୨୦୨୨ ପାଇଁ ICCର ଟି-୨୦ ଟିମ୍: ଭାରତରୁ ସର୍ବାଧିକ ୩ ଜଣ ଖେଳାଳି, ପାକିସ୍ତାନରୁ…

ନୂଆଦିଲ୍ଲୀ ୨୩/ ୦୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପକ୍ଷରୁ ସୋମବାର ୨୦୨୨ ବର୍ଷ ପାଇଁ ଟ୍ବେଣ୍ଟି ଟ୍ବେଣ୍ଟି ଟିମ୍ ବା ବିଶ୍ବ ଏକାଦଶ ଘୋଷଣା କରାଯାଇଛି । ଯେଉଁଥିରେ ୩ ଜଣ ଭାରତୀୟଙ୍କୁ ସାମିଲ କରିଛି ଆଇସିସି । ୩ ଭାରତୀୟ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଧିକ ପାଣ୍ଡ୍ୟା । ଗତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡର ଅଧିନାୟକ ଭାର ସମ୍ଭାଳିଥିବା ଜୋସ୍ ବଟଲରଙ୍କୁ ICC ଅଧିନାୟକ ଭାବେ ନେଇଛି । ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଆଇସିସି ବିଶ୍ବର ଶ୍ରେଷ୍ଠ ଏକାଦଶରେ ସାମିଲ କରିଛି ।
ଆଇସିସି ଟ୍ବେଣ୍ଟି ଟ୍ବେଣ୍ଟି ଟିମ୍-୨୦୨୨ରେ ଭାରତରୁ ସର୍ବାଧିକ ୩ ଜଣ ଖେଳାଳି ରହିଛନ୍ତି । ସେହିଭଳି ପାକିସ୍ତାନ ଓ ଇଂଲଣ୍ଡରୁ ୨ ଜଣ ଲେଖାଏଁ ରହିଥିବା ବେଳେ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, ଜିମ୍ବାଓ୍ବେ ଏବଂ ଶ୍ରୀଲଙ୍କାରୁ ଜଣେ ଲେଖାଏଁ କ୍ରିକେଟର ବିଶ୍ବ ଏକାଦଶରେ ରହିଛନ୍ତି । କୋହଲିଙ୍କୁ ସାମିଲ କରିବା ନେଇ ଆଇସିସି କହିଛି ଯେ, ୨୦୨୨ରେ ବିରାଟ କୋହଲି ତାଙ୍କ ପୁରୁଣା ଫର୍ମକୁ ଫେରିଥିଲେ । ଏସିଆ କପ୍ରେ ପୁରୁଣା ଅନ୍ଦାଜରେ ନଜର ଆସିଥିଲେ । ୫ଟି ମ୍ୟାଚ୍ରୁ ୨୭୬ ରନ କରିଥିଲେ ବିରାଟ କୋହଲି । ୩ ବର୍ଷ ଧରି ଜାରି ରଖିଥିବା ସଂଘର୍ଷରେ ବିରାମ ଲଗାଇ ଦମଦାର ଫର୍ମକୁ ଫେରିଥିଲେ ରନ୍ ମେସିନ୍ ।
ସେହିଭଳି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ରେ ମଧ୍ୟ ସ୍ମରଣୀୟ ଇନିଂସ ଖେଳିଥିଲେ କୋହଲି ଯାହାକି ପ୍ରତିଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଚୀରଦିନ ପାଇଁ ରହିବ । ପାକିସ୍ତାନ ବିପକ୍ଷରେ କୋହଲି ଖେଳିଥିବା ୮୨ ରନର ନଟଆଉଟ୍ ଇନିଂସ କ୍ରିକେଟ ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ହୋଇ ରହିବ । ଗତ ବିଶ୍ବକପରେ କୋହଲି ମୋଟ ୨୯୬ ରନ କରିଥିଲେ ଯାହାକି ସର୍ବାଧିକ ଥିଲା ।
ସେହିଭଳି ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୦୨୨ ସିିଜିନରେ ବିଶ୍ବରେ ସର୍ବାଧିକ ରନ୍ ସ୍କୋରର ରହିଥିଲେ । ଗତ ବର୍ଷ ମୋଟ ୧୧୬୪ ରନ କରିଥିଲେ ସ୍କାଏ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ସୂର୍ଯ୍ୟ ୧୮୯.୬୮ ଷ୍ଟ୍ରାଇକ୍ ରେଟ୍ରେ ମୋଟ ୨୩୯ ରନ କରିଥିଲେ । ଯାହାର ପୁରସ୍କାର ସ୍ବରୂପ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ସୂର୍ଯ୍ୟକୁମାର ଯାଦବ ଏବେ ନମ୍ବର ଓ୍ବାନ୍ ବ୍ୟାଟର୍ର ଆକ୍ଷା ଅର୍ଜନ କରିଛନ୍ତି ।
ICC ଚୟନ କରିଥିବା ଟି-୨୦ ବିଶ୍ବ ଏକାଦଶ: ଜୋସ୍ ବଟଲର (ଅଧିନାୟକ) (ଇଂଲଣ୍ଡ), ମହମ୍ମଦ ରିଜଓ୍ବାନ୍ (ପାକିସ୍ତାନ), ବିରାଟ କୋହଲି (ଭାରତ), ସୂର୍ଯ୍ୟକୁମାର ଯାଦବ (ଭାରତ), ଗ୍ଲେନ୍ ଫିଲିପ୍ସ (ନ୍ୟୁଜିଲାଣ୍ଡ), ସିକନ୍ଦର ରାଜା (ଜିମ୍ବାଓ୍ବେ), ହାର୍ଦ୍ଧିକ ପାଣ୍ଡ୍ୟା (ଭାରତ), ସାମ୍ କରନ୍ (ଇଂଲଣ୍ଡ), ଓ୍ବାନିନ୍ଦୁ ହାସାରଙ୍ଗା (ଶ୍ରୀଲଙ୍କା), ହାରିସ୍ ରୌଫ୍ (ପାକିସ୍ତାନ), ଜୋସ୍ ଲିଟିଲ୍ (ଆୟର୍ଲାଣ୍ଡ)