ଘରଭଡ଼ା ପାଇଁ ବିଚିତ୍ର ସର୍ତ୍ତ, ଭଡ଼ାଟିଆ IIT,IIM କିମ୍ୱା ISB ଭଳି ଶିକ୍ଷାନୁଷ୍ଠାନରେ ଗ୍ରାଜୁଏଟ୍ କରିଥିବା ଦରକାର

ନୂଆଦିଲ୍ଲୀ ୨୮/୧୧: ଘରଠାରୁ ଦୂରରେ ରହୁଥିବା ଲୋକମାନେ ଘରଭଡ଼ା ଖୋଜିବା କେତେ କଷ୍ଟକର ତାହା ଭଲ ଭାବେ ଜାଣିଥିବେ । ଘର ମାଲିକମାନେ ଭଡ଼ା ଦେବା ପୂର୍ବରୁ ସାଧାରଣତଃ ଭଡ଼ାଟିଆଙ୍କ ବିଷୟରେ ସବୁ ତଥ୍ୟ ଯେପରିକି ତାଙ୍କ ପରିବାର, ବୃତ୍ତି, ସ୍ଥାୟୀ ଠିକଣା ଏସବୁ ବିଷୟରେ ବୁଝି ନେଇଥାନ୍ତି । ହେଲେ ଘରଭଡ଼ା ଦେବା ପୂର୍ବରୁ କେହି କେବେ ଭଡ଼ାଟିଆଙ୍କୁ ତାଙ୍କର ଶିକ୍ଷାଗତ ପୃଷ୍ଠଭୂମି ବିଷୟରେ ପଚାରିବା ଶୁଣିଛନ୍ତି କି? ବେଙ୍ଗାଲୁରୁରେ ଏବେ ଘରମାଲିକମାନେ ଏପରି କରୁଛନ୍ତି ।
ସେମାନେ ଆଇଆଇଟି, ଆଇଆଇଏମ୍ ଏବଂ ଆଇଏସ୍ବି (ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍) ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଘରଭଡ଼ା ଦେବାକୁ ପସନ୍ଦ କରୁଛନ୍ତି । ପ୍ରିୟାଂଶ ଜୈନ୍ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏ ସଂପର୍କରେ ଏକ ପୋଷ୍ଟ ଶେୟାର କରି ସେଥିରେ ନିଜର ଘରଖୋଜା ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି ।
ଜୈନ୍ ଲେଖିଛନ୍ତି, ଘରଭଡ଼ା ନେବା ଲାଗି ନିକଟରେ ଜଣେ ଦଲାଲଙ୍କ ସହ ସଂପର୍କ ସ୍ଥାପନ କରିଥିଲି । ସେ କିଛି ଘର ଦେଖାଇବା ପରେ ଗୋଟିଏ ଘର ମୋର ପସନ୍ଦ ହେଲା । ଏହାପରେ ଦଲାଲ ମୋତେ ମୋର ବ୍ୟକ୍ତିଗତ ବିବରଣୀ ଦେବାକୁ କହିଥିଲେ । ଉତ୍ତରରେ ମୁଁ ଜଣେ ଶାକାହାରୀ । ଏକ ଅଷ୍ଟ୍ରେଲୀୟ ସଫ୍ଟୱେର କଂପାନିରେ କାମ କରେ ବୋଲି କହିଲି । ଏହାପରେ ଦଲାଲ ମୋତେ କେଉଁଠାରୁ ପାଠ ପଢ଼ିଛନ୍ତି ବୋଲି ପଚାରିଲେ । ମୁଁ ଭେଲୋରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ପାଠ ପଢ଼ିଥିବା ଦର୍ଶାଇଲି । ଏଥରକ ଦଲାଲଜଣକ ମୋତେ ଆଶ୍ଚର୍ଯ୍ୟ କରିଦେବା ଭଳି ଉତ୍ତର ଦେଲେ ।
ସେ କହିଲେ, ମୁଁ ବହୁତ ଦୁଃଖିତ । ଆପଣଙ୍କ ପ୍ରୋଫାଇଲ୍ ଏହି ଘର ପାଇଁ ମ୍ୟାଚ୍ କରୁନାହିଁ । ଘର ମାଲିକ କେବଳ ଆଇଆଇଟି, ଆଇଆଇଏମ୍, ସିଏ, ଆଇଏସ୍ବି ଗ୍ରାଜୁଏଟ୍ଙ୍କୁ ଚାହୁଁଥିବା ସେ ଦର୍ଶାଇଲେ । ନଭେମ୍ବର ୧୮ ତାରିଖରେ ଶେୟାର ହୋଇଥିବା ଜୈନ୍ଙ୍କର ଏହି ପୋଷ୍ଟକୁ ବହୁ ସଂଖ୍ୟାରେ ଲୋକେ ଲାଇକ୍ କରିଛନ୍ତି ।
ଘର ଭଡ଼ା ପାଇଁ ପ୍ରୋଫାଇଲ୍ ମ୍ୟାଚ୍