ନୂଆଦିଲ୍ଲୀ : ବରିଷ୍ଠ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ରବିବାର ଦେଇଛନ୍ତି ଚେତାବନୀ। ସେ କହିଛନ୍ତି ଗୋଣ୍ଡାରେ ଆଗାମୀ ଜାତୀୟ ଓପନ ରାକିଂ କୁସ୍ତି ଟୁର୍ଣ୍ଣାମେଣ୍ଟ ବେଳେ ତାଙ୍କର କିମ୍ୱା ତାଙ୍କ ଟିମ୍‌ର ସଦସ୍ୟଙ୍କ ସହ କିଛି ମଧ୍ୟ ଅପ୍ରିୟ ଘଟଣା ହେବାରେ ଭାରତ ସରକାର ଦାୟୀ ହେବେ। ଏହାସହ ସେ ପ୍ରତିଯୋଗିତାରେ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତିର ଆଶଙ୍କା ମଧ୍ୟ କରିଛନ୍ତି। ଭିନେଶ ପ୍ରାୟ ୧୮ ମାସ ପରେ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଏକ ଭିଡ଼ିଓ ବାର୍ତ୍ତାରେ ଅଭିଯୋଗ ଲଗାଇଛନ୍ତି ଯେ, ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ସହ ଜଡ଼ିତ ସ୍ଥଳରେ ହେଉଥିବା ପ୍ରତିଯୋଗିତାର ପରିଣାମ ଉପରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ପ୍ରମୁଖ ନିକଟତମ ବ୍ୟକ୍ତି ପ୍ରଭାବ ପକାଇ ପାରନ୍ତି। ଅନ୍ୟପଟେ ଭିନେଶ ଖୁଲାସା କରିଛନ୍ତି ଯେ, ସେ ସେହି ଛଅ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ, ଯିଏ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ କରି ଥିଲେ।

ଭାରତ ସରକାର ଦାୟୀ ରହିବେ –

ଭିନେଶ କହିଛନ୍ତି, ପ୍ରତିଯୋଗିତା ବେଳେ ଯଦି ମୋର , ମୋ ଟିମ୍ କିମ୍ୱା ସମର୍ଥକଙ୍କ ସହ କୌଣସି ଅପ୍ରିୟ ଘଟଣା ଘଟେ ତ ଏଥିପାଇଁ ଭାରତ ସରକାର ଦାୟୀ ହେବେ। ସେ ପ୍ରତିଯୋଗିତା ବେଳେ ସ୍ୱଚ୍ଛତା ସ୍ପଷ୍ଟ କରିବା ପାଇଁ ମିଡିଆ ଓ ଖେଳ କମ୍ୟୁନିଟିକୁ ଆୟୋଜନ ସ୍ଥଳରେ ଉପସ୍ଥିତ ରହିବାର ଅନୁରୋଧ କରି ଥିଲେ। ଭିନେଶ କହିଥିଲେ – ଏହି ଟୁର୍ଣ୍ଣାମେଣ୍ଟ ଏମିତି ସ୍ଥାନରେ ଆୟୋଜନ କରାଯାଉଛି , ଯେଉଁଠି ତାଙ୍କର ( ବ୍ରିଜ ଭୂଷଣଙ୍କର) ଖୁବ୍ ପ୍ରଭାବ ରହିଛି। କେଉଁ ମୁକାବିଲାରେ କିଏ ରେଫରୀ ହେବ , କେତେ ମାର୍କ ଦିଆଯିବ , ମ୍ୟାଟ୍ ଚେୟାରମ୍ୟାନ କିଏ ହେବେ, ସବୁକିଛି ତାଙ୍କର ଓ ତାଙ୍କ ଲୋକଙ୍କ ନିୟନ୍ତ୍ରଣରେ ଅଛି।

