ନୂଆଦିଲ୍ଲୀ ୦୭/୧୨: ବିଶ୍ୱର ଶୀର୍ଷ ଶକ୍ତିଶାଳୀ ନେତାଙ୍କ ଭବ୍ୟ ସ୍ୱାଗତ ପାଇଁ ସ୍ୱତନ୍ତ୍ର ଖ୍ୟାତି ଅର୍ଜନ କରିଛି ଦିଲ୍ଲୀର ହାଇଦ୍ରାବାଦ ହାଉସ୍ । ସଦ୍ୟ ଶେଷ ହୋଇଥିବା ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏହି ରାଜ ମହଲ । ଏ ଅବସରରେ ଭାରତ ଗସ୍ତରେ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଥିଲା ଐତିହାସିକ ହାଇଦ୍ରାବାଦ ହାଉସ୍ ।

ଆମେରିକାଠୁ ଫ୍ରାନ୍ସ... ବିଶ୍ୱର ଶୀର୍ଷ ରାଷ୍ଟ୍ରନେତା ଯେତେବେଳେ ବି ଭାରତ ଆସନ୍ତି, ସର୍ବପ୍ରଥମେ ହାଇଦ୍ରାବାଦ୍ ହାଉସ୍‌ର ଆତିଥ୍ୟ ଲାଭ କରନ୍ତି । ଏହା ପଛରେ ଏକ ରାଜକୀୟ ଇତିହାସ ରହିଛି, ଯେଉଁଥିରେ ହାଇଦ୍ରାବାଦର ଶେଷ ନିଜାମଙ୍କ ବିଳାସପୂର୍ଣ୍ଣ ଜୀବନ, ଇଂରେଜ ସରକାରଙ୍କ ରାଜନୈତିକ ବାଧ୍ୟବାଧକତା ଏବଂ ସ୍ୱାଧୀନୋତ୍ତର ଭାରତୀୟ କୂଟନୀତିର ପରିବର୍ତ୍ତିତ ଚିତ୍ର ସାମିଲ । ଏ କାହାଣୀ ପରାଧୀନ ଭାରତର । ସେତେବେଳେ ଭାରତରେ ୫୬୦ରୁ ଉଦ୍ଧ୍ୱର୍ ଗଡ଼ଜାତ ରାଜ୍ୟ ଥିଲା । ଏହି ରାଜ୍ୟଗୁଡ଼ିକର ମାମଲା ସମାଧାନ ଲାଗି ବ୍ରିଟିଶ ସରକାର ୧୯୨୦ରେ ‘ଚାମ୍ବର୍ ଅଫ୍ ପ୍ରିନ୍ସେସ୍’ ଗଠନ କଲେ । ଏଥିପାଇଁ ଦିଲ୍ଲୀରେ ପ୍ରତିଦିନ ବୈଠକ ଆୟୋଜିତ ହେଲା । ଯେତେବେଳେ କୌଣସି ରାଜ୍ୟର ମୁଖିଆଙ୍କୁ ଡକାଯାଉଥିଲା, ତାଙ୍କ ରହଣିର ଉଚିତ୍ ପ୍ରବନ୍ଧନରେ ବଡ଼ ସମସ୍ୟା ଉପୁଜୁଥିଲା । ହାଇଦ୍ରାବାଦର ଶେଷ ନିଜାମ ମୀର ଉସ୍ମାନ ଅଲି ଖାନ୍ ଏ ନେଇ ଏତେ ଚିନ୍ତିତ ହୋଇପଡ଼ିଲେ ଯେ ଦିଲ୍ଲୀରେ ନିଜର ଏକ ସ୍ଥାୟୀ ଠିକଣା ନିର୍ମାଣ ଲାଗି ସ୍ଥିର କଲେ । ଅନେକ ମାସ ଧରି ସ୍ଥାନ ଖୋଜିବା ପରେ ରାଷ୍ଟ୍ରପତି ଭବନ ନିକଟରେ ପ୍ରାୟ ୧୨ ଏକର ଜମି ଉପରେ ତାଙ୍କ ନଜର ପଡ଼ିଲା । ସେ ଜାଗାଟିକୁ କିଣିନେଲେ । ମହଲର ଡିଜାଇନ୍ ପ୍ରସ୍ତୁତ ହୋଇଗଲା, କିନ୍ତୁ ତାହା ନିଜାମଙ୍କୁ ଆଦୌ ପସନ୍ଦ ଆସିଲାନି । ଚୂଡ଼ାନ୍ତ ମହଲକୁ ନେଇ ସେ ଖୁସି ହେଲେ ନାହିଁ । ସେଥିପାଇଁ କଦାପି ଏହାକୁ ନିଜର ଘର ମାନିଲେ ନାହିଁ ।

