ରଙ୍ଗର ପର୍ବ ହୋଲି ପାଇଁ ସବୁଆଡ଼େ ଉତ୍ସାହ । ମାତ୍ର ରଙ୍ଗ ଖେଳିବା ପୂର୍ବରୁ ଅନେକଙ୍କ ମନରେ ସ୍କିନ୍କୁ ନେଇ ଭୟ ଥାଏ । ବଜାରରେ ମିଳୁଥିବା କେମିକାଲ ଯୁକ୍ତ ରଙ୍ଗ ତ୍ୱଚାର ସ୍ୱାଭାବିକ ଚମକ ନଷ୍ଟ କରିଦିଏ । ଯଦି ଆପଣ ରଙ୍ଗ ଖେଳିବାକୁ ଭଲ ପାଆନ୍ତି କିନ୍ତୁ ସ୍କିନ୍ ଖରାପ ହେବା ଡରରେ ପଛଘୁଞ୍ଚା ଦେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ହୋଲିର ସପ୍ତାହେ ପୂର୍ବରୁ ଏହି ସହଜ ଘରୋଇ ଉପାୟ ଆପଣାଇଲେ ଆପଣଙ୍କ ସ୍କିନ୍ ରହିବ ସୁରକ୍ଷିତ ।
୧. ନଡ଼ିଆ ତେଲରେ ମସାଜ କରନ୍ତୁ
ହୋଲିର କିଛି ଦିନ ପୂର୍ବରୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ହାଲୁକା ନଡ଼ିଆ ତେଲ ଲଗାଇ ମସାଜ କରନ୍ତୁ । ନଡ଼ିଆ ତେଲ ତ୍ୱଚା ଉପରେ ଏକ ପ୍ରୋଟେକ୍ଟିଭ୍ ଲେୟର ତିଆରି କରେ, ଯାହାଦ୍ୱାରା ରଙ୍ଗ ସିଧାସଳଖ ସ୍କିନ୍ ଭିତରକୁ ଯାଇପାରେ ନାହିଁ ।
୨. ବେସନ ଏବଂ ଦହିର ଫେସ୍ ପ୍ୟାକ୍
ଚେହେରାର ସୁନ୍ଦରତା ପାଇଁ ବେସନ-ଦହି ଏକ ପୁରାତନ ଘରୋଇ ଉପାୟ । ବେସନରେ ଦହି ମିଶାଇ ଏକ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ସପ୍ତାହରେ ୩ ରୁ ୪ ଥର ମୁହଁରେ ଲଗାନ୍ତୁ । ଏହା ଡେଡ୍ ସ୍କିନ୍ ହଟାଇବା ସହ ତ୍ୱଚାକୁ ହାଇଡ୍ରେଟେଡ୍ ରଖେ, ଯାହା ରଙ୍ଗକୁ ଗଭୀରକୁ ଯିବାକୁ ଦିଏନାହିଁ ।
୩. ଆଲୋଭେରା ଜେଲ୍ର ବ୍ୟବହାର
ହୋଲି ପୂର୍ବରୁ ପ୍ରତିଦିନ ଚେହେରାରେ ଆଲୋଭେରା ଜେଲ୍ ଲଗାନ୍ତୁ । ଏହା ସ୍କିନ୍କୁ ଥଣ୍ଡା ରଖିବା ସହ ଶକ୍ତିଶାଳୀ କରେ । ଫଳରେ ରଙ୍ଗ ଲାଗିଲେ ମୁହଁରେ ଜଳାପୋଡ଼ା କିମ୍ବା ରାସେସ୍ ହେବାର ଭୟ କମ୍ ଥାଏ ।
୪. ସୋରିଷ କିମ୍ବା ବାଦାମ ତେଲ
କେବଳ ମୁହଁ ନୁହେଁ, ହାତ, ଗୋଡ଼ ଏବଂ ବେକରେ ମଧ୍ୟ ରଙ୍ଗ ଜମି ରହିଯାଏ । ତେଣୁ ହୋଲି ଖେଳିବା ପୂର୍ବରୁ ଶରୀରରେ ସୋରିଷ କିମ୍ବା ବାଦାମ ତେଲ ଲଗାନ୍ତୁ । ଏହା ସ୍କିନ୍ ପାଇଁ ଏକ ନାଚୁରାଲ୍ ଶିଲ୍ଡ ପରି କାମ କରେ, ଯାହା ରଙ୍ଗ ଛଡ଼ାଇବାରେ ସହଜ କରାଏ ।
୫. ପ୍ରଚୁର ପାଣି ପିଅନ୍ତୁ
ତ୍ୱଚାର ବାହ୍ୟ ଯତ୍ନ ସହ ଭିତରୁ ସୁସ୍ଥ ରହିବା ମଧ୍ୟ ଜରୁରୀ । ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଦିନକୁ ୮ ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ । ଏହାଦ୍ୱାରା ତ୍ୱଚାର ନମନୀୟତା ବଜାୟ ରହିବ ।