ନୂଆଦିଲ୍ଲ, ୨୬/୧ : ସରୁନି ଟି-୨୦ ବିଶ୍ବକପ ଚିନ୍ତା । ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପକୁ ନେଇ ବାରମ୍ବାର କେଁ ପୁରାଉଛି ପାକିସ୍ତାନ । ଏବେ ପୁଣି ଏକ ନୂଆ ନାଟକ ଆରମ୍ଭ କରିଛି ପାକିସ୍ତାନ । ଫେବୃଆରୀ ୧୫ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚକୁ ବୟକଟ କରିପାରେ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପିସିବି ଅଧ୍ୟକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ବାଂଲାଦେଶକୁ ଟି-୨୦ ବିଶ୍ବକପରୁ ବାଦ ଦେବା ପରେ ପାକିସ୍ତାନ ପ୍ରତିଦିନ ନୂଆ ନୂଆ ପ୍ରତିକ୍ରିୟା ଦେବା ଆରମ୍ଭ କରିଛି ।

 

ମ୍ୟାଚ୍ ନହେଲେ କଣ ହେବ ?

ଯଦି ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୁଏ, ICC ବଡ଼ ଆର୍ଥିକ କ୍ଷତି ସହିବ । T20 ବିଶ୍ୱକପ୍ ଫାଇନାଲ୍ ଏବଂ ସେମିଫାଇନାଲ୍ ବ୍ୟତୀତ, ଭାରତ-ପାକିସ୍ତାନ ମ୍ୟାଚ୍ ବିଶ୍ୱର ସର୍ବାଧିକ ମୂଲ୍ୟାଙ୍କିତ ମ୍ୟାଚ୍ । ଏଣୁ ଏହି ମ୍ୟାଚ ବାତିଲ ହେଲେ ICC ଏବଂ ପ୍ରସାରଣକାରୀଙ୍କ ପାଇଁ ଯଥେଷ୍ଟ କ୍ଷତି ହେବ । ତେବେ ପାକିସ୍ତାନ ଯଦି ଏଭଳି କିଛି ନିଷ୍ପତ୍ତି ନିଏ ତାହେଲେ ନିଜ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇବ । କାରଣ ଆଇସିସି ବିରୁଦ୍ଧରେ ଗଲେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ସେପଟେ ଟି-୨୦ ବିଶ୍ବପରେ ଜିଦରେ ଅଟଳ ରହିଥିବା ବାଂଲାଦେଶ ବାଦ ପଡ଼ିଛି । ଏହାପରଠାରୁ ପାକିସ୍ତାନର ପୂର୍ବତନ କ୍ରିକେଟମାନେ ଭାରତକୁ ସମାଲୋଚନା ମଧ୍ୟ କରିବା ଆରମ୍ଭ କରିଛନ୍ତି । ବାଂଲାଦେଶକୁ ପ୍ରଥମରୁ ଉସୁକାଉଥିବା ପାକିସ୍ତାନୀ ଖେଳାଳିମାନେ ଏବେ ଟି-୨୦ ବିଶ୍ବକପକୁ ପାକିସ୍ତାନ ବୟକଟ କରୁ ବୋଲି ଦାବି କରୁଛନ୍ତି । ସେମାନେ ବିସିସିଆଇ ଏବଂ ଆଇସିସିକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେବାକୁ ବାରମ୍ବାର ଦାବି କରି ଆସୁଛନ୍ତି । ତେବେ ବସିଥିବା ବୈଠକରେ ପାକିସ୍ତାନର ନିଷ୍ପତ୍ତି କଣ ହେବ ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାସହ ପଢ଼ନ୍ତୁ : ବ୍ୟାଗରେ ମୁଣ୍ଡ, ବସ୍ତାରେ ଶରୀରର ବାକି ଅଂଶ ବିଶେଷ : ହତ୍ୟା କାହାଣୀ ଶୁଣିଲେ ଛାତି ଥରି ଉଠିବ