ନିର୍ମାଣରେ ପାଣି ଭଳି ଟଙ୍କା ଖର୍ଚ୍ଚ

ମହଲ ନିର୍ମାଣରେ ଏଭଳି ଅର୍ଥ ଖର୍ଚ୍ଚ ହେଲା, ଯେମିତି କୌଣସି ଆଧୁନିକ ରାଜ୍ୟ ନିର୍ମାଣ ହେଉଛି । ଆରମ୍ଭରୁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା, ଯାହା ପରେ ବଢ଼ି ୫୦ ଲକ୍ଷ ଏବଂ ତା’ପରେ କୋଟିରେ ପହଞ୍ଚିଲା । ସେତେବେଳେ ଏହି ଅଙ୍କ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ମହଲସାଜସଜ୍ଜା ଲାଗି ବର୍ମାରୁ ସାଗୁଆନ କାଠ ମଗାଗଲା । ନ୍ୟୁୟର୍କରୁ ଇଲେକ୍ଟ୍ରିକାଲ ଫିଟିଙ୍ଗ୍ ଆସିଲା । ଇଞ୍ଜିନିୟରିଂ ଡିଜାଇନ୍ କାମ ଲଣ୍ଡନର ଦୁଇ ପ୍ରସିଦ୍ଧ କମ୍ପାନିକୁ ହସ୍ତାନ୍ତର କରାଗଲା । ମହଲର କାନ୍ଥ ବିଶ୍ୱର କଳାକୃତିରେ ସଜେଇ ହେଲା । ୧୭ ଅନ୍ତର୍ଜାତୀୟ ଚିତ୍ରକଳା କିଣାଗଲା । ଲାହୋରର ଅବଦୁଲ ରହମାନ ଚୁତଗାଈଙ୍କର ୩୦ ହାତ ତିଆରି ଚିତ୍ରକଳା ମଗାଗଲା । ଇରାକ, ତୁର୍କୀ ଓ ଆଫଗାନିସ୍ତାନରୁ କାର୍ପେଟ୍ ଆସି ବଖରାଗୁଡ଼ିକୁ ସଜାଗଲା । ସେତିକି ନୁହେଁ, ଡାଇନିଂ ହଲ୍ ଏତେ ବିଶାଳ କରାଗଲା ଯେ ଏକସଙ୍ଗେ ୫୦୦ ଅତିଥି ରାଜକୀୟ ଅନ୍ଦାଜ୍ରେ ଭୋଜନ କରିପାରିବେ । ବାସନ, କପ୍-ପ୍ଲେଟ୍... ସବୁ ରୁପାର ।

