ଆଠଗଡ଼, ୧୧/୧୨: ବିଶାକ୍ତ ଦେଶୀ ମଦ ପୋଚ ପାଇଁ ସାପୁଆ ନଦୀ ପାଣି ବିଷାକ୍ତ ହେବା ନେଇ ବାରମ୍ୱାର ହୋଇଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଉଭୟ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରମାଣର ଚୋରା ଦେଶୀ ରନ୍ଧା ମଦ ସହ ପୋଚ ନଷ୍ଟ କରାଯାଇଛି । କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳର ଭିରୁଡ଼ା ଏବଂ ପଣଷପାଟଣା ଗାଁରେ ଏହି ଚଢାଉ କରାଯାଇଛି । 

ସୂଚନା ମୁତାବକ, ତିଗିରିଆ ଅଞ୍ଚଳରେ ସାପୁଆ ନଦୀ ପ୍ରଦୂଷିତ ହୋବାରେ ଲାଗିଛି । ଲୋକମୋନେ ମଦ ପ୍ରସ୍ତୁତ କରି ଏହାର ପୋଚ ଏବଂ ଆବର୍ଜନାକୁ ନଦୀରେ ଭାସାଇ ଦେଉଥିଲେ । ଏହାର ପରିଣାମ ଭୋଗୁଛନ୍ତି ନଦୀ କୂଳିଆ ଲୋକେ ଏବଂ ନଦୀର ଜୀବ । ନଦୀରେ ବିପୁଳ ପରିମାଣର ଜଳଜୀବଙ୍କ ମର ଶରୀର ଭାସିବା ପରେ ଲୋକେ ଏନେଇ ଅଭିଯୋଗ କରିଥିଲେ । ହେଲେ ବାରମ୍ୱାର ଜଳସେଚନ ବିଭାଗ ଅଧିକାରୀଙ୍କୁ ଫୋନ୍‌ କରିବା ସତ୍ତ୍ୱେ କେହି ଫୋନ୍‌ ଉଠାଇ ନଥିଲେ । ତେଣୁ ଏ ବାବଦରେ  ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଥିଲା।

ଏହା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଉଭୟ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ତିଗିରିଆ ଅଞ୍ଚଳର ଭିରୁଡ଼ା ଏବଂ ପଣଷପାଟଣା ଗାଁରେ ମିଳିତ ଚଢାଉ କରାଯାଇଛି । ଏହି ଚଢାଉରେ ବିଫୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହ ପୋଚ ମଧ୍ୟ ଜବତ କରାଯାଇଛି । ପରେ ସେସବୁ ନଷ୍ଟ କରିଦିଆ ଯାଇଛି ।