ଫିରିଙ୍ଗିଆ, ୭/୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିଲା । ଏହି ଲଗାଣ ବର୍ଷାରେ କେଳାପଡ଼ା ପଞ୍ଚାୟତ ବେହିଙ୍ଗିଆ ଗାଁର ଲଟରି କହଁରଙ୍କ ଘର କାନ୍ଥ ଭୁଶୁଡି ପଡିଛି। ଘର କାନ୍ଥ ଭାଙ୍ଗିଯାଇଥିବା ବେଳେ ସରକାରୀ ସହାୟତା ମିଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ବେହିଙ୍ଗିଆ ଗାଁର ଲଟରି କହଁର ଦୀର୍ଘ ବର୍ଷ ତଳେ ମାଟି କାନ୍ଥ ରେ ଘର ଖଣ୍ଡିଏ କରି ଟିଣ ଛପର କରିଥିଲେ । କିନ୍ତୁ ସେହି ଟିଣ ଛପର ମଧ୍ୟ ଦୀର୍ଘ ବର୍ଷ ବିତିଯାଉଥିବାରୁ ବର୍ତ୍ତମାନ ଅଧିକାଂଶ ଟିଣ ଭାଙ୍ଗି ରୁଜି ଗଲାଣି l ପରିବାରରେ ଲଟରି କହଁରଙ୍କ ସହ ସ୍ତ୍ରୀ ଏବଂ ପୁଅ ଓ ଝିଅ ମିଶି ୪ ଜଣ ସଦସ୍ୟ ବର୍ତମାନ କାନ୍ଥ ଭାଙ୍ଗି ଯିବାରୁ ଅସହାୟ ଅବସ୍ଥାରେ ଭଙ୍ଗା କାନ୍ଥ ପଟେ ନିଜେ ଏକ ଜରି ପାଲ ଟାଣିକି ବହୁତ ଅସୁବିଧା ରେ ବିପଦ ସଂକୂଳ ଅବସ୍ଥାରେ ରହୁଛନ୍ତି l ବର୍ତ୍ତମାନ ସୁଧା ସରକାରଙ୍କ ତରଫରୁ କୌଣସି ସହାୟତା ମଧ୍ୟ ମିଳି ପାରିନାହିଁ l ପୂର୍ବରୁ ଲଟରି କହଁର ଆବାସ ଗୃହ ଖଣ୍ଡିଏ ଯୋଗାଇଦେବାକୁ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ରେ ଲିଖିତ ଭାବରେ ଦାବି କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଆବାସ ଗୃହ ଖଣ୍ଡିଏ ମିଳି ପାରିନାହିଁ l ସରକାର ଙ୍କ ତରଫରୁ ଅସହାୟତା କୁ ଦୃଷ୍ଟିରେ ରଖି ସହାୟତା ପ୍ରଦାନ କରିବା ସହ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେଲେ ଉପକୃତ ହେବା ସହ ନିଜ ପରିବାର ଘର ଖଣ୍ଡିଏ ପାଇ ଭଲରେ ରହିପାରିବୁ ବୋଲି କହିଛନ୍ତି ଲଟରି କହଁର l ଅନ୍ୟପଟେ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ବେହିଙ୍ଗିଆ ଗ୍ରାମବାସୀ ଦାବି କରିଛନ୍ତି l