କେମିତି ହେଲା ‘ସଫ୍ଟ ପାୱାର୍’ର ପ୍ରତୀକ

ସ୍ୱାଧୀନତା ପରେ ଗଡ଼ଜାତ ରାଜ୍ୟସବୁ ଭାରତର ଅଂଶ ହେଲେ ଏବଂ ଧୀରେ ଧୀରେ ସେମାନଙ୍କ ସମ୍ପତ୍ତି ବି ସରକାରଙ୍କ ଅଧିକାରକୁ ଆସିଲା । ୧୯୪୫ରେ ବିଦେଶ ମନ୍ତ୍ରଣାଳୟ ହାଇଦ୍ରାବାଦ ହାଉସ୍କୁ ଲିଜ୍‌ରେ ନେଲା ଏବଂ କୂଟନୈତିକ ସାକ୍ଷାତକାର ପାଇଁ ଏହାର ଉପଯୋଗ ଆରମ୍ଭ କଲା । କିଛି ଦଶନ୍ଧି ପରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହେଲା, ଯେଉଁଥିରେ ଦିଲ୍ଲୀରେ ଆନ୍ଧ୍ର ଭବନ ନିର୍ମାଣ ଲାଗି ଜାଗା ଦିଆଗଲା ଏବଂ ବଦଳରେ ହାଇଦ୍ରାବାଦ ହାଉସ୍ କେନ୍ଦ୍ରର ସ୍ଥାୟୀ ସମ୍ପତ୍ତି ହୋଇଗଲା । ଏହିଭଳି ଭାବେ ଯେଉଁ ଭବନ ଦିନେ ନିଜାମଙ୍କ ପାଇଁ ନିର୍ମିତ ହୋଇଥିଲା, ତାହା ଆଜି ଭାରତୀୟ ବିଦେଶ ନୀତିର ସବୁଠୁ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇଛି । ନିଜାମ ଉସ୍ମାନ ଅଲି ଖାନ୍‌ଙ୍କର ଏହି ଦାନ ଆଜି ଭାରତର ‘ସଫ୍ଟ ପାୱାର୍’ର ପ୍ରତୀକ ହୋଇଛି । ଯାହା ଦିନେ ରାଜକୀୟ ଭବ୍ୟତାର କେନ୍ଦ୍ର ଥିଲା, ତାହା ଆଜି ବିଶ୍ୱନେତାଙ୍କ ନିଷ୍ପତ୍ତି ସ୍ଥଳ ହୋଇଛି ।

ଧନ-କୁବେର ନିଜାମଙ୍କ ଦିଲ୍ଲୀ ଠିକଣା

 

ବିଶ୍ୱର ୨ୟ ସବୁଠୁ ଧନୀ ବ୍ୟକ୍ତି ଥିଲେ ହାଇଦ୍ରାବାଦର ଶେଷ ନିଜାମ ମୀର ଉସ୍ମାନ ଅଲି ଖାନ୍ । ତାଙ୍କ ଧନ-ସମ୍ପତ୍ତି ଓ ବୈଭବର କାହାଣୀ ଆଜି ବି ଇତିହାସର ପୃଷ୍ଠା ମଣ୍ଡନ କରୁଛି । କୁହାଯାଏ, ତାଙ୍କ ପାଖରେ ଏତେ ମୋତି ଥିଲା ଯେ ସେଥିରେ ଅଲିମ୍ପିକ୍ ଆକାର ସ୍ୱିମିଂ ପୁଲ୍ ଭରିଯିବ । ସେତିକି ନୁହେଁ, ହାଇଦ୍ରାବାଦରେ ତାଙ୍କର ଅନେକ ମହଲ ଥିଲା, ଯାହାର ସମକକ୍ଷ କେହି ନୁହନ୍ତି । ନିଜାମଙ୍କ ବିଷୟରେ ଆହୁରି କୁହାଯାଉଥିଲା, ୯୦୦ କୋଟି ମୂଲ୍ୟର ହୀରାକୁ ସେ ପେପର୍ ୱେଟ୍ ଭାବେ ବ୍ୟବହାର କରୁଥିଲେ । ବ୍ରିଟିଶ ସରକାର ଯେତେବେଳେ ରାଜଧାନୀକୁ କଲିକତାରୁ ଦିଲ୍ଲୀ ସ୍ଥାନାନ୍ତର କଲେ, ଅନେକ ରାଜ୍ୟ ନିଜର ପରିଚୟ ସୃଷ୍ଟି ଲାଗି ଦିଲ୍ଲୀରେ ବଙ୍ଗଳା ନିର୍ମାଣର ଇଚ୍ଛା ପ୍ରକାଶ କଲେ । ନିଜାମ ସିଧା ଭାଇସରାୟ ହାଉସ୍ ନିକଟରେ ‘ପ୍ରିନ୍ସେସ୍ ପାର୍କ’ରେ ଜାଗା ମାଗିଲେ । ବ୍ରିଟିଶ ସରକାର ତୁରନ୍ତ ଅନୁମତି ଦେଲେ ନାହିଁ । ଶେଷରେ ୫ ରାଜ୍ୟ- ହାଇଦ୍ରାବାଦ, ବଡୋଦ୍ରା, ପଟିୟାଲା, ଜୟପୁର ଓ ବିକାନେରକୁ କିଙ୍ଗ୍ ୱେରେ ଜାଗା ଦିଆଗଲା ।

