ନୂଆଦିଲ୍ଲୀ,୨୬।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ମାମଲାରେ ଆଉ ଏକ ଖୁଲାସା । ପାକିସ୍ତାନରେ AK-47 ରାଇଫଲ୍ ଧରି ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ୬ ଜଣ । ଏ ସମସ୍ତ ଦୃଶ୍ୟ ନିଜ ଫୋନରେ ରେକର୍ଡ କରିଥିଲେ ଜଣେ ସ୍କଟିସ୍ ୟୁଟ୍ୟୁବର । ତେବେ ଏଠି ପ୍ରଶ୍ନ ଉଠୁଛି ପାକିସ୍ତାନରେ ଜ୍ୟୋତିଙ୍କୁ କାହିଁକି ଏତେ କଡ଼ା ସୁରକ୍ଷା ଦିଆଯାଉଥିଲା ?
ଜଣେ ସ୍କଟିସ୍ ୟୁଟ୍ୟୁବର୍ ପାକିସ୍ତାନରେ ଜ୍ୟୋତି ମାଲହୋତ୍ରାଙ୍କୁ ଭେଟିଥିଲେ । ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ଲାହୋରର ଅନାରକଲି ବଜାରରେ ବୁଲୁଥିଲେ । ଏହି ସମୟରେ ତାଙ୍କୁ ଅତି କମ୍ରେ ଛଅ ଜଣ ବ୍ୟକ୍ତି AK-47 ରାଇଫଲ୍ ଧରି ସୁରକ୍ଷା ଦେଇଥିଲେ । ଏହି ଦୃଶ୍ୟ ଦେଖି ସ୍କଟିସ୍ ୟୁଟ୍ୟୁବର ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହା ପରେ ଏହାକୁ ସେ ନିଜ ମୋବାଇଲରେ ରେକର୍ଡ କରିଥିଲେ । ଏହି ୟୁଟ୍ୟୁବରଙ୍କ ନାଁ କଲମ୍ ମିଲ୍ । ତାଙ୍କୟୁଟ୍ୟୁବ୍ ଚ୍ୟାନେଲ୍ କଲମ୍ ଆବ୍ରୋଡ୍ ଭାବେ ପରିଚିତ । ସେ ମାର୍ଚ୍ଚ ମାସରେ ପାକିସ୍ତାନ ଗସ୍ତ କରିଥିଲେ । ଲାହୋରର ଅନାରକଲି ବଜାର ଗସ୍ତ ସମୟରେ ସେ ସୁଟ୍ କରିଥିବା ଭିଡିଓରେ କିଛି ଲୋକ ବନ୍ଧୁକ ଧରି ଏବଂ "ନୋ ଫିୟର" ଲେଖାଥିବା ଜ୍ୟାକେଟ୍ ପିନ୍ଧିଥିବା ଦେଖାଯାଇଛି । ଜ୍ୟୋତି ଆଗକୁ ବଢ଼ିବା ମାତ୍ରେ, ବନ୍ଧୁକଧାରୀ ଲୋକମାନେ ତାଙ୍କ ସହିତ ଚାଲୁଥିବାର ସେ ଦେଖିଥିଲେ ।
ଏଠି ପ୍ରଶ୍ନ ଉଠୁଛି ଜ୍ୟୋତିଙ୍କୁ କାହିଁକି AK-47 ଧରି କିଛି ଲୋକ ଘେରି ରହିଛନ୍ତି ? ସେହି ୬ ଜଣ ବ୍ୟକ୍ତି କିଏ ? ପୋଲିସର କହିବାନୁଯାୟୀ, ସେ ଭାରତ ଫେରିବା ପରେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗରେ ରହିଥିବା କହିଛନ୍ତି । ସେ ପାକିସ୍ତାନୀ ଅଧିକାରୀମାନଙ୍କୁ କେଉଁ ସୂଚନା ଲିକ୍ କରିଥିଲେ ତାହା ପୋଲିସ ତଦନ୍ତ କରୁଥିବାରୁ ତାଙ୍କ ଡିଜିଟାଲ୍ ଡିଭାଇସଗୁଡ଼ିକୁ ଏବେ ସ୍କାନ କରାଯାଉଛି ।