କଟକ ୩୦/୧୨:  କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା। ଅର୍ପିତା ଚୌଧୁରୀଙ୍କ ପାଇଁ ବଢ଼ିଲା କି ଅଡ଼ୁଆ। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ବାରସ୍ଥ। ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କ ସହ ଆଗୁଆ ଜାମିନ ଆବେଦନ କଲେ ଅର୍ପିତା। ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ଜାମିନ୍ ଆବେଦନ ହୋଇଥିବା ଚର୍ଚ୍ଚା। ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନାଙ୍କ ଏତଲା ପରେ ଉଚ୍ଚ ଅଦାଳତଙ୍କ ଦ୍ବାରସ୍ଥ ହୋଇଛନ୍ତି ବିବାଦୀ କଣ୍ଠଶିଳ୍ପୀ। ପୂର୍ବରୁ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ପୁଅ ମୃତ୍ୟୁକୁ ନେଇ ୯ ଜଣଙ୍କ ନାଁରେ ସଙ୍ଗିନ୍ ଅଭିଯୋଗ କରିଥିଲେ। ଏତଲା ଆଧାରରେ କମିଶନରେଟ୍ ପୁଲିସ ମାମଲାର ଖୋଳତାଡ଼ା କରୁଛି। 

ଉଲ୍ଲେଖ ଯୋଗ୍ୟ ଯେ,  ଗତ ୨୧ ତାରିଖରେ ହ୍ୟୁମାନଙ୍କ ମା’ ଶେଫାଳି ସୁନା ପୁଅର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏଥିରେ ସୋମେଶ ଶତପଥୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ମା’ ଶେଫାଳି ହ୍ୟୁମାନଙ୍କ ମୃତ୍ୟୁର କିଛି ସନ୍ଦିଗ୍ଧ କାରଣ ମଧ୍ୟ ଦର୍ଶାଇଛନ୍ତି । ସମ୍ଭବତଃ ବିଷ ଦିଆଯିବା, ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ଯାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଛନ୍ତି ମା’ଶେଫାଳି । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସେମାନଙ୍କର ମଧ୍ୟ ସମାନ ତଥ୍ୟ ସଂଗ୍ରହ କରି ଯାଞ୍ଚ୍ କରିବାକୁ ହ୍ୟୁମାନ୍‌ଙ୍କ  ମା’ ଦେଇଥିଲା ଏତଲାରେ ଅନୁରୋଧ କରାଯାଇଛି । ଏହି ଘଟଣାରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସୋମେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା' କିଛିଦିନ ତଳେ ଥାନାରେ ଏତଲା ଦେଇଛନ୍ତି ।