ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଥରୁମ୍ ଭିତରୁ ମିଳିଲା ଆନ୍ଧ୍ରର ଏହି ନେତାଙ୍କ ମୃତଦେହ

ହାଇଦ୍ରାବାଦ, ୧୫।୩: ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓ ଓ୍ବାଇଏସ୍ଆର କଂଗ୍ରେସର ନେତା ଓ୍ବାଇ.ଏସ୍.ବିବେକାନନ୍ଦ ରେଡ୍ଡୀ(୬୮)ଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଆଜି ପୁଲିଭେନ୍ଦଲୁରେ ଥିବା ତାଙ୍କର ବାସଭବନର ବାଥରୁମ୍ ଭିତରୁ ଉଦ୍ଧାର କରାଯାଇଛି। ପୂର୍ବତନ ଲୋକସଭା ସାଂସଦ ବିବେକାନନ୍ଦଙ୍କ ହୁଏତ ହୃଦଘାତ ଜନିତ ମୃତ୍ୟୁ ହୋଇଥାଇ ପାରେ ବୋଲି କୁହାଯାଉଥିଲା। କିନ୍ତୁ ତାଙ୍କ ଘରୋଇ ସହାୟକ କୃଷ୍ଣା ରେଡ୍ଡୀ ଅଭିଯୋଗ ପରେ ପୋଲିସ ଅପ୍ରାକୃତି ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବିବେକାନନ୍ଦ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍ ରାଜଶେଖର ରେଡ୍ଡୀଙ୍କ ସାନ ଭାଇ। ପରିବାରରେ ତାଙ୍କ ସ୍ତ୍ରୀ ଓ ଗୋଟିଏ ପୁଅ ରହିଛନ୍ତି। ବାଥରୁମ୍ ଭିତରୁ ତାଙ୍କ ମୃତଦେହକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାର କରାଯାଇଛି। ଘରୋଇ ସହାୟକଙ୍କ କହିବା ଅନୁସାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେ ଘରେ ଏକା ଥିଲେ। ଏବେ ତାଙ୍କର ମୃତଦେହକୁ ସରକାରୀ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ନିଆଯାଇଛି। ତାଙ୍କର ମୃତ୍ୟୁ ଘଟଣାକୁ ନେଇ ଦଳ ପକ୍ଷରୁ ସନ୍ଦେହ କରାଯାଉଛି। ଏହାସହିତ ମାମଲାର ତଦନ୍ତ ପାଇଁ ଦାବୀ କରାଯାଉଛି। ଗତକାଲି ସେ ସମୂର୍ଣ୍ଣ ସୁସ୍ଥ ଥିଲେ ଏବଂ ନିର୍ବାଚନ ପ୍ରଚାର କରୁଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଉଲ୍ଳେଖନୀୟ ଯେ ବିବେକାନନ୍ଦ ରେଡ୍ଡୀ କଡପା ଲୋକସଭା ନିର୍ବାଚନ ଅଞ୍ଚଳରୁ କଂଗ୍ରେସର ଟିକେଟରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ନିର୍ବାଚିତ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ ବିଧାନସଭା ପାଇଁ ଦୁଇଥର(୧୯୮୯,୧୯୯୪) ପୁଲିଭେନ୍ଦୁଲାରୁ ନିର୍ବାଚିତ ହୋଇଥିଲେ। ବିବେକାନନ୍ଦ ଆନ୍ଧ୍ର ପ୍ରଦେଶ ବିଧାନସଭା ପରିଷଦ ପାଇଁ ୨୦୦୯ରେ ନିର୍ବାଚିତ ହୋଇଥିଲେ ଓ କିରଣ କୁମାର ରେଡ୍ଡୀଙ୍କ ସରକାରରେ କୃଷି ମନ୍ତ୍ରୀ ଥିଲେ।