ମୁମ୍ବାଇ,୨୮/୦୯:ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ସେଲେନା ଗୋମେଜ୍ । ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ ବେନି ବ୍ଲାଙ୍କୋଙ୍କୁ ବିବାହ କରିଛନ୍ତି। ଗତ କିଛିଦିନ ଧରି ସେଲେନା ତାଙ୍କ ବିବାହକୁ ନେଇ  ଚର୍ଚ୍ଚାରେ ଥିଲେ । ତାଙ୍କ ନିର୍ବନ୍ଧ ପରେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ଏକ ବ୍ୟାଚଲର ପାର୍ଟି ଉପଭୋଗ  କରିବା ପରେ ପ୍ରିଓ୍ୱେଡ଼ିଂ ସେଲିବ୍ରେସନ କରିଥିଲେ । ଆଉ ଏବେ ତାଙ୍କ ବିବାହ ସରିଛି । 

ସେଲେନା ଗୋମେଜ୍ ଗତକାଲି ଅର୍ଥାତ ସେପ୍ଟେମ୍ବର ୨୭ରେ ଏକ ଖ୍ରୀଷ୍ଟିଆନ ରୀତିନୀତିରେ ଆମେରିକୀୟ ରେକର୍ଡ ପ୍ରଯୋଜକ ଏବଂ ଗୀତିକାର  ବେନି ବ୍ଲାଙ୍କୋଙ୍କୁ ବିବାହ କରିଥିଲେ। ସେ ପୂର୍ବରୁ ଘୋଷଣା କରିଥିଲେ ଯେ,ସେ ସେପ୍ଟେମ୍ବରରେ ବେନିଙ୍କୁ ବିବାହ କରିବେ । ସେଲେନା ଗୋମେଜ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ଏବଂ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ଏହି ଫଟୋ ଏବଂ ଭିଡିଓଗୁଡ଼ିକରେ ସେଲେନାଙ୍କ ବ୍ରାଇଡାଲ୍ ଏଣ୍ଟ୍ରି, ବେନିଙ୍କ ସହିତ ତାଙ୍କ ବିବାହ ଲିପଲକ୍, ଏକ ସୁନ୍ଦର ଫଟୋସୁଟ୍ ଏବଂ ଏକ ମଜାଦାର ଅଭିଜ୍ଞତା ଅନ୍ତର୍ଭୁକ୍ତ।  ସେଲେନା ଗୋମେଜ୍ ଏକ ହାର୍ଟ ଇମୋଜି ସହିତ କ୍ୟାପସନରେ ବିବାହ ତାରିଖ ସେୟାର କରିଛନ୍ତି। 

ସେଲେନା ଏବଂ ବେନିଙ୍କ ବିବାହ ଲୁକ୍ ବିଷୟରେ କହିବାକୁ ଗଲେ ,ଦୁହେଁ ନିଜ ନିଜ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେଲେନା  ଏକ ବ୍ୟାକଲେସ୍ ଧଳା ଲମ୍ବା ଗାଉନ୍ ପିନ୍ଧିଥିଲେ,ଯାହାକୁ ସେ  ହୀରା କାନଫୁଲ ସହିତ ଷ୍ଟାଇଲ୍ କରିଥିଲେ। ସେହିପରି  ବେନି ଏକ କଳା ଟକ୍ସେଡୋରେ ସୁନ୍ଦର ଦେଖାଯାଉଥିଲେ।  ସେପଟେ ତାଙ୍କ ବିବାହକୁ ନେଇ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସମସ୍ତେ ସେଲେନା ଏବଂ ବେନିଙ୍କୁ  ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି।