ଭଞ୍ଜନଗର,୨୩/୫: ମୋଟ ୨୬ କେଜି ୫୬୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଞ୍ଜନଗର ପୁଲିସ। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସୂଚନା ପ୍ରକାରେ ଗୁରୁବାର ମଧ୍ୟାହ୍ନରେ ପୁଲିସ ସବ୍ ଇନ୍ସପେକ୍ଟର ଲକ୍ଷ୍ମୀଧର ମହାନ୍ତି ଏକ ପେଟ୍ରୋଲି° ଟିମ୍ ସହ ମୁଜାଗଡ ଇଲାକାରେ ପେଟ୍ରୋଲି° କରୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ସୂଚନା ପାଇ ତୁରନ୍ତ ନିଧିଆପଲ୍ଲୀ ବସ୍ ଷ୍ଟପ୍ ନିକଟକୁ ଯାଇଥିଲେ। ସେଠାରେ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ୩ ଜଣ ଅଣ ଓଡିଆଙ୍କୁ ଦେଖି ସେମାନେ ଧରିଥିବା ୨ଟି ଜରି ବ୍ୟାଗ୍ ତଲାସୀ ନେଲାବେଳେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।
ଏମାନଙ୍କ ମଧ୍ୟରୁ ଜଣକୁ ଧରି ପଚରାଉଚରା କରିବା ବେଳେ ଏମାନେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ଆସି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରୁ ଏହି ଗଞ୍ଜେଇ ଧରି କଲିକତା ନେଉଥିବା ସ୍ୱୀକାର କରିଥିଲେ। ଏମାନେ ମା'ଲକ୍ଷ୍ମୀ ନାମକ ଏକ ଘରୋଇ ବସର ହେଲପର ଥିବା ଧର୍ମେନ୍ଦ୍ର ପଟ୍ଟନାୟକଙ୍କ ସହଯୋଗରେ ଏଠାରୁ ଭୁବନେଶ୍ୱର ନେଉଥିବା ଜଣାଇବାପରେ ପୁଲିସ ସଂପୃକ୍ତ ହେଲପରଙ୍କ ସହ ହୁଗୁଳୀ ଜିଲ୍ଲା ଉତ୍ତରପଡା ଥାନା ଅନ୍ତର୍ଗତ ମାଖଲା ଗ୍ରାମର ୩ ଜଣ ଯୁବକ ରାଜୁ ଶଙ୍କର (୩୨), ଉତ୍ତମ କୁମାର ସିଂ ଓ ସମୀର କୁମାର ଦୁବେ(୨୬) ଙ୍କୁ ଏନଡିପିଏସ୍ ଆଇନ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜେନା ସୂଚନା ଦେଇଛନ୍ତି।