ନୂଆଦିଲ୍ଲୀ,୦୫/୦୫: ଜୋସେଫ ବିଜୟ ଚନ୍ଦ୍ରଶେଖର। ସାରା ବିଶ୍ୱ ପାଇଁ, ଥାଲାପତି ବିଜୟ। ତାମିଲନାଡୁ ସିନେମା ଜଗତର ଲୋକପ୍ରୀୟ ଚେହେରା ନିଜ ରଣନୀତି ବଳରେ ପଲଟାଇଛନ୍ତି ତାମିଲ ରାଜନୀତିର ନକ୍ସା। ୩୪ ବର୍ଷ ଧରି ରୁପେଲି ପରଦାର ନାୟକ ସାଜିଥିବା ବିଜୟ ଯେ, ତାମିଲନାଡ଼ୁ ରାଜନୀତିରେ ପଦାର୍ପଣ କରି ସିଧାସଳଖ ବିଜୟର ରଥରେ ଚଢ଼ିବେ ସେଥିପ୍ରତି ହୁଏତ ଅନେକ ଅଜଣା ଥିବେ। ଏବେ ବିଜୟଙ୍କ ଦଳ ଟିଭିକେ ତାମିଲନାଡୁରେ ସରକାର ଗଠନ କରିବାକୁ ଯାଉଛି। ବିଜୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ।
ସିଲଭର ସ୍କ୍ରିନ ପରେ ବିଜୟ ଏବେ ତାମିଲନାଡ଼ୁର ରାଜନୈତିକ ନାୟକ ପାଲଟିଛନ୍ତି। ତାଙ୍କ ପ୍ରଶଂସକ, ତାଙ୍କ ପ୍ରଶଂସକ କ୍ଲବ ଏବଂ ବିଜୟଙ୍କ ଉପରେ ପ୍ରଶଂସକମାନଙ୍କର ବିଶ୍ୱାସ ତାଙ୍କୁ ରାଜନୀତିରେ ହିରୋ କରିଛି। କିଛି ସମୟ ପାଇଁ, ଏହା ଗ୍ରହଣ କରିବା କଷ୍ଟକର ଲାଗିପାରେ ଯେ, ମାତ୍ର ଦୁଇ ବର୍ଷ ପୂର୍ବେ ଗଠିତ ଏକ ଦଳ ଏବେ ତାମିଲନାଡ଼ୁ ରାଜ୍ୟର ସବୁଠାରୁ ବଡ଼ ଦଳରେ ପରିଣତ ହୋଇଛି। ଏହା ଏକ ଚଳଚ୍ଚିତ୍ର କାହାଣୀ ପରି ମନେହୁଏ, ଯେଉଁଠାରେ ସବୁକିଛି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ପରି ମନେହେଉଛି। କିନ୍ତୁ ନା ଏହା କୌଣସି ଚଳଚ୍ଚିତ୍ର, ବରଂ ଏକ ବାସ୍ତବ କାହାଣୀ। ତଥାପି, ଏହି ପ୍ରକୃତ କାହାଣୀରେ ମଧ୍ୟ ଜଣେ ସ୍ରଷ୍ଟା ଅଛନ୍ତି ଯିଏକି ୩୩ ବର୍ଷ ପୂର୍ବେ ବିଜୟଙ୍କୁ ଜଣେ ନେତାରେ ପରିଣତ କରିବା ପାଇଁ ରଚିଥିଲେ ରଣନୀତି।
ବିଜୟଙ୍କ 'ବିଜୟ' ପଛର ପ୍ରକୃତ ହିରୋ:
ବିଜୟଙ୍କ ବିଜୟ ପଛରେ ଥିବା ସେହି ହିରୋଙ୍କ ନାଁ ହେଉଛି ଏସ୍.ଏ. ଚନ୍ଦ୍ରଶେଖର। ସେ ପେଶାରେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଏବଂ ସର୍ବୋପରି ସେ ହେଉଛନ୍ତି ବିଜୟଙ୍କ ପିତା। ଯେତେବେଳେ ବିଜୟ ନିଜେ ମଧ୍ୟ କେବେ କଳ୍ପନା କରିନଥିଲେ ଯେ, ସେ ରାଜନୀତିରେ ପ୍ରବେଶ କରିବେ, ସେହି ସମୟରୁ ହିଁ ବାପା ଚନ୍ଦ୍ରଶେଖର ବିଜୟଙ୍କୁ ଏକ ଜନନେତା କରିବା ପାଇଁ ଆରମ୍ଭ କରିଥିଲେ ମିଶନ।
ଅଧିକ ପଢ଼ନ୍ତୁ: ୧୦ ବିଳାସପୂର୍ଣ୍ଣ ଘର,୧୦୦ କୋଟିର ଫିକ୍ସ ଡିପୋଜିଟ୍, ୬ କୋଟିର ସୁନା... ଥାଲାପତି ବିଜୟଙ୍କ ପାଖରେ ଆଉ କ’ଣ ସବୁ ଅଛି ?
