ନୂଆଦିଲ୍ଲୀ, ୨୯/୧ : ବିଶାଖାପାଟଣାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତର ପରାଜୟ ହୋଇଛି । ୫୦ ରନରେ ହାରିଛି ଟିମ ଇଣ୍ଡିଆ । କିନ୍ତୁ ଏହି ମ୍ୟାଚରେ ଫ୍ୟାନ୍ସଙ୍କ ମନ ଜିଣିଥିଲେ ଶିଭମ ଦୁବେ । ମାତ୍ର ୧୫ ବଲରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ଦୁବେ । ବଡ଼ ବଡ଼ ଛକା ମାରି ଦର୍ଶକଙ୍କ ମନରେ ବିଜୟର ଆଶା ଉଜ୍ଜିବିତ କରିଥିଲେ । ଚୌକା ଅପେକ୍ଷା ଅଧିକ ଛକାରେ ଡିଲ୍ କରୁଥିଲେ । ସେ ଏହି ମ୍ୟାଚରେ ମାତ୍ର ୨୩ ବଲରେ ୬୫ ରନର ପାଳି ଖେଳିଥିଲେ । ତେବେ ଏଭଳି ପ୍ରଦର୍ଶନ ପଛରେ କଣ ରହିଛି ସତ । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶିଭମ ଦୁବେ ।

ଦୁବେ କହିଛନ୍ତି କି, ନିରନ୍ତର ଭାବେ ମୋତେ ଦଳରେ ଖେଳିବାର ସୁଯୋଗ ମିଳୁଛି । ଯାହାକି ମୋ ମନୋବଳକୁ ଅଧିକ ବଢ଼ାଇଛି । ଏପରିକି ଏହା ମୋ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଉଛି । ଆମ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ କୋଚ ଗୌତମ ଗମ୍ଭୀରଙ୍କ ମୋ ଉପରେ ଅଧିକ ଭରସା ରହିଛି । ସେମାନେ ମୋତେ ବୋଲିଂ କରିବା ପାଇଁ ସୁଯୋଗ ଦେଉଛନ୍ତି । ବୋଲିଂ କଲେ ଜଣେ ଖେଳାଳିଙ୍କ ବୁଦ୍ଧି ବଢ଼ିଯାଏ । ମୋତେ ସୁଯୋଗ ମିଳୁଥିବାବେଳେ ଏହାର ଫାଇଦା ଉଠାଉଛି । ଏହାସହ ସେ କହିଛନ୍ତି କି, କଠିନ ପରିଶ୍ରମ ସାଙ୍ଗକୁ ଅଭିଜ୍ଞତା ଜରୁରୀ । ମୁଁ ପୂର୍ବରୁ କଠିନ ପରିଶ୍ରମ କରିଛି । ଆଉ ଏବେ ନିରନ୍ତର ଭାବେ ଦଳରେ ସୁଯୋଗ ମିଳୁଛି । ଯାହା ମୋ ପାଇଁ ଅଧିକ ଲାଭଦାୟକ ମଧ୍ୟ ହୋଇଛି ।

ସେପଟେ ଦଳରେ ନିଜର ଭୂମିକା ସମ୍ପର୍କରେ ମଧ୍ୟ ବ୍ୟାଖ୍ୟା କରିଛନ୍ତି । ସେ କହିଛନ୍ତି କି, ମଧ୍ୟକ୍ରମ ବୋଲରଙ୍କୁ ଅଧିକ ସ୍କୋର କରିବା ମୋ ଦାୟିତ୍ବ । ସ୍ପିନରଙ୍କ ବିପକ୍ଷରେ ବଡ଼ ବଡ଼ ସଟ୍ ଖେଳି ଦଳକୁ ମଜବୁତ କରିଥାଉ । ଏହାସହ ଦଳକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇବା ବଡ଼ ଦାୟିତ୍ବ । ସେପଟେ ଶିଭମ ଦୁବେ ଚତୁର୍ଥ ଟି-୨୦ରେ ଯେଭଳି ଭାବେ ପ୍ରଦର୍ଶନ କରିଥିଲେ ଗୋଟିଏ ସମୟରେ ଏମିତି ଲାଗୁଥିଲା କି, ଭାରତ ନିଶ୍ଚିତ ଜିତିବ । ମାତ୍ର ଦୁର୍ଭାଗ୍ୟ ବଶତଃ ସେ ରନ୍ ଆଉଟ୍ ହୋଇଥିଲେ । ଯାହାକି ଦଳକୁ ଅନେକ କ୍ଷତି ପହଞ୍ଚାଇଥିଲା । ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ଦୁବେଙ୍କ ଏଭଳି ପ୍ରଦର୍ଶନ ଦଳ ପାଇଁ ଆଗାମୀ ଦିନରେ ଲାଭଦାୟକ ହେବ ।

ଆହୁରି ପଢ଼ନ୍ତୁ : ସରିଫଙ୍କ ସହ ଚାଲିଛି PCBର ବୈଠକ : ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିବ କି ପାକିସ୍ତାନ ?