ନୂଆଦିଲ୍ଲୀ, ୧୫।୪: ବିଶ୍ୱ ବାଣିଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ହୋର୍ମୁଜ ପ୍ରଣାଳୀ’ । ହୋର୍ମୁଜ ଉପରେ ଆମେରିକାର ନୌସେନା ବ୍ଲକେଡ୍ ବା ନୌସେନା ଅବରୋଧର ପ୍ରଭାବ ପ୍ରଥମ ଦିନରୁ ହିଁ ସ୍ପଷ୍ଟ ଦେଖିବାକୁ ମିଳିଛି । ଆମେରିକାର ଏହି ରଣନୀତି ପରେ ଇରାନର ବନ୍ଦରଗୁଡ଼ିକରୁ କୌଣସି ବି ଜାହାଜ ବାହାରକୁ ଆସିବା ବନ୍ଦ ହୋଇଯାଇଥିବା ବେଳେ ଅନ୍ୟପଟେ ଅନ୍ତର୍ଜାତୀୟ ବାଣିଜ୍ୟିକ କାରବାର ସ୍ୱାଭାବିକ ରହିଛି । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାର ଚେତାବନୀ ପରେ ପ୍ରାୟ ୬ଟି ବାଣିଜ୍ୟିକ ଜାହାଜ ଅଧା ବାଟରୁ ଫେରିଯାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମଗ୍ର ଅପରେସନ ସମୟରେ ଆମେରିକାକୁ ଗୋଟିଏ ବି ଗୁଳି ଚଳାଇବାକୁ ପଡ଼ିନାହିଁ କିମ୍ବା କୌଣସି ସୈନ୍ୟ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିନାହିଁ । ଏହାକୁ ଆମେରିକାର "ସାଇଲେଣ୍ଟ ପ୍ରେସର" ବା ନିଶବ୍ଦ ଚାପ ବୋଲି କୁହାଯାଉଛି, ଯେଉଁଠି ଶକ୍ତି ପ୍ରୟୋଗ ନକରି ଶତ୍ରୁକୁ ପଛକୁ ହଟିବାକୁ ବାଧ୍ୟ କରାଯାଇଛି ।
ଏହା ବି ପଢ଼ନ୍ତୁ... IRAN-US WAR : ‘ଏହା ତ କେବଳ ଟ୍ରେଲର , ପିକଚର ଏବେ ବାକି ଅଛି ’ ... ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ କହିଲା ଇରାନ
ଆମେରିକାର ଏହି ବ୍ଲକେଡ୍ କେବଳ ଇରାନ ସହ ଜଡ଼ିତ ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଛି । ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୦ରୁ ଅଧିକ ଅନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜ ବିନା କୌଣସି ବାଧାରେ ହୋର୍ମୁଜ ପ୍ରଣାଳୀ ଦେଇ ଗତି କରିଛନ୍ତି । ରଏଟର୍ସର ରିପୋର୍ଟ ମୁତାବକ, ଏହି ସମୟରେ ଇରାନ ସହ ସମ୍ପର୍କିତ ୩ଟି ଟ୍ୟାଙ୍କର ସମେତ ପ୍ରାୟ ୮ଟି ଜାହାଜ ମଧ୍ୟ ଏହି ପଥ ଦେଇ ଯାଇଛନ୍ତି, ଯାହା ଉପରେ ନଜର ରଖାଯାଇଛି । ଏହି ସଫଳତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି । ଫକ୍ସ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, "ଇରାନ ସହ ଜାରି ରହିଥିବା ସଂଘର୍ଷ ଏବେ ଶେଷ ହେବାକୁ ଯାଉଛି । ଯଦି ଆମେ ଏହି କଠୋର ପଦକ୍ଷେପ ନେଇନଥାନ୍ତୁ, ତେବେ ଆଜି ଇରାନ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା । ଆମର ରଣନୀତି କାମ କରୁଛି ଏବଂ ବିନା ସଂଘର୍ଷରେ ଇରାନ ଚାପରେ ରହିଛି ।"
ଚୁପ୍ ରହିଛି ଇରାନ: କ’ଣ ହେବ ପରବର୍ତ୍ତୀ ପଦକ୍ଷେପ ?
ବର୍ତ୍ତମାନ ପାଇଁ ଇରାନ ସିଧାସଳଖ ସଂଘର୍ଷରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ପରି ମନେହେଉଛି । ଜାହାଜଗୁଡ଼ିକ ଅଧାବାଟରୁ ଫେରିବା ସୂଚାଉଛି ଯେ, ତେହେରାନ ବର୍ତ୍ତମାନ ସ୍ଥିତିକୁ ଆହୁରି ଜଟିଳ କରିବାକୁ ଚାହୁଁନାହିଁ । ତେବେ ସମର ବିଶେଷଜ୍ଞଙ୍କ ମତରେ ପ୍ରକୃତ ପରୀକ୍ଷା ଏବେ ବାକି ଅଛି । ଆଗାମୀ କିଛି ଦିନ ମଧ୍ୟରେ ଯଦି ଇରାନ ଏହି ବ୍ଲକେଡକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରେ କିମ୍ବା ଆମେରିକୀୟ ଜାହାଜ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ପଶ୍ଚିମ ଏସିଆରେ ସ୍ଥିତି ପୁଣି ଥରେ ବିସ୍ଫୋରକ ରୂପ ନେଇପାରେ ।