ଭୁବନେଶ୍ୱର ୨୯/୦୩: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍। ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିବା ସୂଚନା ମିଳିଛି। ସୁଜାତା କାର୍ତ୍ତିକେୟନ୍‌ଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ଜଣାପଡିଛି।

୨୦୦୦ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍। ୨୦୦୦ ମସିହାରେ ରାଜ୍ୟରେ ବିଜେଡ଼ି ସରକାର ଆସିବା ପରେ ସୁଜାତା କାର୍ତ୍ତିକେୟନଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ସହ ବିଭିନ୍ନ ବିଭାଗର ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜେଡ଼ିର ପରାଜୟ ହୋଇଥିଲା । ଆଉ ଶାସନ ଗାଦିକୁ ଆସିଥିଲା ବିଜେପି ସରକାର । 

ଏହାପରେ ୨୦୨୪ରେ ସୁଜାତା ଛଅ ମାସ ପାଇଁ ଛୁଟିରେ ରହିଥିଲେ । ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁର କରାଯାଇଥିଲା । କିନ୍ତୁ ତାଙ୍କ ଆବେଦନ ଅନୁସାରେ ଅଧିକ ଛଅ ମାସର ଛୁଟି ବୃଦ୍ଧି ପାଇଁ ରାଜ୍ୟ ସରକାର ମନା କରିଦେଇଥିଲେ । ଏହା ପରେ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । କିଛି ଦିନ ପରେ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। କେନ୍ଦ୍ର ସରକାର ତାଙ୍କ ଆବେଦନକୁ ମଞ୍ଜୁର କରିବଥିବା ସୂଚନା ମିଳିଛି। 

ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍। ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିଲେ । କିଛି ଦିନ ତଳେ ପାଣ୍ଡିଆନ୍ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଭିଆର୍‌ଏସ୍‌ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍‌ଙ୍କ ଆଭିମୁଖ୍ୟ କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।