ବିଜୟଙ୍କ ଫିଲ୍ମ କ୍ୟାରିଅର:
ଯେତେବେଳେ ବିଜୟ ମାତ୍ର ୧୦ ବର୍ଷର ଥିଲେ, ତାଙ୍କ ବାପା ତାଙ୍କୁ ୧୯୮୪ ମସିହାରେ ଆସିଥିବା ଚଳଚ୍ଚିତ୍ର "ଭେଟ୍ରି" ରେ ଶିଶୁ କଳାକାର ଭାବରେ ଅଭିନୟ କରିବାକୁ ଡେବ୍ୟୁ କରାଇଥିଲେ। ପରବର୍ତ୍ତୀ ସମୟରେ ସେ ଶିଶୁ କଳାକାର ଭାବରେ ଆଉ ଚାରି କିମ୍ବା ପାଞ୍ଚଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ବିଜୟ ଯେତେବେଳେ ୧୮ ବର୍ଷ ବୟସର ହେଲେ, ତାଙ୍କ ବାପା ତାଙ୍କୁ ନାୟକ ଭାବରେ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ନାଲୈୟା ଥିରପୁ (Naalaiya Theerpu)" ନିର୍ମାଣ କରିଥିଲେ। କିନ୍ତୁ ଏହି ଚଳଚ୍ଚିତ୍ରର ପ୍ରଭାବ ଲୋକଙ୍କୁ ସେତେଟା ଆକର୍ଷିତ କରିପାରିନଥିଲା କି ନାୟକ ଭାବରେ ବିଜୟଙ୍କ ଅଭିନୟ ଜନସାଧାରଣଙ୍କ ମନକୁ ସେତେ ପରିମାଣରେ ଛୁଇଁ ନଥିଲା।
କିନ୍ତୁ ବିଜୟଙ୍କ ବାପା ଚନ୍ଦ୍ରଶେଖର ଗୋଟିଏ ଫ୍ଲପ୍ ସିନେମାରୁ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ତା ପରବର୍ଷ ସେ ଆଉ ଏକ ଫିଲ୍ମ "ସେନ୍ଧୁରାପାଣ୍ଡି (Sendhoorapandi)" ନିର୍ମାଣ କରିଥିଲେ। ଏଥିରେ ସେ ଅଭିନେତା ବିଜୟକାନ୍ତଙ୍କୁ ମଧ୍ୟ ନେଇଥିଲେ, ଯିଏ ବିଜୟଙ୍କ ବଡ଼ ଭାଇ ଭୂମିକାରେ ଅଭିନୟ କରିଥିଲେ। କାରଣ ବିଜୟକାନ୍ତଙ୍କ ଲୋକପ୍ରିୟତା ସେତେବେଳେ ତାମିଲ ସିନେମାରେ ଢ଼େର ଅଧିକ ଥିଲା। ଏହି ସିନେମା ମାଧ୍ୟମରେ ବିଜୟ ମଧ୍ୟ ଲୋକଙ୍କ ନଜରକୁ ଆସନ୍ତି। ଫିଲ୍ମଟି ଭଲ ପ୍ରତିକ୍ରିୟା ପାଇଥିଲା ଏବଂ ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଥିଲା।
ବିଜୟଙ୍କୁ ବ୍ରାଣ୍ଡ୍ ବନାଇବାକୁ ପ୍ରସ୍ତୁତି:
ଚନ୍ଦ୍ରଶେଖର ଚଳଚ୍ଚିତ୍ର ଶିଳ୍ପର ଜଣେ ବଡ଼ ଖେଳାଳି ଥିଲେ। ସେ ଭଲ ଭାବରେ ଜାଣିଥିଲେ ଯେ କେବଳ ଗୋଟିଏ ହିଟ୍ ଚଳଚ୍ଚିତ୍ରରୁ କିଛି ହେବନି। ସେ ତାଙ୍କ ପୁଅକୁ ହିରୋ ନୁହେଁ, ଏକ ବ୍ରାଣ୍ଡ କରିବାକୁ ଚାହୁଁଥିଲେ। ଏବଂ ଏହା କରିବାର ସର୍ବୋତ୍ତମ ଉପାୟ ଥିଲା ଗୋଟିଏ ଫ୍ୟାନ୍ସ କ୍ଲବ। ତା’ପରେ ସେ ବିଜୟ ଫ୍ୟାନ୍ସ କ୍ଲବ ଆରମ୍ଭ କଲେ। ଏବଂ ଯେଉଁଭଳି ଭାବେ ବିଶ୍ୱ ରଜନୀକାନ୍ତଙ୍କୁ ଥାଲାଇଭା ଏବଂ ଅମିତାଭ ବଚ୍ଚନଙ୍କୁ ମେଗାଷ୍ଟାର ଭାବରେ ଜାଣୁଥିବା, ସେହିପରି ଚନ୍ଦ୍ରଶେଖର ୧୯୯୪ ମସିହାରେ ନିର୍ମିତ ଚଳଚ୍ଚିତ୍ର "ରସିଗାନ"ରେ ବିଜୟଙ୍କୁ 'ଇଲାୟାଥଲାପଥୀ' ଅର୍ଥାତ୍ ଜଣେ ଯୁବ ନେତା ଭାବେ ଉପାଧି ଦେଇଥିଲେ। ସେବେଠାରୁ ଲୋକମାନେ ତାଙ୍କୁ ଜୋସେଫ ବିଜୟ ବଦଳରେ ଥାଲାପତି ବିଜୟ ଡାକିବା ଆରମ୍ଭ କଲେ।
ଆହୁରି ପଢ଼ନ୍ତୁ: ନିର୍ବାଚନ ହାରିବା ପରେ ମମତା ବାନାର୍ଜୀଙ୍କ ଘୋଷଣା, ଲୋକଭବନ ଯାଇ ଇସ୍ତଫା ଦେବିନି, ମୁଁ ହାରିନି, ମୋତେ ହରାଯାଇଛି...
