଇଁ ସବୁଠାରୁ ଶୁଭପ୍ରଦ । ଏହି ରଙ୍ଗଗୁଡିକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ଗ୍ରହ ଦୋଷରୁ ମଧ୍ୟ ମୁକ୍ତି ଦେଇଥାଏ ।
ବୃଷ ଏବଂ ତୁଳା: ଏହି ଦୁଇଟି ରାଶି ଶୁକ୍ରଙ୍କ ଦ୍ୱାରା ଶାସିତ । ତେଣୁ ଧଳା, ହାଲ୍କା ନୀଳ , ଧୂସର ରଙ୍ଗରେ ହୋଲି ଖେଳିବା ଏହି ରାଶି ପାଇଁ ବହୁତ ଶୁଭ । ଏହି ରଙ୍ଗଗୁଡିକ ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଏବଂ ଜାତକରେ ଶୁକ୍ର ଗ୍ରହକୁ ମଧ୍ୟ ଶକ୍ତିଶାଳୀ କରିଥାଏ ।
କର୍କଟ: କର୍କଟ ରାଶି ଚନ୍ଦ୍ରଙ୍କ ଦ୍ୱାରା ଶାସିତ । ତେଣୁ ହୋଲିରେ ଧଳା, ରୂପେଲୀ (ସିଲଭର) ଏବଂ ହଳଦିଆ ରଙ୍ଗରେ ହୋଲି ଖେଳିବା ଦ୍ୱାରା ଶୁଭ ଫଳ ଆଣିପାରେ ।
ମିଥୁନ ଏବଂ କନ୍ୟା: ଏହି ଦୁଇଟି ରାଶିର ଶାସକ ଗ୍ରହ ହେଉଛନ୍ତି ବୁଧ । ମିଥୁନ ଓ କନ୍ୟା ରାଶିର ବ୍ୟକ୍ତିମାନେ ସବୁଜ ଓ ରୂପେଲୀ ରଙ୍ଗରେ ହୋଲି ଖେଳିବା ଉଚିତ ।
ସିଂହ: ସିଂହ ରାଶିର ଶାସକ ହେଉଛନ୍ତି ସୂର୍ଯ୍ୟ । ତେଣୁ ଏହି ରାଶିର ବ୍ୟକ୍ତିମାନେ ଲାଲ୍, ହଳଦିଆ ରଙ୍ଗରେ ହୋଲି ଖେଳିଲେ ଭଲ । ଏହାଦ୍ୱାରା ସୂର୍ଯ୍ୟ ପ୍ରସନ୍ନ ହେବା ସହ ବ୍ୟକ୍ତିର ଆକର୍ଷଣ ଏବଂ ନେତୃତ୍ୱ କ୍ଷମତାକୁ ବୃଦ୍ଧି କରିଥାନ୍ତି ।
ମକର ଏବଂ କୁମ୍ଭ: ଏହି ରାଶି ଦ୍ୱୟ ଶନିଙ୍କ ଦ୍ୱାରା ଶାସିତ । ତେଣୁ ରାଶି ଅନୁସାରେ ନୀଳ, ଧୂସର, ବାଇଗଣୀ, ରୂପେଲୀ ବା ସିଲଭର ରଙ୍ଗ ବାଛିବା ଉଚିତ୍ ।
ଧନୁ ଏବଂ ମୀନ: ଏହି ରାଶିର ଅଧିପତି ହେଉଛନ୍ତି ବୃହସ୍ପତି । ଏହି ରାଶିବାଲା ଲାଲ୍,କମଳା,ହଳଦିଆ,ସୁନା ରଙ୍ଗ ବ୍ୟବହାର କରିବା ଉଚିତ । ଏସବୁ ରଙ୍ଗ ବ୍ୟବହାର କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହୁଅନ୍ତି ।