‘ଏଥର ମୁଁ ନିର୍ବାଚନ ଲଢିବି, ଦଳକୁ ଅନୁରୋଧ କରିଛି’: ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ ପରେ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ବର ୨୩/ ୦୧: ଲୋକସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ରହିଛି । ରାଜନୈତିକ ଦଳଗୁଡିକ ଏବେ ଠାରୁ ଆରମ୍ଭ କରିସାରିଲେଣି କସରତ୍ । ବିଜେପି ପୁଣି କ୍ଷମତାକୁ ଫେରିବାକୁ ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ । ପ୍ରମୁଖ ବିରୋଧୀ କଂଗ୍ରେସ ବ୍ୟାକ୍ଫୁଟ୍ରେ ଥିବାବେଳେ ଆଞ୍ଚଳିକ ଦଳଗୁଡିକ ଟକ୍କର ଦେବାକୁ ଅଣ୍ଟା ଭିଡିଲେଣି । ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣ କିଛି ଏଭଳି ସଙ୍କେତ ଦେଉଛି । ଅନ୍ୟପଟେ ଲୋକସଭା ନିର୍ବାଚନ ସହ ଓଡିଶା ସମେତ ଆଉ କିଛି ରାଜ୍ୟରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାରେ ଉଭୟ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ପାଇଁ ଚ୍ୟାଲେଞ୍ଜିଂ ହେବ । ଏହାରି ମଧ୍ୟରେ ବିଜେପିର ଫାୟାରବ୍ରାଣ୍ଡ ଲିଡର୍ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଅର୍ଥାତ ଧର୍ମେନ୍ଦ୍ରଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜେଡି ପାଇଁ ସହଜ ହେବନି ୨୪ ବିଜୟ ।
ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ପାଇଁ ବଡ ସଙ୍କେତ ଦେଇଛନ୍ତି । ସିଧାସଳଖ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ସଙ୍କେତ ଦେଇଛନ୍ତି ଧର୍ମେନ୍ଦ୍ର । ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସ୍ବତନ୍ତ୍ର ସାକ୍ଷାତକାରେ ପଚରାଯାଇଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ।
ଏ ଖବର ବି ପଢନ୍ତୁ: ଭାରତୀୟ ନାଗରିକତା ଛାଡ଼ିଛନ୍ତି ବହୁ ପ୍ରତିଷ୍ଠିତ ବ୍ୟକ୍ତି, ବିଦେଶ ମାଟିରେ ଉଡ଼ାଇଛନ୍ତି ସଫଳତାର ବାନା
ଆପଣ ଏଥର ନିର୍ବାଚନ ଲଢିବେ କି ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ମୁଁ ନିର୍ବାଚନ ଲଢିବା ପାଇଁ ଦଳର ନେତୃତ୍ବଙ୍କୁ ଅନୁରୋଧ କରିସାରିଛି । ଏଥର ମୁଁ ନିର୍ବାଚନ ଲଢିବି।’ ତେବେ ବିଧାନସଭା କି ଲୋକସଭା ପ୍ରଶ୍ନରେ, କୌଣସି ଉତ୍ତର ନରଖି ହାଲକା ହସି ଚୁପ୍ ରହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ସୋମବାର ସମ୍ବଲପୁର ସ୍ଥିତ ଖିଣ୍ଡାରେ ଅନୁଷ୍ଠିତ ୨୧୫ତମ ଜନ୍ମ ଜୟନ୍ତୀରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ଲଢିବା ନେଇ ଜାତୀୟ ଗଣମାଧ୍ୟମକୁ ସଙ୍କେତ ଦେବାପରେ ଖିଣ୍ଡାରେ ସାମ୍ବାଦିକଙ୍କ ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଲୋକସଭା ନିର୍ବାଚନ ଲଢିବି କି ବିଧାନସଭା ତାହା ଦଳ ନିଷ୍ପତ୍ତି ନେବ’। ଧର୍ମେନ୍ଦ୍ରଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ।

ସୂଚନା ଥାଉକି, ଶେଷଥର ପାଇଁ ୨୦୦୪ରେ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ତା’ ପୂର୍ବରୁ ୧୯୯୯ରୁ ୨୦୦୪ ଯାଏ ସେ ପାଲଲହଡାରୁ ବିଧାନସଭାକୁ ଆସିଥିଲେ । ୨୦୦୯ ପରଠାରୁ ସେ କୌଣସି ପ୍ରତ୍ୟେକ୍ଷ ନିର୍ବାଚନ ଲଢି ନାହାନ୍ତି । ଅନ୍ୟ ରାଜ୍ୟମାନଙ୍କରୁ ସେ କେବଳ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।