ଗତ କିଛି ମାସରୁ ଅଭ୍ୟାସ କରୁଥିବା ଏହି ୩୧ ବର୍ଷିୟ ଖେଳାଳି କହିଛନ୍ତି ଯେ, ସେ ସଚ୍ଚୋଟତାର ସହ କୁସ୍ତିରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହାନ୍ତି ଏବଂ ଦେଶ ପାଇଁ ପୁଣି ଥରେ ପଦକ ଜିତିବାକୁ ଚାହାନ୍ତି , କିନ୍ତୁ ସେ ନିରପେକ୍ଷ ପ୍ରତିସ୍ପର୍ଦ୍ଧାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୋତେ କୌଣସି ପ୍ରକାରର ବିଶେଷାଧିକାର କିମ୍ୱା ବିଶେଷ ବ୍ୟବହାର ଦରକାର ନାହିଁ। ମୁଁ କେବଳ ଏତିକି ଚାହୁଁଛି କି ଫଳାଫଳ ପ୍ରଦର୍ଶନର ଅନୁକୂଳ ହେଉ।

​​​​​​​

ଉଲ୍ଲେଖନୀୟ ଯେ, ଭିନେଶ ଏବେ ଜଣେ ରାଜନୀତିଜ୍ଞ ମଧ୍ୟ , ଯିଏକି ଅକ୍ଟୋବର ୨୦୨୪ରେ କଂଗ୍ରେସ ଟିକେଟରେ ଜୁଲାନା ନିର୍ବାଚନ ଅଞ୍ଚଳରୁ ହରିଆଣା ରାଜ୍ୟ ବିଧାନସଭା ନିର୍ବାଚନ ଜିତି ଥିଲେ।

ଭିନେଶ ଏକ ଏମିତି ମାହୋଲରେ ପ୍ରତିସ୍ପର୍ଦ୍ଧା କରିବାକୁ ମାନସିକ ଚାପ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ,ଯାହାକୁ ସେ ଶତ୍ରୁତାପୂର୍ଣ୍ଣ ଦର୍ଶାଇଛନ୍ତି, କାରଣ ସେ ସିଂହଙ୍କ ବିରୋଧରେ ଚାଲିଥିବା ଯୌନ ନର୍ଯାତନା ମାମଲାରେ ଜଣେ ଅଭିଯୋଗକାରୀ। ଭିନେଶ ପୀଡ଼ିତାଙ୍କ ପରିଚୟ ଓ ଐତିହ୍ୟକୁ ନେଇ ଉଚ୍ଚତମ ନ୍ୟାୟାଳୟର ନୀତି ନିର୍ଦ୍ଦେଶର ଉଲ୍ଲେଖ କରି କହିଛନ୍ତି ଯେ, ପରିସ୍ଥିତି ଗୁଡ଼ିକର କାରଣରୁ ତାଙ୍କୁ ସାର୍ବଜନିକ ଭାବେ କହିବା ପାଇଁ ବାଧ୍ୟ ହେବାକୁ ପଡ଼ିଲା। ସେ କହିଥିଲେ , ମୁଁ ସେହି ଛଅ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରୁ ଜଣେ ଯିଏ ଅଭିଯୋଗ ରୁଜୁ କରାଇଛନ୍ତି। ମାମଲା ଏବେ କୋର୍ଟରେ ଅଛି ଏବଂ ସାକ୍ଷ୍ୟ ମାନଙ୍କୁ ପଚରାପଚରି ଚାଲିଛି। ଏହାସହ ଜଡ଼ିତ କିଛି ସ୍ଥାନରେ ପ୍ରତିସ୍ପର୍ଦ୍ଧା କରିବା, ଯେଉଁଠି ଅଧିକାଂଶ ଲୋକ ଏହାସହ ସମ୍ୱନ୍ଧିତ ହୋଇ ପାରନ୍ତି, ମୋ ଉପରେ ଅତ୍ୟଧିକ ମାନସିକ ଚାପ ପଡ଼ିଥାଏ। ଭିନେଶ କହିଛନ୍ତି, ମୋର ସନ୍ଦେହ ଯେ, ମୁଁ ଏହି ପରିବେଶରେ ନିଜର ଶତ ପ୍ରତିଶତ ଦେଇ ପାରିବି।