ଫ୍ୟାନ୍ସ କ୍ଲବର ପୁନର୍ଗଠନ:
ବିଜୟଙ୍କ ଏହି ଫ୍ୟାନ୍ କ୍ଲବ୍ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିଲା ଏବଂ ଲୋକମାନଙ୍କୁ ସାହାଯ୍ୟ କରୁଥିଲା। ଏହା ସିଧାସଳଖ ବିଜୟଙ୍କ ବ୍ରାଣ୍ଡ ବଢ଼ାଇବାରେ ବେଶ ଲାଭ ଦେଇଥିଲା। ଯେଉଁମାନେ ତାଙ୍କ ଫ୍ୟାନ୍ କ୍ଲବ୍ ରୁ ଲାଭବାନ ହୋଇଥିଲେ ସେମାନେ ଧୀରେ ଧୀରେ କ୍ଲବର ଅଂଶ ପାଲଟିଗଲେ। ୨୦୦୯ ମସିହାରେ ବିଜୟ ତାଙ୍କର ୮୫,୦୦୦ ଫ୍ୟାନ୍ କ୍ଲବ୍ କୁ ଏକାଠି କରିଥିଲେ ଏବଂ ସେଗୁଡ଼ିକୁ ପୁନଃସଂଗଠିତ କରିଥିଲେ। ଏହାର ନାମ ବିଜୟ ମକ୍କାଲ ଇୟକ୍କମ୍ (VMI) ରଖାଯାଇଥିଲା।
୨୦୧୧ ନିର୍ବାଚନରେ, ଏହି କ୍ଲବ ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମକୁ ସମର୍ଥନ କରିଥିଲା। ୨୦୨୧ ସ୍ଥାନୀୟ ସଂସ୍ଥା ନିର୍ବାଚନରେ, ତାଙ୍କ ଫ୍ୟାନ୍ କ୍ଲବର ସଦସ୍ୟମାନେ କୌଣସି ଦଳଗତ ସମ୍ପୃକ୍ତି ବିନା ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନେ ୧୬୯ ଆସନରୁ ୧୧୫ଟି ଆସନ ଜିତିଥିଲେ। ଏହି 'ବିଜୟ' ବିଜୟଙ୍କୁ ତାଙ୍କ ଫ୍ୟାନ୍ କ୍ଲବର ଶକ୍ତି ଅନୁଭବ କରାଇଥିଲା। ୨୦୨୪ ମସିହାରେ, ବିଜୟ ନିଜର ରାଜନୈତିକ ଦଳ (ଟିଭିକେ) ଗଠନ କରିଥିଲେ। ସେ ତାଙ୍କ ଫ୍ୟାନ୍ କ୍ଲବ ସଦସ୍ୟମାନଙ୍କୁ ଦଳରେ ସାମିଲ କରିଥିଲେ ଏବଂ ଫ୍ୟାନ୍ କ୍ଲବର ସହାୟତାରେ ଇତିହାସ ସୃଷ୍ଟି କରିଥିଲେ।
ଏହାର ଅର୍ଥ ହେଉଛି ବିଜୟଙ୍କ ବାପା ୧୯୯୩ ମସିହାରେ ତାଙ୍କର ପ୍ରଥମ ହିଟ୍ ଫିଲ୍ମ ସହିତ ଏକ ଫ୍ୟାନ୍ସ କ୍ଲବ ସୃଷ୍ଟି କରି ବିଜୟଙ୍କୁ ତାମିଲନାଡୁ ରାଜନୀତିରେ ସବୁଠାରୁ ବଡ଼ ନାୟକ ହେବାର ମୂଳଦୁଆ ପକାଇଥିଲେ। ଏହାର ଅର୍ଥ ହେଉଛି ତାଙ୍କ ବାପା, ଏସ.ଏ. ଚନ୍ଦ୍ରଶେଖର, ବିଜୟଙ୍କ ବିଜୟର ସବୁଠାରୁ ବଡ଼ ନାୟକ।
ତାମିଲନାଡ଼ ରାଜନୀତି ସମ୍ପର୍କିୟ ଖବର: ତାମିଲନାଡୁରେ ଥଲାପତି ‘ବିଜୟ’, ଏବେ ରାଜନୀତିରେ ଏଣ୍ଟ୍ରୀ କରିବେ କି ତାଙ୍କ ଲେଡି ଲକ୍ ତ୍ରିଶା କ୍ରିଷ୍ଣନ୍ ?
