ଭୁବନେଶ୍ୱର,୦୫/୧୨(ପ୍ରଜ୍ଞା ଚୌଧୁରୀ): କଂକ୍ରିଟ୍ ସହରରେ ମାଟିକୁ ଉତ୍କୃଷ୍ଟ କରିପାରେ ମଣିଷ ମଳ । ବୈଜ୍ଞାନିକ ଉପାୟରେ ମଣିଷ ମଳକୁ ମିଶାଯାଇ ଉତ୍କୃଷ୍ଟ ମାନର ଖତ ଉତ୍ପାଦନ ସମ୍ଭବପର । ଏହି ଖତ ବ୍ୟବହାର କରି ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ଉତ୍ପାଦନ ହୋଇପାରିବ । ଓୟୁଏଟି ପକ୍ଷରୁ ସହରାଞ୍ଚଳରେ ମୃତ୍ତିକା ସ୍ୱାସ୍ଥ୍ୟ ଓ ସମସ୍ୟା ଉପରେ ହୋଇଥିବା ଗବେଷଣାରୁ ଏହି ତଥ୍ୟ ଜଣାପଡ଼ିଛି ।

ଏକ ବିଶ୍ୱସ୍ତରୀୟ ସଂସ୍ଥା ସହିତ ଓୟୁଏଟି ମିଳିତ ଆନୁକୂଲ୍ୟରେ ମଣିଷ ମଳକୁ ନେଇ ଅଧିକ ଗବେଷଣା ଚାଲିଛି । ରାଜ୍ୟର ଏକାଧିକ ସ୍ଥାନରେ ପରୀକ୍ଷାମୂଳକ ଭାବରେ ୧୦-୨୦ ପ୍ରତିଶତ ମଣିଷ ମଳକୁ ମିଶାଇ ଉତ୍କୃଷ୍ଟ ମାନର ଖତ ତିଆରି କରାଯାଉଛି । ଏହି ଖତକୁ ଫୁଲ, ପରିବା ଚାଷରେ ବ୍ୟବହାର ମଧ୍ୟ କରାଯାଉଛି । ଭବିଷ୍ୟତରେ ଏହି ଖତରେ ମଣିଷ ମଳର ପରିମାଣ ବଢାଯାଇପାରେ ବୋଲି ଜଣାପଡ଼ିଛି ।

ସହରରେ ସୁସ୍ଥ ଖାଦ୍ୟ ସହ ସୁସ୍ଥ ପରିବେଶ ନିହାତି ଆବଶ୍ୟକ । ବିଶେଷକରି ଖାଦ୍ୟ ଓ ମାଟି ପାଇଁ ସହର ଏହାର ଉପକଣ୍ଠ ବା ନିକଟବର୍ତ୍ତୀ ଚାଷ ଜମି ଉପରେ ନିର୍ଭରଶୀଳ । ସେହିପରି ପରିବେଶ ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପାର୍କ, ଉଦ୍ୟାନ, ପଥପ୍ରାନ୍ତ ବଗିଚା ଇତ୍ୟାଦି ମଧ୍ୟ ଆବଶ୍ୟକ । ଏଥିସହ ଛାତ ଉପରେ ଉଦ୍ୟାନ, ପାକଶାଳ ବଗିଚା, ପରିବାରର ଉଦ୍ୟାନରେ ମଧ୍ୟ ନିର୍ଭର କରୁଛନ୍ତି ଲୋକେ । ଏହି ଆବଶ୍ୟକତା ପୂରଣ ପାଇଁ ସୁସ୍ଥ ମୃତ୍ତିକା ଜରୁରୀ । ସାଧାରଣତଃ ସହର ପାଇଁ ଆବଶ୍ୟକ ମାଟି ଓ ଖତ ଏହାର ଉପକଣ୍ଠରୁ ଅଣାଯାଉଛି । କିନ୍ତୁ ଏହି ମାଟିରେ ଶିଳ୍ପରୁ ନିର୍ଗତ ଆବର୍ଜନା ଓ ଏଥିରେ ଥିବା କ୍ରୋମିୟମ, ଫ୍ଲୋରିନ୍, ସୀସା, ପାରଦ ଭଳି କ୍ଷତିକାରକ ମୌଳିକ ଏବଂ ରୋଗଜୀବାଣୁ ରହୁଛି । ସହର ଯେଉଁ ଆବର୍ଜନା ଉପକଣ୍ଠକୁ ଛାଡ଼ୁଛି ସେହି ଆବର୍ଜନା ମିଶା ମାଟି ବୁହା ହୋଇ ସହରକୁ ଆସୁଛି । ତେବେ ମଣିଷ ମଳରୁ ତିଆରି ଖତ ସହରକୁ ଏ ଦିଗରେ କରିବ ଆତ୍ମନିର୍ଭର । ନିଜ ଆବର୍ଜନାରୁ ଉତ୍କୃଷ୍ଟ ଖତ ପ୍ରସ୍ତୁତ କରି ଉତ୍ପାଦନ ଯୋଗ୍ୟ ମାଟି ତିଆରି କରିପାରିବ ।

