ଭୁବନେଶ୍ୱର,୧୮/୦୪: ଆସନ୍ତା ମେ’ ମାସରୁ ସ୍କୁଲ ଖରା ଛୁଟି ହେବ । କିନ୍ତୁ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମ  ୱାର୍କ) । ପିଲାମାନେ ଯେପରି ନିଜ ପାଠପଢ଼ାରେ ନିୟୋଜିତ ହେବେ  ସେଥିପାଇଁ ଅଭିଭାବକଙ୍କୁ ସଚେତନ କରାଯିବ । ଦିଆଯାଇଥିବା ଗୃହକାର୍ଯ୍ୟକୁ ଠିକ୍‌ ସମୟରେ କରିବେ । ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସହାୟତା ନେବେ । ସ୍କୁଲ ଛୁଟି ପୂର୍ବରୁ ଶ୍ରେଣୀୱାରୀ ପିଲାଙ୍କ  ଅଭିଭାବକଙ୍କ ମୋବାଇଲ୍‌ ନମ୍ବରକୁ ନେଇ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌  କରାଯିବ । ଏପରି ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଅଭିଭାବକ-ଶିକ୍ଷକ ବୈଠକରେ  ଏନେଇ ଆଲୋଚନା ହେବ । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକାଡେମିକ୍‌ କ୍ୟାଲେଣ୍ଡର  ଅନୁଯାୟୀ, ଆସନ୍ତା ମେ ୬ ତାରିଖରୁ ଜୁନ୍‌ ୧୯ ତାରିଖ ଯାଏ ଖରା ଛୁଟି ହେବ । ଏହି ଖରା ଛୁଟି ସମୟକୁ ପିଲାମାନେ ସଦୁପଯୋଗ କରିବେ ।  ଛୁଟି ଉପଭୋଗ କରି ପାଠ୍ୟକ୍ରମ ସହ ସଂଯୁକ୍ତ ରହିବେ । ଯେଉଁ ସବୁ  ଟାସ୍କ ଦିଆଯିବ ସେ ସବୁକୁ ଏହି ଛୁଟି ସମୟରେ ପୂରା କରିବେ ।  ଅଭିଭାବକଙ୍କୁ ଶିକ୍ଷକ ହ୍ୱାଟସ୍‌ଆପ୍‌ ଜରିଆରେ ଭିଡିଓ ଆଧାରିତ ଶିକ୍ଷଣ କାର୍ଯ୍ୟ ପଠାଇବେ । ଅଭିଭାବକମାନେ ପିଲାଙ୍କୁ ପାଖରେ ବସାଇ  ଭିଡିଓ ମାଧ୍ୟମରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ । ସ୍ମାର୍ଟଫୋନ୍‌ ନ ଥିଲେ କି-ପ୍ୟାଡ୍‌ ଫୋନ୍‌ ଜରିଆରେ ଶିକ୍ଷଣ  କାର୍ଯ୍ୟ ମେସେଜ୍‌ କିମ୍ବା ଅଡିଓ ମାଧ୍ୟମରେ ଦିଆଯିବ । ଯଦି କୌଣସି ଅଭିଭାବକଙ୍କର ଫୋନ୍‌ ନ ଥିବ ସେମାନେ ପଡ଼ୋଶୀ କିମ୍ବା ସାଙ୍ଗସାଥିଙ୍କ  ସହ ମିଶି ଫୋନ୍‌ରେ ଆସୁଥିବା ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବେ । 

ଖରାଛୁଟିରେ ପିଲାମାନେ କରିଥିବା ଶିକ୍ଷଣ କାର୍ଯ୍ୟ ସ୍କୁଲ ଖୋଲିଲେ  ଶିକ୍ଷକଙ୍କ ନିକଟରେ ଦାଖଲ କରିବେ । ଏନେଇ ଆସନ୍ତା ୧୯ ତାରିଖରେ  ହେବାକୁ ଥିବା ଶିକ୍ଷକ- ଅଭିଭାବକ ବୈଠକରେ ଆଲୋଚନା କରାଯିବ ।  କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକଙ୍କୁ ଉତ୍ସାହିତ କରାଯିବ ।