ଭୁବନେଶ୍ଵର : ପରମାଣୁ ଯୁଦ୍ଧ ମୁହାଁ ବିଶ୍ଵ। ଚାରିଆଡ଼େ ଯୁଦ୍ଧର ବିଭୀଷିକା । ଆକ୍ରମଣ ପ୍ରତି ଆକ୍ରମଣରେ ଅଣନିଃଶ୍ଵାସୀ ପୃଥିବୀ। ପ୍ରତିକ୍ଷଣ ଘାରୁଛି ମୃତ୍ୟୁର ଭୟ। କେତେବେଳେ ଯେ କେଉଁଠି ଆକ୍ରମଣ ହେବ ତାହା କହିବା ମୁସ୍କିଲ। କେବେ ଭାବିଛନ୍ତି କି ? ଯଦି ଆପଣଙ୍କ ସହର ଉପରେ କେବେ ନ୍ୟୁକ୍ଲିଅର ଆଟାକ ହୁଏ ତାହେଲେ କ’ଣ ହେବ... ମାତ୍ର କେଇ ମିନିଟ ଭିତରେ ସବୁକିଛି ଛାରଖାର ହୋଇଯିବ। ତାପମାତ୍ରା ହଜାରେ ଡିଗ୍ରୀ ପାର ହେବ । ସହର, ଘରଦ୍ଵାର, ସଂସାର ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯିବ। ସ୍ଵପ୍ନ ଉଜୁଡ଼ିଯିବ। ହେଲେ ଏହି ପରମାଣୁ ଆକ୍ରମଣରୁ ବଞ୍ଚିବା ପାଇଁ କ’ଣ ସତରେ କିଛି ବାଟ ନାହିଁ। ଯଦି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ । ତା’ହେଲେ ଦେଖନ୍ତୁ ଏହି ଖବର। ଆଉ ଏବେଠୁ ଆରମ୍ଭ କରିଦିଅନ୍ତୁ ପ୍ରସ୍ତୁତି । ଜୀବନ ଏବଂ ମୃତ୍ୟୁ ଭିତରେ ପାଚେରୀ ଭଳି ଠିଆ ହେବ ଆପଣଙ୍କର ଏହି ପଦକ୍ଷେପ।
ପରମାଣୁ ଆଟାକ, କେବଳ ବିସ୍ଫୋରଣ ନୁହେଁ... ଏହା ପରର ପର୍ଯ୍ୟାୟ ସବୁଠାରୁ ବିପଦପୂର୍ଣ୍ଣ। ଏହାକୁ କୁହାଯାଏ ରାଡିଏସନ ଫଲଆଉଟ ବା ବିକିରଣ ପ୍ରଭାବ। ବିସ୍ଫୋରଣରୁ ଯେଉଁମାନେ ବଞ୍ଚିଯାଆନ୍ତି ସେମାନେ ଏହି ପର୍ଯ୍ୟାୟରେ ଧୀରେ ଧୀରେ ମୃତ୍ୟୁର ନିକଟତର ହୁଅନ୍ତି। ତାହେଲେ ଜାଣନ୍ତୁ ନ୍ୟୁକ୍ଲିଅର ଆଟାକ ହେଲେ କେମିତି ନିଜକୁ ରକ୍ଷା କରିବେ ଏବଂ ଜୀବନ ବଞ୍ଚାଇବେ।
ପରମାଣୁ ବିସ୍ଫୋରଣ ପରେ ଏକ ଧଳା ଲାଇଟ ଆକାଶରେ ଖେଳିଯିବ। ଏହାକୁ ଖାଲି ଆଖିରେ ଦେଖିବା ଅନୁଚିତ। ଏହି ଲାଇଟକୁ ଦେଖିଲେ ମଣିଷ ଅନ୍ଧ ହୋଇଯିବ। ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇଦେବ। ତେଣୁ ଲାଇଟ ଦେଖିବା କ୍ଷଣି ତୁରନ୍ତ ମାଟି ଉପରେ ଶୋଇଯିବେ। ଆଖି, କାନ, ନାକକୁ ବନ୍ଦ କିଦେବେ। ମୁହଁକୁ ଏକ କପଡ଼ାରେ ଢାଙ୍କି ଦେବେ। ଏହା ଆପଣଙ୍କର ପ୍ରାଥମିକ ସୁରକ୍ଷା ସ୍ତର। ଏବେ ପ୍ରଶ୍ନ ଉଠୁଛି କେଉଁଠାକୁ ଯିବେ ? ମନେ ରଖନ୍ତୁ... ଯଦି ଆପଣଙ୍କ ଆଖପାଖରେ ମେଟ୍ରୋ ଷ୍ଟେସନ, ବେସମେଣ୍ଟ କିମ୍ଵା ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ଅଛି ତାହେଲେ ତୁରନ୍ତ ସେଠାକୁ ଚାଲିଯାଆନ୍ତୁ। କାରଣ ବିକିରଣ ପ୍ରଭାବରୁ ବର୍ତ୍ତିବା ପାଇଁ ମାଟି ତଳେ ରହିବା ସବୁଠୁ ସୁରକ୍ଷିତ ଉପାୟ। ହେଲେ ଯଦି ଏହି ସବୁ ସୁବିଧା ମଧ୍ୟରୁ କିଛି ନାହିଁ ତାହେଲେ ନିଜ ଘରେ ରହିବେ। ଘରର ସବୁ କବାଟ ଝରକା ବନ୍ଦ କରିଦେବେ। ପ୍ରତି ଛୋଟ ଛୋଟ ଫାଙ୍କକୁ ବି କପଡ଼ା କିମ୍ଵା ଟେପ ସାହାଯ୍ୟରେ ବନ୍ଦ କରିଦେବେ। ବାହାରୁ ପବନ ଆସିବା ପାଇଁ ଗୋଟିଏ ବି ଛିଦ୍ର ରହିଲେ ଏହା ଜୀବନ ପ୍ରତି ବିପଦ।
ଆଟାକ ପୂର୍ବରୁ କିମ୍ଵା କୌଣସି ଖବର ମିଳିବା କ୍ଷଣି ଜୀବନ ବଞ୍ଚାଇବାକୁ ଆପଣଙ୍କ ହାତରେ ମାତ୍ର କିଛି ମିନିଟ ରହିବ। ଏହି ସମୟ ଗୋଲ୍ଡେନ ପିରିୟଡ। ଏହାକୁ ନଷ୍ଟ ନକରି ତୁରନ୍ତ ପାଣି ଭରି ନେବେ। ଗରା, ବାଲଟି, ବଟଲ, ଡ୍ରମ ଯାହାବି ଥିବ ସବୁଥିରେ ପାଣି ଭରିଦେବେ। ନଳରେ ଥିବା ପାଣି ଜମାବି ବ୍ୟବହାର କରିବେନି। କାରଣ ପରମାଣୁ ଆଟାକ ପରେ ପାଣିରେ ରେଡିଏସନ ଦେଖିବାକୁ ମିଳିବ। ତେଣୁ ପୂର୍ବରୁ ଷ୍ଟୋର ହୋଇଥିବା ପାଣିକୁ ବ୍ୟବହାର କରିବେ। ଖାଦ୍ୟ ଖାଇବା ପାଇଁ ବିସ୍କୁଟ, ଡ୍ରାଏଫ୍ରୁଟ୍ସ, ଏବଂ ପ୍ୟାକେଜଡ ଫୁଡ ଷ୍ଟୋର କରିଦେବେ। ଯାହାକୁ ପରେ ବିନା ରାନ୍ଧି ବ୍ୟବହାର କରିହେବ। ଯଦି ଆଟାକ ବେଳେ ଭୁଲବଶତଃ ଆପଣ ବାହାରେ ଥିଲେ ତାହେଲେ ଘରକୁ ଆସିବା କ୍ଷଣି ତୁରନ୍ତ ନିଜ ପୋଷାକ ବଦଳାଇବେ। ଉକ୍ତ ପୋଷାକ ଗୁଡ଼ିକୁ ଏକ ପଲିଥିନରେ ବାନ୍ଧିଦେବେ। ସାବୁନରେ ଭଲ ଭାବରେ ଗାଧୋଇ ପଡ଼ିବେ। ମନେ ରଖିବେ ଗାଧୋଇବା ପାଇଁ ମଧ୍ୟ ନଳ ପାଣି ନୁହେଁ କେବଳ ଷ୍ଟୋର କରିଥିବା ପାଣିରେ ଗାଧୋଇବେ।
