PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୨୭ ବର୍ଷ ପରେ ଫାଇନାଲ୍‌ରେ ଇଂଲଣ୍ଡ

ବର୍ମିଂହାମ୍‌,୧୧ା୭(ଏଜେନ୍ସି): ସବୁ ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ଆୟୋଜକ ଇଂଲଣ୍ଡ ଚଳିତ ବିଶ୍ୱକପ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ଏଜବାଷ୍ଟନ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ସେମି ଫାଇନାଲ୍‌ ମୁକାବିଲାରେ ଇଂଲଣ୍ଡ ୮ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୨୨୩ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ୩୨.୧ ଓଭରରେ ୨ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ୨୦ ରନ୍‌ରେ ୩ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ରିସ୍‌ ୱକ୍ସ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।
ଏହି ବିଜୟ ସହ ଇଂଲଣ୍ଡ ଦୀର୍ଘ ୨୭ ବର୍ଷ ପରେ ବିଶ୍ୱକପ ଫାଇନାଲ୍‌ରେ ପ୍ରବେଶ କରିଛି । ପୂର୍ବରୁ ଇଂଲଣ୍ଡ ୧୯୭୯, ୧୯୮୭ ଓ ୧୯୯୨ ବିଶ୍ୱକପ୍‌ ଫାଇନାଲ୍‌ ଖେଳିଥିଲେ ହେଁ ପ୍ରତ୍ୟେକ ଥର ପରାସ୍ତ ହୋଇଥିଲା ।
ଏଥର ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡକୁ ଟାଇଟଲ ଦାବିଦାର ରୂପେ ବିବେଚନା କରାଯାଉଥିଲା । ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ରହିଥିବା ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନ(୧୪ରନ୍‌), ଶ୍ରୀଲଙ୍କା(୨୦ରନ୍‌) ଓ ଅଷ୍ଟ୍ରେଲିଆ(୬୪ରନ୍‌)ଠୁ ପରାଜିତ ହେବା ପରେ ସେମିରେ ପହଞ୍ଚିବା ନେଇ ଆଶଙ୍କା ଦେଖା ଦେଇଥିଲା । ଶେଷ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ଭାରତ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଇଂଲଣ୍ଡ ସେମିକୁ ଉନ୍ନୀତ ହୋଇଥିଲା । ସେମିରେ ଅଷ୍ଟ୍ରେଲିଆ ବିପକ୍ଷ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲା । ତାହା ପୁଣି ପୂର୍ଣ୍ଣ ଆଧିପତ୍ୟ ସହ । ୧୦୭ଟି ବଲ୍‌ ଓ ୮ ୱିକେଟ୍‌ ବାକି ଥାଇ ଇଂଲଣ୍ଡ ବିଜୟ ହାସଲ କରିଥିଲା ।

ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ ଆଜି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଇଂଲଣ୍ଡର ଦୁଇ ନୂଆ ବଲ୍‌ ବୋଲର କ୍ରିସ୍‌ ୱକ୍ସ ଓ ଜୋଫ୍ରା ଆର୍ଚର ପ୍ରାରମ୍ଭରୁ ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ୧୪ ରନ୍‌ରେ ଅଷ୍ଟ୍ରେଲିଆ ୩ଟି ୱିକେଟ୍‌ ହରାଇଥିଲା । ଦ୍ୱିତୀୟ ଓଭର୍‌ର ପ୍ରଥମ ବଲ୍‌ରେ ଅଧିନାୟକ ଆରୋନ୍‌ ଫିଞ୍ଚ ରନ୍‌ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ସେହିପରି ଦଳୀୟ ସ୍କୋର ୧୦ ଥିବାବେଳେ ଅନ୍ୟ ଓପନର ଡେଭିଡ୍‌ ୱାର୍ଣ୍ଣର(୯) ରନ୍‌ କରି ପାଭିଲିୟନ ଫେରିଥିଲେ । ପ୍ରଥମ ମ୍ୟାଚ୍‌ ଖେଳୁଥିବା ପିଟର ହ୍ୟାଣ୍ଡ୍‌ସକମ୍ବ ମାତ୍ର ୪ ରନ୍‌ କରିଥିବାବେଳେ ୱକ୍ସଙ୍କ ଦ୍ୱିତୀୟ ଶୀକାର ସାଜିଥିଲେ ।

