ନୂଆଦିଲ୍ଲୀ,୨୧/୦୭: ସମୁଦ୍ରରେ ମୃତ୍ୟୁ ଜାଲ । ଜାହାଜକୁ ମିସାଇଲ୍ ମାଡରେ ଯାଉଛି ନାବିକଙ୍କ ଜୀବନ। ୟୁକ୍ରେନ୍ ଉପରେ ରୁଷର ଘନ ଘନ ମିସାଇଲ-ଡ୍ରୋନ୍ ମାଡ଼ ହୋଇଛି ।  ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିବା ମାଲବାହୀ ଜାହାଜ MV Golden Leo ଉପରେ ମିସାଇଲ ଡ୍ରୋନ୍ ହମଲାରେ ୪ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ଓ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରାଳୟ । ରୁଷ୍‌ ପକ୍ଷରୁ ୩ଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିବା ୟୁକ୍ରେନ ସୂଚନା ମିଳିଛି । ମିସାଇଲ୍‌ ଆକ୍ରମଣକୁ କଡା ନିନ୍ଦା କରିଛନ୍ତି ଭାରତ ସରକାର । ଜାହାଜରେ ମୋଟ୍ ୫ ଜଣ ଭାରତୀୟ ନାବିକ ଥିଲେ ।

ନିନ୍ଦା କଲା ବୈଦେଶିକ ମନ୍ତ୍ରଣାଳୟ - ମନ୍ତ୍ରଣାଳୟ କହିଛି ଯେ, ୟୁକ୍ରେନରେ ଥିବା ଭାରତୀୟ ମିଶନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ପ୍ରଭାବିତ ନାବିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି । ମନ୍ତ୍ରଣାଳୟ ମୃତ ନାବିକଙ୍କ ପରିବାର ପ୍ରତି ସମାବେଦନା ପ୍ରକାଶ କରିଛି । ଆହତ କ୍ରୁ ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛି । ଭାରତ ଏହି ଆକ୍ରମଣକୁ ଦୃଢ ନିନ୍ଦା କରି କହିଛି ଯେ, ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ଏବଂ ନିରୀହ କ୍ରୁ ସଦସ୍ୟଙ୍କୁ ବିପଦରେ ପକାଇବା ନିନ୍ଦନୀୟ । ନୌଚାଳନା ଏବଂ ବାଣିଜ୍ୟିକ ପରିବହନର ସ୍ୱାଧୀନତାରେ ଯେକୌଣସି ପ୍ରକାରର ବାଧା ଗ୍ରହଣୀୟ ନୁହେଁ ।''

ୟୁକ୍ରେନ୍ ଅଧିକାରୀଙ୍କ ଅନୁଯାୟୀ, ରୁଷ୍ ଗିନି-ବିସାଉ ପତାକାଧାରୀ ଜାହାଜ ଏମଭି ଗୋଲ୍ଡେନ୍ ଲିଓ ଉପରେ ୩ଟି କ୍ରୁଜ ମିସାଇଲ୍ ମାଡି କରିଛି । ଫଳରେ ଜାହାଜରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଜାହାଜଟି ମକ୍କା ଅଭିମୁଖେ ଯାଉଥିଲା । ଏଥିରେ ଭାରତୀୟ ଏବଂ ସିରିଆର ନାବିକମାନେ ଥିଲେ । ୟୁକ୍ରେନୀୟ ସମୁଦ୍ର ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ରାତିସାରା ଚାଲିଥିବା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ମୋଟ୍ ୯ ଜଣ ସଦସ୍ୟ ଏବଂ ଜଣେ ସାମୁଦ୍ରିକ ପାଇଲଟ୍ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ମଧ୍ୟରେ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଏମଭି ଗୋଲ୍ଡେନ୍ ଲିଓ ମୁମ୍ବାଇସ୍ଥିତ ଓସନ୍ ଗ୍ରେସ୍ ସିପିଂ ଲିମିଟେଡ୍ ମାଲିକାନାରେ ଅଛି । 

ରୁଷ୍ ପକ୍ଷରୁ ରବିବାର ୪୧ ମିସାଇ ଏବଂ ୧୨୦ ଡ୍ରୋନ୍ ଆକ୍ରମଣ କରାଯିବାର କେଇଘଣ୍ଟା ପରେ ପୁଣି ଉଗ୍ର ହୋଇଥିଲା ୟୁକ୍ରେନ୍ । ସୋମବାର ରୁଷ୍ ରାଜଧାନୀ ମସ୍କୋର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରିଥିଲା । ୪୦୦ରୁ ଅଧିକ ଡ୍ରୋନ୍ ମାଡ କରିଥିଲା ୟୁକ୍ରେନ୍ । ଏଥିରେ ୧୦ ଜଣ ଆହତ ହୋଇଥିଲେ । ଏହାକୁ ନେଇ କ୍ରୋଧିତ ହୋଇ ରୁଷ୍ ୟୁକ୍ରେନ୍ ଉପରେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରିଛି । ଜବାବୀ ଆକ୍ରମଣ କରି ଦକ୍ଷିଣ ୟୁକ୍ରେନସ୍ଥିତ ଓଡେସା ବନ୍ଦରରେ ଥିବା ଇନ୍ଧନ ଟ୍ୟାଙ୍କରଗୁଡିକ ଉପରେ ଆକ୍ରମଣ କରିଛି । ଏକ କାର୍ଗୋ ଜାହାଜ ଉପରେ ଆକ୍ରମଣ ଯୋଗୁଁ ୪ ଭାରତୀୟଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୟୁକ୍ରେନ୍ ବାୟୁସେନା କହିଛି, ରୁଷ୍ ଦୁଇଟି ମିସାଇଲ ଏବଂ ୯୪ଟି ଦୂରଗାମୀ ଡ୍ରୋନ୍ ମାଡ଼ କରିଥିଲା । ଏୟାର ଡିଫେନ୍ସ ୮୧ଟି ଡ୍ରୋନକୁ ଜାମ୍ କିମ୍ବା ଗତିରୋଧ କରିଦେଇଥିଲା ।

ଏହା ବି ପଢନ୍ତୁ...FIFA Final; ୨୨ କୋଟିରେ ସବୁଠୁ ମହଙ୍ଗା ସିଟ୍‌...ଟ୍ରମ୍ପଙ୍କୁ ମାଲେମାଲ୍ କଲା ଫିଫା ଫାଇନାଲ, ଅଦ୍ଭୂତ ରେକର୍ଡ...