ନୂଆଦିଲ୍ଲୀ,୧୬/୦୭; ଚଳିତ ରଣଜୀ ଟ୍ରଫିରେ ରବିବାରଠୁ ସେମି ଫାଇନାଲ୍ ରାଉଣ୍ଡ୍ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡ ବିପକ୍ଷରେ କର୍ଣ୍ଣାଟକ ଦୃଢ଼ ବ୍ୟାଟିଂ ପ୍ରଦର୍ଶନ କରିଛି । କେଏଲ୍ ରାହୁଲ ଓ ଦେବଦତ୍ତ ପାଡିକଲଙ୍କ ଶତକ ବଳରେ ଦଳ ପ୍ରଥମ ଇନିଂସ୍ରେ ୨ ୱିକେଟ୍ ହରାଇ ୩୫୫ରନ୍ ସଂଗ୍ରହ କରିଛି । ଦ୍ୱିତୀୟ ଇନିଂସରେ କର୍ଣ୍ଣାଟର ସ୍କୋର ୩୭୭ରେ ପହଞ୍ଚିଛି । ସେହିପରି ଜମ୍ମୁ-କାଶ୍ମୀର ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ୍ରେ ୫ ୱିକେଟ୍ ହରାଇ ୨୪୯ ରନ୍ ସଂଗ୍ରହ କରିଛି । ସୁଦୀପ କୁମାର ଘରାମି ଶତକ ପୂରଣ କରି ଅପରାଜିତ ଅଛନ୍ତି ।
କର୍ଣ୍ଣାଟକ ବନାମ ଉତ୍ତରାଖଣ୍ଡ: ପ୍ରଥମ ସେମି ଫାଇନାଲ୍ରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଉତ୍ତରାଖଣ୍ଡ ପାଇଁ ମହଙ୍ଗା ପଡ଼ିଥିଲା । ଯଦିଓ ଦଳ ଓପନର ମୟଙ୍କ ଅଗ୍ରୱାଲଙ୍କୁ (୫) ସହଳ ଆଉଟ୍ କରିବାରେ ସଫଳ ହୋଇଥିଲା । ମାତ୍ର ଅନ୍ୟ ଓପନର ରାହୁଲ ଓ ଅଧିନାୟକ ପାଡିକଲ ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଏହି ଯୋଡ଼ି ଭାଙ୍ଗିବା ପାଇଁ ଉତ୍ତରାଖଣ୍ଡ ବୋଲର ଉପାୟଶୂନ୍ୟ ମନେ ହୋଇଥିଲେ । ଉଭୟ ଶତକ ଅର୍ଜନ କରିବା ସହ ଦ୍ୱିତୀୟ ୱିକେଟ୍ରେ ୨୭୮ରନ୍ର ଭାଗିଦାରୀ ଗଢ଼ିଥିଲେ । ଦଳୀୟ ସ୍କୋର ୨୯୬ରେ ରାହୁଲଙ୍କ ୱିକେଟର ପତନ ଘଟିଥିଲା । ସେ ୧୧ଚୌକା ଓ ୫ଛକା ବଳରେ ୧୪୧ ରନ୍ କରିଥିଲେ । ପରବର୍ତ୍ତୀ ବ୍ୟାଟର କରୁଣ ନାଏର କ୍ରିଜରେ ଯୋଗଦେଇ ପାଡିକଲଙ୍କୁ ଭରପୂର ସହାୟତା କରିଥିଲେ । ଉଭୟ ଷ୍ଟମ୍ପ ଘୋଷଣା ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୨/୩୫୫ରେ ପହଞ୍ଚାଇଥିଲେ । ପାଡିକଲ ୧୪୮ (୧୬ଚୌକା, ୨ଛକା) ଓ ନାଏର ୩୭ (୫ଚୌକା, ୧ଛକା) ରନ୍ କରିଥିଲେ ।
25TH FIRST CLASS HUNDRED FOR KL RAHUL.
— Mufaddal Vohra (@mufaddal_vohra) February 15, 2026
- Century in the Quarter Finals.
- Century in the Semi Finals.
KL coming clutch for Karnataka!
pic.twitter.com/WEKMR243Bl
ବେଙ୍ଗଲ-ଜମ୍ମୁ ଓ କାଶ୍ମୀର: ଦ୍ୱିତୀୟ ସେମିରେ ବ୍ୟାଟିଂ ଆମନ୍ତ୍ରଣ ପାଇ ବେଙ୍ଗଲ ୪ ରନ୍ରେ ଓପନର ସୁଦୀପ ଚାଟ୍ଟାର୍ଜୀଙ୍କ (୦) ୱିକେଟ୍ ହରାଇଥିଲା । ଅନ୍ୟ ଓପନର ଅଭିମନ୍ୟୁ ଈଶ୍ୱରନ ଓ ଘରାମି ସାହସିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଉଭୟ ସ୍କୋରକୁ ୮୯ରେ ପହଞ୍ଚାଇବା ପରେ ଈଶ୍ୱରନ ବ୍ୟକ୍ତିଗତ ୪୯ (୬ଚୌକା, ୧ଛକା) ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ସହଳ ଆଉ ୨ଟି ୱିକେଟ୍ ହରାଇଥିଲା । ସୂରଜ ସିନ୍ଧୁ ଜୈସ୍ୱାଲ (୦) ଓ ଅନୁସ୍ତୁପ ମଜୁମଦାର (୧୪) ବିଫଳ ହୋଇଥିଲେ । ଅଲରାଉଣ୍ଡର ସାହାବାଜ ଅହମ୍ମଦ ସତର୍କତାର ସହ ବ୍ୟାଟିଂ କରିଥିଲେ । ଅନ୍ୟ ପଟରେ ଘରାମି ୧୪୪ ବଲ୍ରେ ଶତକ ପୂରଣ କରିଥିଲେ । ଉଭୟ ସ୍କୋରକୁ ୫/୨୪୯ରେ ପହଞ୍ଚାଇବା ପରେ ସାହାବାଜ ଆଉଟ୍ ହୋଇଥିଲେ ଏବଂ ଦିବସର ଷ୍ଟମ୍ପ ଘୋଷଣା ହୋଇଥିଲା । ଘରାମି ୧୯ଚୌକା ଓ ୧ଛକା ବଳରେ ୧୩୬ରନ୍ କରିଥିଲେ ।