ସହରର ଦୂଷିତ ମାଟିର ଉତ୍ପାଦନ କ୍ଷମତା ବଢାଇବା ପାଇଁ ପ୍ରଚୁର ପରିମାଣର ଖତର ଆବଶ୍ୟକତା ଅଛି । ସହରଞ୍ଚଳରୁ ଦୈନନ୍ଦିନ ଅନେକ ପରିମାଣରେ ଆବର୍ଜନା ନିର୍ଗତ ହୋଇଥାଏ । ଉକ୍ତ ଆବର୍ଜନାରେ ପ୍ରାୟ ୪୦-୬୦ ପ୍ରତିଶତ ଜୈବିକ ଏବଂ ସହଜରେ ବିଘଟିତ ହୋଇପାରୁଥିବା ପଦାର୍ଥ ରହିଥାଏ । ଆମ ରାଜ୍ୟରେ ଦୈନିକ ୧୯୩୫ରୁ ୨୨୩୯ ଟନ୍ ଆର୍ବଜନା ବାହାରୁଛି । କିନ୍ତୁ ଏହି ଆବର୍ଜନା ଠିକ୍ ଭାବରେ ପରିଚାଳିତ ନହେବା ଫଳରେ ପରିବେଶ ପ୍ରଦୂଷିତ ହେଉଛି ଏବଂ ଏଥିରେ ଥିବା ଅତିଆବଶ୍ୟକ ଖାଦ୍ୟ ଉପାଦାନ ମଧ୍ୟ ନଷ୍ଟ ହେଉଛି । କିନ୍ତୁ ଆବର୍ଜନାକୁ ଠିକ୍ ଭାବରେ ପରିଚାଳିତ କରି ପତ୍ର, କାଣ୍ଡ, ଫଳ, ପରିବା ଚୋପା ଆଦି ଜୈବିକ ଉପାଦାନ ସହ ମଣିଷ ମଳକୁ ମିଶାଇ ଖତ ଉତ୍ପାଦନ କରାଯାଇ ପାରିବ ।

ଅନ୍ୟପକ୍ଷେ ସୁସ୍ଥ ମୃତ୍ତିକା ଓ ସୁସ୍ଥ ସହର ଗଠନରେ ଦିଗରେ ବାଧକ ସାଜିଛି ଭୂତଳ ଜଳସ୍ତର । ସହରରେ ରାସ୍ତା, କୋଠାବାଡ଼ି, କଂକ୍ରିଟ୍ ଆଚ୍ଛାଦନ ଫଳରେ ମାଟି ଦେଖାଯାଉ ନାହିଁ । ଏହି କଂକ୍ରିଟ ଉପରେ ବର୍ଷା ଜଳ ବୋହି ଯାଇ ଦୂରସ୍ଥ ନାଳ ନଦୀରେ ମିଶୁଛି । ଫଳରେ ଭୂଗର୍ଭସ୍ଥ ଜଳଭଣ୍ଡାରର ସ୍ତର କ୍ରମଶଃ ହ୍ରାସ ପାଉଛି ।

ସରକାରୀ ତଥ୍ୟ ଅନୁଯାୟୀ, ଭୁତଳ ଜଳସ୍ତର ଗତ ୫ ବର୍ଷରେ ୦.୫୩ ମିଟର ହ୍ରାସ ହୋଇଛି । ‘ସହରରୁ ଆବର୍ଜନା ନଦୀ ନାଳ ଦେଇ ଗାଁର ମାଟିରେ ମିଶିବା ପୂର୍ବରୁ ଏହାକୁ ରୋକାଯାଇ ପାରିବ । ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ଏଥିରୁ ବିଶାକ୍ତ ଉପାଦାନକୁ ଆବଶ୍ୟକ ଉତ୍ପାଦନଠାରୁ ପୃଥକୀକରଣ କରାଯାଇପାରିବ । ଫଳରେ ମୃତ୍ତିକାର ସ୍ୱାସ୍ଥ୍ୟ ଠିକ୍ ରହିବ । ଅନ୍ୟପକ୍ଷେ, ସହରରେ ବ୍ୟବସ୍ଥିତ ଢଙ୍ଗରେ ପ୍ରତ୍ୟେକ ଗୃହ ପରିସରରେ କିଛି ଜାଗା ମାଟି ଛାଡ଼ିବା ଉଚିତ୍ । ଦୂରଦୃଷ୍ଟି ରଖି ଏ ଦିଗରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦିଷ୍ଟ ନିୟମାବଳୀ ଲାଗୁ କରିବା ଦରକାର । ଯଦ୍ଦ୍ୱାର ବର୍ଷା ଜଳ ଭୂଗର୍ଭକୁ ଯାଇପାରିବ ଏଥିସହ ସହରରେ ସୁସ୍ଥ ମାଟି ମିଳିପାରିବ ।”