କେବିସି ଲଟେରୀ ନାଁରେ ମହିଳାଙ୍କୁ ଠକେଇ, ସାଇବର ଅପରାଧୀ ଲୁଟି ନେଲେ ୩୯ ଲକ୍ଷ ଟଙ୍କା

ହାଇଦ୍ରାବାଦ,୬।୭: କେବିସି ଲଟେରୀ ନାଁରେ ହାଇଦ୍ରାବାଦର ଜଣେ ମହିଳାଙ୍କଠାରୁ ୩୯ ଲକ୍ଷ ଟଙ୍କାର ଲୁଟ୍। ହାଇଦ୍ରାବାଦ ସିଟିର ସାଇବର କ୍ରାଇମ୍ ପୋଲିସ ରାକେଶ କୁମାରଙ୍କୁ ଠକେଇ ଅଭିଯୋଗରେ ପାଟନାରୁ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ଖୈରତାବାଦରେ ରହୁଥିବା ଜଣେ ମହିଳାଙ୍କୁ ୨ ଅକ୍ଟୋବରରେ ଏକ ଫୋନ୍ କଲ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ କହିଥିଲା, ସେ କେବିସିରେ ଲଟେରୀ ଜିତିଛନ୍ତି। ଏହାକୁ ବାହାର କରିବାର ପକ୍ରିୟା ମଧ୍ୟ କହିଥିଲେ। ଫୋନ୍ କରିଥିବା ବ୍ୟକ୍ତି ଜଣକ ବିଭିନ୍ନ ଫି’ ବାବଦରେ ତାଙ୍କୁ ଟଙ୍କା ଦେବାକୁ କହିଥିଲେ। ଏପରିକି ବ୍ୟାଙ୍କର ମ୍ୟାନେଜର ଭାବରେ ଏହି ଗ୍ୟାଙ୍ଗର କିଛି ଲୋକ କଥା ହୋଇ ମହିଳାଙ୍କୁ ରାଜି କରାଯାଇଥିଲେ।
ମହିଳା ଜଣକ ଜଣେ ଗୃହିଣୀ। ସେ ଏହି ସାଇବର ଠକଙ୍କ କଥାରେ ପଡି ଲଟେରୀ ଟଙ୍କା ପାଇବା ଆଶାରେ ବିଭିନ୍ନ ପ୍ରକାର ଫି’ ଦେଇଥିଲେ। ସେ ଭିନ୍ନ ଭିନ୍ନ ଆକାଉଣ୍ଟକୁ ୩୯ ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ମହିଳା ଜଣଙ୍କୁ ଅନୁଭବ ହୋଇଥିଲା ହୁଏତ ସେ ଠକାମୀର ଶିକାର ହୋଇଛନ୍ତି। ଏହାପରେ ସେ ସାଇବର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ପାଟନାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ ମୋଟ ୧୬ଟି ମୋବାଇଲ ଜବତ କରିଥିବା ବେଳେ ୭୩ଟି ଡେବିଟ୍ କାର୍ଡ, ୩୦ଟି ସିନ୍, ୧୧ ଟି ବ୍ୟାଙ୍କ ପାସବୁକ୍ ଓ ଦୁଇଟି ଚେକବୁକ୍ ମଧ୍ୟ ଜବତ କରିଥିଲା। ପୋଲିସ ଲୋକମାନଙ୍କୁ ପରାମର୍ଶ ଦେଇଛି ଯେ, କେବିସି ନାଁରେ ଲଟେରୀ କିମ୍ବା ନାପଟଲ୍ ଲକି ଡ୍ର ସମ୍ପର୍କରେ ଯଦି କେହି ଅଜଣା ଲୋକ କୁହନ୍ତି ତେବେ ତାଙ୍କର ବିଶ୍ବାସ କରନ୍ତୁ ନାହିଁ।