ଯେତେବେଳେ ବିଜୟଙ୍କର ହୋଇଥିଲା ତାଙ୍କ ବାପାଙ୍କ ସହ ବିବାଦ:
୨୦୨୦ ମସିହାରେ, ବାପା ଏବଂ ପୁଅଙ୍କ ମଧ୍ୟରେ ବିବାଦର ରିପୋର୍ଟ ଆସେ। ଚନ୍ଦ୍ରଶେଖର ବିଜୟଙ୍କ ଫ୍ୟାନ୍ କ୍ଲବ୍, VMIକୁ ଏକ ରାଜନୈତିକ ଦଳରେ ପରିଣତ କରିବାକୁ ଚାହୁଁଥିଲେ। ସେ ଏହି ନାଁରେ ଦଳକୁ ପଞ୍ଜିକୃତ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ ମଧ୍ୟ କରିଥିଲେ। ବିଜୟ ତାଙ୍କ ପିତାଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ଏପରି କୌଣସି ଦଳରେ ଯୋଗ ନଦେବାକୁ ନିବେଦନ କରିଥିଲେ।
ପ୍ରକୃତରେ, ସେତେବେଳେ ଏପରି ରିପୋର୍ଟ ଆସିଥିଲା ଯେ ବିଜୟ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁ ନଥିଲେ। ତଥାପି, ତାଙ୍କ ପିତାମାତା VMIକୁ ଏକ ରାଜନୈତିକ ଦଳରେ ପୁନର୍ଗଠିତ କରି ତାଙ୍କୁ ଦଳରେ ସାମିଲ କରିଥିଲେ। ବିଜୟ ଦଳରୁ ନିଜକୁ ଦୂରେଇ ରଖିଥିଲେ ଏବଂ ତାଙ୍କ ପିତାମାତାଙ୍କ ସମେତ ୧୧ ଜଣଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ। ପରବର୍ତ୍ତୀ ସମୟରେ ଦଳଟି ଭାଙ୍ଗି ଯାଇଥିଲା।
VMI ନୁହେଁ, TVK ରେ ସାକାର ହେଲା ବାପା-ମାଆଙ୍କ ସ୍ୱପ୍ନ:
ଚନ୍ଦ୍ରଶେଖର ଏକ ସାକ୍ଷାତକାରରେ କହିଥିଲେ ଯେ ଦଳ ଗଠନ କରିବାର ତାଙ୍କର ଲକ୍ଷ୍ୟ ଥିଲା ଫ୍ୟାନ୍ କ୍ଲବ ସହିତ ଜଡିତ ଲୋକଙ୍କୁ ଚିହ୍ନଟ କରିବା, ଯେଉଁମାନେ ବର୍ଷ ବର୍ଷ ଧରି ବିଜୟଙ୍କ ନାଁରେ ସମାଜସେବା କରିଆସୁଛନ୍ତି। ଏହି ବିବାଦ ବାପା-ପୁଅଙ୍କ ସମ୍ପର୍କକୁ ଆଦୌ ପ୍ରଭାବିତ କରିନଥିଲା। ଏବଂ ଯେତେବେଳେ ବିଜୟ ନିଜେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ତାଙ୍କ ବାପାଙ୍କ ପୂର୍ଣ୍ଣ ସମର୍ଥନ ପାଇଥିଲେ। ଯଦିଓ VMI ମାଧ୍ୟମରେ ନୁହେଁ କିନ୍ତୁ TVK ମାଧ୍ୟମରେ, ବିଜୟ ଶେଷରେ ତାଙ୍କ ପିତାମାତା ଯାହା ଚାହୁଁଥିଲେ ତାହା ହାସଲ କରିଥିଲେ। କେବଳ ସେତିକି ନୁହେଁ, ବରଂ ବର୍ତ୍ତମାନ ସେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ପଦରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ପଶ୍ଚିମବଙ୍ଗ ନିର୍ବାଚନ ପରେ ପାକିସ୍ତାନୀ ହ୍ୟାଣ୍ଡେଲ୍ ହେଲେ ଆକ୍ଟିଭ, ନୋଏଡା ପ୍ରୋଟେଷ୍ଟ ନେଇ ଫେକ୍ ନ୍ୟୁଜ୍ କଲେ ଭାଇରାଲ