ବିଶ୍ୱସ୍ତରୀୟ ଭବ୍ୟତା

ସମୟ ବିତିବା ସହିତ ହାଇଦ୍ରାବାଦ ହାଉସ୍ର ଭବ୍ୟତା ଓ ପ୍ରତିଷ୍ଠା ମଳିନ ପଡ଼ିନି, ବରଂ ବିଶ୍ୱସ୍ତରୀୟ ପରିଚୟ ଲାଭ କରିଛି । ଏହାର ସୁଉଚ୍ଚ ତୋରଣ, ଗୋଲାକାର ହଲ୍, ଚମତ୍କାର କାଠ କାମ ଓ ରାଜକୀୟ ସାଜସଜ୍ଜା ଆଜି ବି ଅନୁଭବ କରାଏ ଯେ ଏହା କୌଣସି ସାଧାରଣ ଭବନ ନୁହେଁ, ବରଂ ଇତିହାସର ଏକ ବିରାଟ ଅଧ୍ୟାୟରେ ପ୍ରବେଶ କରୁଛି । ଏହାର ସଂରଚନା ଏଭଳି ଯେ ଔପଚାରିକ ବୈଠକମାନଙ୍କରେ ଏହାର ସମ୍ମାନ ସ୍ୱାଭାବିକ ଭାବେ ବଢ଼ିଯାଏ । ସୁରକ୍ଷା ଓ ପ୍ରୋଟୋକଲ ଦୃଷ୍ଟିରୁ ମଧ୍ୟ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ଦ୍ୱୀପାକ୍ଷିକ ବୈଠକ ନିମନ୍ତେ ଉପଯୁକ୍ତ ସ୍ଥାନ ମନେକରାଯାଏ । ଭାରତର କୂଟନୈତିକ ଶକ୍ତି ଓ ସାଂସ୍କୃତିକ ଧରୋହରର ପ୍ରତୀକ ଭାବେ ଏହା ବିଶ୍ୱପ୍ରସିଦ୍ଧ ହୋଇଛି ।

ଲୁଟିୟନ୍ସଙ୍କ ସର୍ବୋତ୍କୃଷ୍ଟ ଡିଜାଇନ୍

ନିଜାମ ନିଜ ବଙ୍ଗଳା ପାଇଁ ପ୍ରସିଦ୍ଧ ବାସ୍ତୁକାର ଏଡ୍ୱିନ ଲୁଟିୟନ୍ସଙ୍କୁ ଚୟନ କଲେ । ତାଙ୍କର ଉଦ୍ଦେଶ୍ୟ ଥିଲା, ବଙ୍ଗଳା ଯେମିତି ଭାଇସରାୟ ହାଉସ୍ ଭଳି ଭବ୍ୟ ହେବ । ତେବେ ସରକାରଙ୍କ ଅନୁମତି ଯୋଗୁ ଲୁଟିୟନ୍ସ କେବଳ ମଝିରେ ଗମ୍ବୁଜ ଡିଜାଇନ୍ କଲେ । ବାକି ଡିଜାଇନ୍ ସମ୍ପୂର୍ଣ୍ଣ ଅଲଗା ଓ ନିଆରା ଢଙ୍ଗରେ ହେଲା । ହାଇଦ୍ରାବାଦ ହାଉସ୍କୁ ଲୁଟିୟନ୍ସଙ୍କ ସବୁଠୁ ଭବ୍ୟ ଡିଜାଇନ୍ କୁହାଯାଏ । ୧୯୨୧ରୁ ୧୯୩୧ ମଧ୍ୟରେ ଲୁଟିୟନ୍ସ ଦିଲ୍ଲୀରେ ଅନେକ ମହଲ ନିର୍ମାଣ କରିଥିଲେ, କିନ୍ତୁ ହାଇଦ୍ରାବାଦ ହାଉସ୍ ଭାଇସରାୟ ହାଉସ୍ ପରେ ସବୁଠୁ ଭବ୍ୟ ଓ ଆକର୍ଷଣୀୟ ଥିଲା । ଏହାର ଭବ୍ୟତା ଓ ଡିଜାଇନ୍ ନିଜାମଙ୍କ ଅମାପ ସମ୍ପତ୍ତି ଓ ସଉକକୁ ଦର୍ଶାଏ । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ନିଜାମଙ୍କ ସନ୍ତାନଙ୍କୁ ଏହା ଅତ୍ୟନ୍ତ ପାଶ୍ଚାତ୍ୟ ମନେହେଲା, ସେଥିପାଇଁ ସେମାନେ ଏଠାରେ କେବେ ରହିଲେ ନାହିଁ ।