ନ୍ୟୁକ୍ଲିଅର ବ୍ଲାଷ୍ଟ ପରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ସମୟ ପ୍ରଥମ ୨୪ ଘଣ୍ଟା। ଏହି ସମୟରେ ବାହାରକୁ ଯିବା ଅର୍ଥ, ମରଣକୁ ବରଣ କରିବା। ଏହି ୨୪ ଘଣ୍ଟା ମଧ୍ୟରେ ଯେଉଁଠି ଥିବେ, ସେଠାରୁ ଜମାବି ବାହାରକୁ ବାହାରିବେ ନାହିଁ। ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଗଲେ ତାହାକୁ ଅନୁପାଳନ କରିବେ। ହେଲେ କୌଣସି ସୂଚନା ନମିଳିଲେ ୭୨ ଘଣ୍ଟା ଯାଏଁ ଜମାବି ବାହାରକୁ ବାହାରିବେ ନାହିଁ। ମାତ୍ର ୩ ଦିନ ଯଦି ଆପଣ ଠିକ ଉପାୟରେ କାଟିଦେବେ ତାହେଲେ ବୋଧହୁଏ ଆପଣଙ୍କ ଜୀବନ ବଞ୍ଚିଯିବ। ଏହାପରର ପ୍ରସ୍ତୁତି ହେଉଛି ଟେକ୍ନୋଲୋଜି। ନ୍ୟୁକ୍ଲିଅର ଆଟାକ ପରେ ଇଲେକ୍ଟ୍ରୋ ମାଗନେଟିକ୍ସ ପଲ୍ସ ଆସିପାରେ, ଯାହାକି ଆପଣଙ୍କ ଇଲେକ୍ଟ୍ରୋନିକ୍ସ ଜିନିଷ ଗୁଡ଼ିକୁ ନଷ୍ଟ କରିଦିଏ। ଏଥିପାଇଁ ଏକ ପୁରୁଣା ଆଣ୍ଡ୍ରଏଡ ଫୋନ, ଏକ ପାୱାର ବ୍ୟାଙ୍କ, ଏବଂ ଏକ ୱାକିଟକିକୁ ପୁରୁଣା ଆଲୁମିନିୟମ ଫଏଲରେ ଗୁଡ଼ାଇ କୌଣସି ଷ୍ଟିଲ ବକ୍ସରେ ରଖିଦେବେ। ଏହା ଆପଣଙ୍କୁ ବାହାରେ ସମ୍ପର୍କ କରିବା ପାଇଁ ସାହାଯ୍ୟ କରିବ। ସବୁଠୁ ଜରୁରୀ କଥା... ଭୟଭୀତ ହେବେ ନାହିଁ। ପ୍ରତିଟି ନିଷ୍ପତ୍ତି ବୁଝି ବିଚାରି ନେବେ। କାରଣ ପରମାଣୁ ଆଟାକ ଏକ ଟାଇମ ଗେମ। ଯିଏ ଯେତିକି ଶାନ୍ତ ରହିପାରିବ ତାର ଜୀବନ ବଞ୍ଚିବାର ଚାନ୍ସ ସେତିକି ଅଧିକ। ଏହି ପଦକ୍ଷେପ ହୁଏତ ଆପଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇଦେବ।