ବର୍ଷ ୨୦୨୨ ପାଇଁ ବିଶ୍ବ ଟେଷ୍ଟ ଏକାଦଶ ଘୋଷଣା କଲା ICC: ଭାରତରୁ ଜଣେ କ୍ରିକେଟର୍, ଅଷ୍ଟ୍ରେଲିଆରୁ ସର୍ବାଧିକ ୪ ଜଣ

ନୂଆଦିଲ୍ଲୀ ୨୪/ ୦୧: ଟି-୨୦ ଏବଂ ଦିନିକିଆ ପରେ ବର୍ଷ ୨୦୨୨ ପାଇଁ ବିଶ୍ବ ଟେଷ୍ଟ ଏକାଦଶ ( ICC Men’s Test Team of the Year 2022) ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) । ବର୍ଷର ଶ୍ରେଷ୍ଠ ଟେଷ୍ଟ ଏକାଦଶ ମଧ୍ୟରେ କେବଳ ଜଣେ ମାତ୍ର ଭାରତୀୟ ଖେଳାଳି ରହିଛନ୍ତି । ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କୁ ICC ଓ୍ବିକେଟ୍ କିପର ଏବଂ ବ୍ୟାଟର୍ ଭାବେ ସ୍ଥାନ ଦେଇଛି ।
ଗତ ବର୍ଷ ଋଷଭ ପନ୍ତ ମୋଟ ୧୨ଟି ଇନିଂସ ଖେଳି ୬୧.୮୧ ହାର ଏବଂ ୯୦.୯୦ ଷ୍ଟ୍ରାଇକ୍ ରେଟ୍ରେ ୬୮୦ ରନ୍ କରିଛନ୍ତି । ଯେଉଁଥିରେ ୨ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ରହିଛି । ସେହିଭଳି ଓ୍ବିକେଟ୍ ପଛରେ ରହି ୬ଟି ଷ୍ଟମ୍ପିଂ କରିଥିବା ବେଳେ ୨୩ଟି କ୍ୟାଚ୍ ଧରିଛନ୍ତି ।
ଇଂଲଣ୍ଡର ଭେଟେରାନ୍ କ୍ରିକେଟର ବେନ୍ ଷ୍ଟୋକସ୍ଙ୍କୁ ବିଶ୍ବ ଟେଷ୍ଟ ଏକାଦଶରେ ଅଧିନାୟକ ଭାବେ ନେଇଛି ଆଇସିସି । ତାଙ୍କ ନେତୃତ୍ବରେ ଇଂଲଣ୍ଡ ୯ଟି ଟେଷ୍ଟ ଜିତିସାରିଥିବା ବେଳେ ଦଳର ସନ୍ତୁଳନ ରକ୍ଷା କରିବାରେ ପେଶ୍ ସଫଳ ହୋଇଛନ୍ତି ଷ୍ଟୋକସ୍ । ଗତ ବର୍ଷ ସେ ଦୁଇଟି ଶତକ ସହ ମୋଟ ୮୭୦ ରନ ସଂଗ୍ରହ କରିଥିଲେ । ଏହା ସହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ଟି ଓ୍ବିକେଟ୍ ମଧ୍ୟ ନେଇଛନ୍ତି । ଅଷ୍ଟ୍ରେଲିଆରୁ ସର୍ବାଧିକ ୪ଜଣ ଖେଳାଳି ରହିଛନ୍ତି ।
ICCର ୨୦୨୨ ଟେଷ୍ଟ ଏକାଦଶ: ବେନ୍ ଷ୍ଟୋକସ୍ (ଅଧିନାୟକ) (ଇଂଲଣ୍ଡ), ବାବର ଆଜମ (ପାକିସ୍ତାନ), ଉସମାନ ଖାଓ୍ବାଜା (ଅଷ୍ଟ୍ରେଲିଆ), ମାର୍ନସ୍ ଲାବୁସେନ୍ (ଅଷ୍ଟ୍ରେଲିଆ), କ୍ରେଗ୍ ବ୍ରେଥଓ୍ବେଟ୍ (ଓ୍ବେଷ୍ଟଇଣ୍ଡିଜ), ଋଷଭ ପନ୍ତ (ଭାରତ), ଜନି ବୈୟାରିଷ୍ଟୋ (ଇଂଲଣ୍ଡ), ପାଟ୍ କମିନ୍ସ (ଅଷ୍ଟ୍ରେଲିଆ), ନାଥାନ୍ ଲାୟନ (ଅଷ୍ଟ୍ରେଲିଆ) କାଗିସୋ ରାବାଡା (ଦକ୍ଷିଣ ଆଫ୍ରିକା) ଏବଂ ଜେମସ୍ ଆଣ୍ଡରସନ୍ (ଇଂଲଣ୍ଡ)