ପ୍ରଜାପତି ଡିଜାଇନ୍

ହାଇଦ୍ରାବାଦ ହାଉସ୍ର ସ୍ୱତନ୍ତ୍ରତା ଏହାର ପ୍ରଜାପତି ଡିଜାଇନ୍ । ଏହି ମହଲ ୧୯୨୦ ଦଶକରେ ପ୍ରାୟ ୧୭୦ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା । ଏହାର ଦୁଇ ବଡ଼ ବଡ଼ ପଙ୍ଖ ସଡ଼କ ଅଭିମୁଖେ ପ୍ରସାର ହୋଇଛି । ପ୍ରବେଶ ଦ୍ୱାର ହେକ୍ସାଗନ୍ ଭଳି ଖୋଲେ । ଏହାର ଡିଜାଇନ୍କୁ ଦିଲ୍ଲୀର ସମସ୍ତ ରାଜକୀୟ ଅଟ୍ଟାଳିକା ମଧ୍ୟରୁ ସବୁଠୁ ଚମତ୍କାର ବୋଲି କୁହାଯାଏ । ୧୯୨୬-୨୮ ମଧ୍ୟରେ ମହଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।

୩୬ ବିଶାଳ ବଖରା..

ଆକର୍ଷଣୀୟ ଇଣ୍ଟିରିୟର ମହଲରେ ମୋଟ୍ ୩୬ ବଖରା ଅଛି । ଏଥିରେ ଅଗଣା, ଫୁଆରା, ଭବ୍ୟ ସିଡ଼ି, ୟୁରୋପୀୟ ଶୈଳୀର ଫାୟାରପ୍ଲେସ୍ ଓ ଆର୍କୱେ ରହିଛି । ଚଟାଣରେ ମାର୍ବଲର ସୁନ୍ଦର ଡିଜାଇନ୍ ହୋଇଛି । ଗୋଲ ଗମ୍ବୁଜ ଓ ୟୁରୋପରୁ ପ୍ରେରିତ ଝରକା ଏହାକୁ ଆହୁରି ସ୍ୱତନ୍ତ୍ର କରେ । ମହଲରେ ମହିଳାଙ୍କ ପାଇଁ ମହଲ ମଧ୍ୟ ଥିଲା, ଯେଉଁଥିରେ ଛୋଟ ଛୋଟ ବଖରାସବୁ ଥିଲା । ସେତେବେଳେ ସେଠାରେ କେବଳ ସାଧାରଣ ଆସବାବପତ୍ର ଥିଲା ଏବଂ ମହିଳାଙ୍କ ପାଇଁ ଗରମ ଓ ଥଣ୍ଡା ପାଣିର ସୁବିଧା ଥିଲା ।

