ଏବେ ପ୍ରାୟ ଲୋକଙ୍କଠାରେ ଫ୍ୟାଟି ଲିଭର୍‌ ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟା ଥିଲେ ଆଳୁ ଖାଇବା କେତେଦୂର ଠିକ୍‌? ଏହି ପ୍ରଶ୍ନ କିଛି ଲୋକଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ? କେବଳ ଆଳୁ ନୁହେଁ, ଅନ୍ୟ କେତେକ ପରିବାକୁ ନେଇ ମଧ୍ୟ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ରହିଥିବ । ଚାଲନ୍ତୁ ଜାଣିବା ଜୟପୁର ଆଙ୍ଗେଲ୍‌ କେୟାର- ଏ ନ୍ୟୁଟ୍ରିସିଆନ୍‌ ଆଣ୍ଡ୍‌ ୱାଲନେସ୍‌ ସେଣ୍ଟରର ନିଦ୍ଦେର୍ଶକ ତଥା ଡାଏଟିସିଆନ୍‌ ଅଚ୍ଚ୍‌ର୍ନା ଜୈନ୍‌ଙ୍କଠାରୁ... ଅର୍ଚ୍ଚନାଙ୍କ ଅନୁସାରେ ଫ୍ୟାଟି ଲିଭର୍‌ ରୋଗୀ ସୀମିତ ମାତ୍ରାରେ ଆଳୁ ଖାଇପାରିବେ । ଆଳୁକୁ ସମ୍ପୂର୍ଣ୍ଣ ଭାବେ ଡାଏଟ୍‌ରୁ ହଟାଇବା ଜରୁରି ନୁହେଁ । କାରଣ ଆଳୁରୁ ମଧ୍ୟ କେତେକ ପୋଷକ ତତ୍ତ୍ୱ ମଳିଥାଏ ଯେପରିକି ପୋଟାସିୟମ୍‌, ଭିଟାମିନ୍‌- ସି ଏବଂ ଫାଇବର ଆଦି । କିନ୍ତୁ ଏହାକୁ ଉଚିତ୍‌ ମାତ୍ରାରେ ଓ ଆବଶ୍ୟକ ଶୈଳୀରେ ନେବା ଦରକାର । ଅଧିକ ଆଳୁ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ଓ କାର୍ବୋ ହାଇଡ୍ରେଟ୍‌ ବଢିପାରେ, ଯାହା ଫ୍ୟାଟି ଲିଭର୍‌ ପାଇ ଆଦୌ ଠିକ୍‌ ନୁହେଁ । ଫ୍ୟାଟି ଲିଭର୍‌ ସମସ୍ୟା ରହିଥିଲେ, ରୋଗୀ ଆଳୁକୁ ସିଝାଇ କିମ୍ବା ଗ୍ରୀଲ୍‌ କରି ଖାଇପାରିବେ । ଏହା ଅଧିକ କ୍ଷତିକାରକ ହୋଇନଥାଏ । 


ଗ୍ରେଡ୍‌ ଅନୁସାରେ ଆଳୁ ଖାଇପାରିବେ, ଗ୍ରେଡ୍‌ ୧- ଏହି ସ୍ଥିତିରେ ଶରୀରରେ ହାଲ୍‌କା ଫ୍ୟାଟ୍‌ ଜମା ହୋଇଥାଏ, ତେଣୁ ଉପଯୁକ୍ତ ଡାଏଟ୍‌ ସାଙ୍ଗକୁ ଜୀବନଶୈଳୀରେ ନିୟନ୍ତ୍ରଣ କରିପାରିବେ । ଏହି ସମୟରେ ଆଳୁକୁ ପୁରା ଛାଡ଼ିବା ଜରୁରି ନୁହେଁ । ସପ୍ତାହକୁ ୨/୩ ଦିନ ସୀମିତ ମାତ୍ରାର ଆଳୁ ଖାଇପାରିବେ । ଗ୍ରେଡ୍‌ ୨- ଏହି ସ୍ଥିତିରେ ଆଳୁ ଖୁବ୍‌ କମ୍‌ ଓ କେବେ କେବେ ଖାଇପାରିବେ । ସିଝା ଆଳୁ ଖାଇବା ନିରାପଦ । ଅଧିକ କାର୍ବୋହାଇଡ୍ରେଟ୍‌ ନେବା ଅନୁଚିତ୍‌ । ଆଳୁ ସାଙ୍ଗରେ ପ୍ରୋଟିନ୍‌ ଓ ଫାଇବର ନେବା ଜରୁରି । ଗ୍ରେଡ୍‌ ୩- ଏହି ସମୟରେ ଆଳୁ ଖାଇବାକୁ ସୀମିତ କରି ଦିଅନ୍ତୁ । ତଥାପି ଡାଏଟିସିଆନ୍‌ଙ୍କ ପରାମର୍ଶ ନିଅନ୍ତୁ । ଛଣାଛଣି, ମସଲାଯୁକ୍ତ ଖାଦ୍ୟ ଓ ଅଧିକ କର୍ବୋ ହାଇଡ୍ରେଟ୍‌ ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଏହି ସମୟରେ ଲୋ କାର୍ବୋ ଓ ହାଇ ଫାଇବର ଉପରେ ଫୋକସ୍‌ କରିବା ଜରୁରି । 

ଫ୍ୟାଟି ଲିଭର୍‌ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଆଳୁ ଖାଇବାର ଶୈଳୀ ଗୁରୁତ୍ୱପୂର୍ଣ୍ଣ । ଅଧିକ ଆଳୁ ଛଣାଛଣି, ଚିପ୍ସ, ଆଳୁ ପରଟା ଓ ଫ୍ରେଞ୍ଚ ଫ୍ରାଇଜ୍‌ ଆଦିଠାରୁ ଦୂରେଇ ରହିବା ଆବଶ୍ୟକ । ଯଦି ଆଳୁକୁ ଚୋପା ସହ ଖାଆନ୍ତି, ତେବେ ସେଥିରେ ଥିବା ଫାଇବର ଶରୀର ପାଇଁ ହିତକର ସାବ୍ୟସ୍ତ ହୋଇଥାଏ । ରୋଗୀ ଲୋ-କର୍ବୋ ଓ ହାଇ ଫାଇବର ଉପରେ ଧ୍ୟାନ ଦେବା ଦ୍ୱାରା ଲିଭର୍‌ ଉପରେ ଅଧିକ ଚାପ ପଡି ନଥାଏ । କ୍ଲିନିକାଲ ଷ୍ଟଡିଜ୍‌ ଅନୁସାରେ ପ୍ରତିରୋଧୀ ଷ୍ଟାର୍ଚ୍ଚ ଖାଇବା ଦ୍ୱାରା ନନ୍‌-ଆଲକହଲ ଫ୍ୟାଟିଲିଭର‌ ସମସ୍ୟାର ଉପଚାର କରିବା ଖୁବ୍‌ ପ୍ରଭାବଶାଳୀ ହୋଇଥାଏ । ଗବେଷଣା ଅନୁସାରେ ପ୍ରତିଦିନ ୪୦ ଗ୍ରାମ ପ୍ରତିରୋଧୀ ଷ୍ଟାର୍ଚ୍ଚ(ଯାହା ସିଝା ଆଳୁ ଓ କଦଳୀରେ ରହିଥାଏ) ନେବା ଦ୍ୱାରା ରୋଗୀର ଲିଭର୍‌ରେ ଜମା ହୋଇଥିବା ଫ୍ୟାଟ୍‌ର ପ୍ରାୟ ୪୦ ପ୍ରତିଶତ କମୁଥିବା ଦେଖିବାକୁ ମିଳିଥାଏ । ଏହାର ମୁଖ୍ୟ କାରଣ ଗଟ୍‌ ମାଇକ୍ରୋବାୟୋଟା(ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ) ଠାରେ ସକାରାତ୍ମକ ପରିବର୍ତ୍ତନ ଆସିବା, ଯାହା ବିଶେଷକରି ବ୍ୟାକ୍ଟେରିଆକୁ ବଢ଼ାଇବା ସହ ଲିଭର୍‌ର ପ୍ରଦାହ ଓ ଲିପିଡରେ ସୁଧାର ଆଣିଥାଏ ।