ପ୍ରଥମ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଷ୍ଟିଭେନ ସ୍ମିଥ୍‌ଙ୍କ ସହ ଫର୍ମରେ ଥିବା ୱିକେଟ କିପର ଆଲେକ୍ସ କ୍ୟାରୀ କ୍ରିଜ୍‌ରେ ଯୋଗ ଦେଇ ସ୍ଥିତି ସୁଧାରିଥିଲେ । ସେ ଆର୍ଚରଙ୍କ ବଲ୍‌ରେ ଗୁରୁତର ଆହତ ହୋଇଥିଲେ ହେଁ କ୍ରିଜ୍‌ ଛାଡ଼ି ନଥିଲେ । ଅଷ୍ଟମ ଓଭରରେ ଆର୍ଚରଙ୍କ ଏକ ବାଉନ୍ସର କ୍ୟାରିଙ୍କ ହେଲ୍‌ମେଟ୍‌ ଗ୍ରିଲ୍‌(ଜାଲି)ରେ ବାଜିଥିଲା । ଚିବୁକ ଫାଟି ରକ୍ତସ୍ରାବ ହୋଇଥିଲେ ହେଁ ସେ କ୍ରିଜ୍‌ରେ ଜମି ରହି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଚତୁର୍ଥ ୱିକେଟ୍‌ରେ ଉଭୟ ୧୦୩ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୧୭ ବେଳେ ବ୍ୟକ୍ତିଗତ ୪୬(୪ଚୌକା) ରନ୍‌ କରି କ୍ୟାରି ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା । ହେଲେ ସ୍ମିଥ୍‌ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌(୨୨) ଓ ମିଚେଲ ଷ୍ଟାର୍କ(୨୯) ଉପଯୋଗୀ ବ୍ୟାଟିଂ କରିବାରୁ ଦଳୀୟ ସ୍କୋର ୨୨୩ରେ ପହଞ୍ଚିଥିଲା । ସ୍ମିଥ୍‌ ୧୧୯ଟି ବଲ୍‌ର ସାମ୍ନା କରି ୬ଟି ଚୌକା ବଳରେ ସର୍ବାଧିକ ୮୫ ରନ୍‌ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ୱକ୍ସ ଓ ଆଦିଲ ରସିଦ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ଆର୍ଚର ୨ଟି ୱିକେଟ୍‌ ନେଇଥିଲେ ।

ଅଷ୍ଟ୍ରେଲିଆର ପେସ୍‌ ବୋଲିଂ ବାହିନୀ ବିପକ୍ଷରେ ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ମଧ୍ୟ କଷ୍ଟକର ହେବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ଓପନର ଜାସନ ରୟଙ୍କ ଅଦ୍ଭୁତପୂର୍ବ ବ୍ୟାଟିଂ ଅଷ୍ଟ୍ରେଲିଆର ଷଷ୍ଠ ଟାଇଟଲ ଆଶାକୁ କିଛି କ୍ଷଣ ମଧ୍ୟରେ ମଉଳାଇ ଦେଇଥିଲା । ରୟ ଚୌକା ଓ ଛକାର ବର୍ଷା କରିଥିଲେ । ଅନ୍ୟ ପଟରେ ଜନି ବେୟାରଷ୍ଟୋ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ । ୧୭ ଓଭର ସୁଦ୍ଧା ଉଭୟ ଓପନର ଦଳୀୟ ସ୍କୋରକୁ ୧୨୪ରେ ପହଞ୍ଚାଇ ଦେଇଥିଲେ । ୧୮ତମ ଓଭରରେ ବେୟାରଷ୍ଟୋ(୩୨)ଙ୍କୁ ଆଉଟ୍‌ କରି ଷ୍ଟାର୍କ ଯୋଡି ଭାଙ୍ଗିଥିଲେ । ରୟଙ୍କୁ ଅଟକାଇବା ମୁସ୍କିଲ୍‌ ଥିଲା । ସେ ୬୫ଟି ବଲ୍‌ରୁ ୯ଟି ଚୌକା ଓ ୫ଛକା ବଳରେ ୮୫ ରନ୍‌ ସଂଗ୍ରହ କରିସାରିଥିଲେ । କମିନ୍ସଙ୍କ ଓଭରରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶୀକାର ହୋଇ ରୟ ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ଦୁଇ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ଓ ଇୟନ ମୋର୍ଗାନ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।

ସମ୍ବନ୍ଧିତ ଖବର