ବିଶ୍ୱ ନେତାଙ୍କ ଆତିଥ୍ୟର କେନ୍ଦ୍ର

ଭାରତର କୂଟନୈତିକ ରାଜଧାନୀର କେନ୍ଦ୍ର ହାଇଦ୍ରାବାଦ ହାଉସ୍ରେ ବିଶ୍ୱର ତମାମ ଶୀର୍ଷ ନେତା ନିଜର ଉପସ୍ଥିତି ଦର୍ଶାଇଛନ୍ତି । ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ଜର୍ଜ ଡବ୍ଲ୍ୟୁ ବୁଶ୍, ବାରାକ ଓବାମା ଏଠାରେ ଦ୍ୱିପାକ୍ଷିକ ବାର୍ତ୍ତା ମାଧ୍ୟମରେ ବୈଶ୍ୱିକ ଭାଗିଦାରୀକୁ ମଜଭୁତ କରିଛନ୍ତି । ରୁଷ୍ ରାଷ୍ଟ୍ରପତି ପୁଟିନ ଅନେକ ଥର ଭାରତ ଗସ୍ତରେ ରକ୍ଷା ଓ ଉର୍ଜ୍ଜା ବୁଝାମଣାରେ ହସ୍ତାକ୍ଷର କରିଛନ୍ତି, ଯାହା ଭାରତ-ରୁଷ୍ ସମ୍ପର୍କର ମୂଳଦୁଆ ହୋଇଛି । ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଗୋର୍ଡନ ବ୍ରାଉନ୍ ତଥା ଥେରେସା ମେ ଏଠାରେ ବ୍ୟବସାୟିକ ବୁଝାମଣାକୁ ଆକାର ଦେଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଓ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଭଳି ଅନ୍ୟ ବଡ଼ ନେତା ମଧ୍ୟ ହାଇଦ୍ରାବାଦ ହାଉସ୍‌ର ଅତିଥି ହୋଇଛନ୍ତି । ମୋଟାମୋଟି ଭାରତ ଗସ୍ତରେ ଆସିଥିବା ପ୍ରାୟ ସମସ୍ତ ବିଦେଶୀ ଅତିଥିଙ୍କୁ ଭବ୍ୟ ଆତିଥ୍ୟ ପ୍ରଦାନ କରିଛି ହାଇଦ୍ରାବାଦ ହାଉସ୍ । ଇନ୍ଦିରା ଗାନ୍ଧୀ ମଧ୍ୟ ନଭେମ୍ବର ୧୯୮୩ରେ ବ୍ରିଟିଶ ମହାରାଣୀ ଏଲିଜାବେଥ୍ ୨ୟଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରିଥିଲେ । ଏଠାରେ ଦୁହେଁ ରାଜକୀୟ ଭୋଜିରେ ସାମିଲ ହୋଇଥିଲେ । କମନ୍ୱେଲ୍ଥ ଶିଖର ସମ୍ମିଳନୀ ସମୟରେ ଗୁପ୍ତ ଚର୍ଚ୍ଚା ମଧ୍ୟ କରିଥିଲେ ।

ହାଇ-ପ୍ରୋଫାଇଲ୍ ବୈଠକ

୧୯୪୭ରେ ଭାରତର ସ୍ୱାଧୀନତା ପରେ ଭାରତୀୟ ସଂଘରେ ହାଇଦ୍ରାବାଦ ରାଜ୍ୟର ବିଲୟ ହେଲା । ନିଜାମ ପ୍ରଥମେ ବିରୋଧ କଲେ, କିନ୍ତୁ ୧୯୪୮ରେ ‘ଅପରେସନ୍ ପୋଲୋ’ ପରେ ହାଇଦ୍ରାବାଦ ଭାରତରେ ସାମିଲ ହେଲା । ଏହା ପରେ ନିଜାମଙ୍କ ଦିଲ୍ଲୀ ଯିବା ଆସିବା କମିଗଲା । ଶେଷରେ ହାଇଦ୍ରାବାଦ ହାଉସ୍ ସରକାରଙ୍କ ସମ୍ପତ୍ତି ହୋଇଗଲା । ୧୯୭୪ରେ ଏହାକୁ ଔପଚାରିକ ରୂପେ ବିଦେଶ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଗଲା । ତା’ପରେ ଏହା ଭାରତ ପାଇଁ ‘ଷ୍ଟେଟ୍ ଭିଜିଟ୍ସ’ ଓ ହାଇ-ପ୍ରୋଫାଇଲ କୂଟନୈତିକ ବୈଠକଗୁଡ଼ିକର ମୁଖ୍ୟ କେନ୍ଦ୍ର ହେଲା । ଆଜି ହାଇଦ୍ରାବାଦ ହାଉସ୍ କେବଳ ଏକ ମହଲ ନୁହେଁ, ବରଂ ଇତିହାସ, ରାଜକୀୟ ବୈଭବ ଓ ଆଜିର ଭାରତର କୂଟନୀତିର ପ୍ରତୀକ ହୋଇଛି ।