ପ୍ରମୁଖ ଖବର
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||
  • ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ବିପଜ୍ଜନକ ‘ମହାରାଜା’ ହଲ୍‌: ବିଲ୍ଡିଂ ପ୍ଲାନ୍‌ ନିୟମର ଖୋଲା ଉଲ୍ଲଂଘନ, ବିଡିଏରୁ ଅନୁମୋଦନ ମିଳିଲା କେମିତି ?

ଭୁବନେଶ୍ୱର,୩ା୨(ବ୍ୟୁରେ): ‘ମହାରାଜା’ ହଲ୍‌ର ବେଆଇନ କାରସାଦି ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ହଲ୍‌ରେ ଅସାମାଜିକଙ୍କୁ ପ୍ରଶ୍ରୟ ଦିଆଯାଉଥିବାରୁ ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି । ତେବେ ଆହୁରି ସାଙ୍ଘାତିକ କଥା ହେଉଛି, ବିଡିଏର ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ନିୟମକୁ ହଲ୍‌ କର୍ତ୍ତୃପକ୍ଷ ଖୋଲା ଉଲ୍ଲଂଘନ କରୁଛନ୍ତି । ପ୍ଲାନ୍‌ ମୁତାବକ ନିର୍ଦ୍ଧାରିତ ସେଟ୍‌ବ୍ୟାକ୍‌ (ଖୋଲା ସ୍ଥାନ) ରଖାଯାଇନି । ଫଳରେ କୌଣସି ଅଘଟଣ ଘଟିଲେ ବା ଅଗ୍ନିକାଣ୍ଡ ହେଲେ ଏହାର ଚାରି ପାଖରେ ପହଞ୍ଚି ହେବନି ।
ବିଡିଏର ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ୍‌-୨୦୧୮ ଅନୁସାରେ ପ୍ରତି ସିନେମା ହଲ୍‌ ପାଇଁ କିଛି ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି । ନିୟମ ଅନୁସାରେ, ସିନେମା ହଲ୍‌ ଆଗ ପାଖରେ ୧୨ମିଟର ସେଟ୍‌ବ୍ୟାକ୍‌ ରହିବ । ଆଉ ତିନି ପାଖ (ପଛ ପାଖ ଓ ଦୁଇ ପାଶ୍ୱର୍ରେ) ସେଟ୍‌ବ୍ୟାକ୍‌ ୬ ମିଟର ରହିବ । କିନ୍ତୁ ‘ମହାରାଜା’ ସିନେମା ହଲ୍‌ କର୍ତ୍ତୃପକ୍ଷ ଏହି ସେଟ୍‌ବ୍ୟାକ୍‌ ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି । ସେଟ୍‌ବ୍ୟାକ୍‌ ରଖିବା ତ ବହୁ ଦୂର, ସିନେମା ହଲ୍‌ର ପଛ ପାଖରେ ଇଞ୍ଚେ ବି ଖୋଲା ସ୍ଥାନ ନାହିଁ । ହଲ୍‌ର ପଛ ପାଖ କାନ୍ଥକୁ ଲାଗି ଏକ ଚାରିଚକିଆ କାର୍‌ ସୋ-ରୁମ୍‌ ଛିଡ଼ା ହୋଇଛି ।
ଖାଲି ପଛ ପାଖ ନୁହେଁ, ସିନେମା ହଲ୍‌ର ପାଖ କାନ୍ଥକୁ ଲାଗି ଅନେକ ଛୋଟ ବଡ଼ ହୋଟେଲ ତିଆରି ହୋଇଛି । ୩ ପାଖରେ ଗୋଟିଏ ଇଞ୍ଚ ବି ସେଟ୍‌ବ୍ୟାକ୍‌ ଛଡ଼ାଯାଇନି । ହଲ୍‌ର ଚାରିପାଖରେ ନିର୍ଦ୍ଧାରିତ ସେଟ୍‌ବ୍ୟାକ୍‌ ନ ଥିବାରୁ କୌଣସି ଅଘଟଣ ହେଲେ, ଦମକଳ ଗାଡ଼ି ସେଠାରେ ପହଞ୍ଚି ପାରିବନି ।

ଚାରି ଚକିଆ ପାର୍କିଂ ପାଇଁ ଜାଗା ନାହିଁ
ନିୟମ କହୁଛି, ସିନେମା ହଲ୍‌ର ସାମ୍ନା ବା ପ୍ରବେଶ ପଥରେ କୌଣସି ପାର୍କିଂ ହୋଇପାରିବନି । ଏହାର ସାମ୍ନା ପାଖକୁ ସମ୍ପୂର୍ଣ୍ଣ ଖୋଲା ଛଡ଼ାଯିବ । କିନ୍ତୁ ପାର୍କିଂ ପାଇଁ ସ୍ଥାନ ଅଭାବରୁ ହଲ୍‌ର ଠିକ୍‌ ସାମ୍ନାରେ ଚାରି ଚକିଆ ପାର୍କିଂ କରାଯାଉଛି । ଚାରି ଚକିଆ ପାର୍କିଂ ପାଇଁ ସିନେମା ହଲ୍‌ରେ ସ୍ଥାନ ନାହିଁ । ବିଡିଏର ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନ୍‌-୨୦୧୮ ମୁତାବକ ସିନେମା ହଲ୍‌ର ମୋଟ୍‌ ବିଲ୍ଟ ଅପ୍‌ ଏରିଆ ବା ନିର୍ମାଣ ସ୍ଥାନର ୫୦ ପ୍ରତିଶତ ସ୍ଥାନ କେବଳ ପାର୍କିଂ ପାଇଁ ଛଡ଼ାଯିବ । ପାର୍କିଂ ପାଇଁ ଥିବା ସ୍ଥାନ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ହେବନି । ଏହାକୁ ଉଲ୍ଲଙ୍ଘନ କଲେ ସଂପୃକ୍ତ ନିର୍ମାଣର ବିଲ୍ଡିଂ ପ୍ଲାନ୍‌ ଅନୁମୋଦନକୁ ବାତିଲ କରାଯିବ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଏହାକୁ ସିନେମା ହଲ୍‌ କର୍ତ୍ତୃପକ୍ଷ ମାନୁନାହାନ୍ତି ।

ହଲ୍‌ ପାଇଁ ଏନ୍‌ଏଚ୍‌ ଜାମ୍‌
‘ମହାରାଜା’ ହଲ୍‌ ପାଇଁ ଏନ୍‌ଏଚ୍‌-୧୬ରେ ପ୍ରତିଦିନ ପ୍ରବଳ ଜାମ୍‌ ହେଉଛି । ସୋ’ ଆରମ୍ଭ ଓ ଶେଷ ବେଳେ ବାଣୀବିହାରରୁ ଆଚାର୍ଯ୍ୟ ବିହାର ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣା ଅସମ୍ଭାଳ ହେଉଛି । ହଲ୍‌ ଭିତରେ ଚାରି ଚକିଆ ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ଗାଡ଼ି ରାସ୍ତା ଉପରେ ପାର୍କିଂ ହେଉଛି । ପାର୍କିଂ ସ୍ଥାନ ଅଭାବରୁ ଓଲା, ଉବେର ଓ ଅନ୍ୟ ଟାକ୍ସି ସବୁ ଏନ୍‌ଏଚ୍‌ ଉପରେ ଗାଡ଼ି ପାର୍କିଂ କରୁଛନ୍ତି । ଏଥିପାଇଁ ଏହି ହଲ୍‌କୁ ଲାଗିଥିବା ରାସ୍ତାରେ ପ୍ରତିଦିନ ଜାମ୍‌ ହେଉଛି ।

ତତ୍କାଳ ଯାଞ୍ଚ କରିବୁ: ବିଡିଏ
‘ମହାରାଜା’ ସିନେମା ହଲ୍‌ ବିଡିଏର ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନକୁ ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ଆମ ପାଖରେ ପହଞ୍ଚିଛି । ଏହାକୁ ଆମେ ଗୁରୁତର ସହ ନେଉଛୁ । ଆମେ ତୁରନ୍ତ ହଲ୍‌କୁ ଯାଇ ଯାଞ୍ଚ କରିବୁ । ସେଟ୍‌ବ୍ୟାକ୍‌ ବା ଅନ୍ୟ କୌଣସି ନିୟମରେ ଖିଲାପ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେପଟେ ହଲ୍‌ର ମ୍ୟାନେଜର ସଫେଇ ଦେଇ କହିଛନ୍ତି, ଆମେ ୧୯୭୭ରୁ ପ୍ଲାନ୍‌ ଅନୁମୋଦନ ପାଇଛୁ । ବିଡିଏର ସବୁ ନିୟମକୁ ଆମେ ମାନୁଛୁ ।

Copyright © 2022 - Summa Real Media Private Limited. All Rights Reserved.