କଲମ୍ବୋ,୧୭/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍ର ୧୮ତମ ଲିଗ ମ୍ୟାଚରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୪ଟି ମ୍ୟାଚ୍ ଖେଳି ୨ ପଏଣ୍ଟ ଅର୍ଜନ କରିଥିବା ଶ୍ରୀଲଙ୍କାକୁ ସେମିରେ ପହଞ୍ଚିବାକୁ ହେଲେ ଶେଷ ୩ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ସମ୍ପ୍ରତି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି । ଶୁକ୍ରବାର ଆଉ ଏକ ବିଜୟ ସହ ଦଳ ଦ୍ୱିତୀୟକୁ ଉଠିବାକୁ ପ୍ରୟାସ କରିବ।
କଲମ୍ବୋରେ ବର୍ଷା ଯୋଗୁଁ ଲଗାତର ୨ଟି ମ୍ୟାଚ୍ ବାତିଲ ହୋଇ ସାରିଛି । ଶ୍ରୀଲଙ୍କା- ନ୍ୟୁଜିଲାଣ୍ଡ ଓ ପାକିସ୍ତାନ-ଇଂଲଣ୍ଡ ମୁକାବିଲା ସମ୍ପୂର୍ଣ୍ଣ ହୋଇପାରି ନଥିଲା । ଶୁକ୍ରବାର ମଧ୍ୟ ବର୍ଷା ଖଳନାୟକ ସାଜିବାର ଆଶଙ୍କା ରହିଛି । ଶ୍ରୀଲଙ୍କାର ପ୍ରମୁଖ ବ୍ୟାଟରମାନେ ଫର୍ମକୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଚାମରି ଆଟ୍ଟାପଟୁ ଓ ନୀଳକ୍ଷିକା ସିଲଭା ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ଭିଷ୍ମୀ ଗୁଣରତ୍ନେ ଓ ହାସିନି ପେରେରା ଉପଯୋଗୀ ପାଳି ଖେଳିଥିଲେ ।
ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବା ଭଳି ସ୍ପିନ୍ ବୋଲିଂ ବିଭାଗ ମଧ୍ୟ ଶ୍ରୀଲଙ୍କା ନିକଟରେ ରହିଛି । ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଭାଗ ସଦୃଢ଼ ରହିଛି । ସ୍ପିନ ବୋଲିଂ ବିଭାଗ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ ଜାରି ରଖିଛି । ତଥାପି ଟସ୍ ଉପରେ ସବୁ ନିର୍ଭର କରିବ । ଲୌରା ଉଲଭାର୍ଟ ଶ୍ରୀଲଙ୍କା ବିପକ୍ଷରେ ୫୪୬ ରନ ସଂଗ୍ରହ କରିସାରିଛନ୍ତି । ତାଙ୍କ ବ୍ୟାଟିଂ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି ।
ଶ୍ରୀଲଙ୍କା ପକ୍ଷରୁ ନୀଳକ୍ଷିକାଙ୍କ ଉପରେ ନଜର ରହିବା ସ୍ୱାଭାବିକ । ବିଳମ୍ବରେ ହେଉ ପଛେ, ସେ ଫର୍ମକୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେଣୁ ତାଙ୍କ ବ୍ୟାଟ୍ରୁ ଆଉ ଏକ ବଡ଼ ଇନିଂସ ଆଶା କରାଯାଉଛି । ଶୁକ୍ରବାର ଆଟ୍ଟାପଟୁ ଆଉ ୧୨ ରନ କଲେ ଦିନିକିଆରେ ୪୦୦୦ ରନ ପୂରଣ କରିବେ ।
ପ୍ରେମଦାସା ଷ୍ଟାଡ଼ିୟମ୍ର ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର ନିୟମିତ ବର୍ଷା ଯୋଗୁଁ ପିଚ୍ରେ ଆଦ୍ରତା ଭରି ରହିଥିବ । ନୂଆ ବଲ୍ରେ ପେସ୍ ବୋଲରମାନେ ମଧ୍ୟ ପିଚ୍ର ଫାଇଦା ଉଠାଇ ପାରିବେ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇ ପିଚ୍ର ଫାଇଦା ଉଠାଇବା ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଦକ୍ଷିଣ ଆଫ୍ରିକା: ଲୌରା ଉଲଭାର୍ଟ (ଅଧିନାୟିକା), ତଜମିନ୍ ବ୍ରିଟ୍ସ, ଆନେକି ବସ୍କ, ଆନେରି ଡେରେକସେନ, ମାରିଜନେ କାପ୍, ସିନାଲୋ ଜାଫ୍ଟା, ଚୋଲେ ଟ୍ରିୟନ, ନାଦିନ ଡି କ୍ଲର୍କ, ମାସାବତା କ୍ଲାସ, ନନ୍କୁଲୁଲେକୋ ମଲାବା, ଟୁମି ସେଖୁଖୁନେ ।
ଶ୍ରୀଲଙ୍କା: ହାସିନି ପେରେରା, ଚାମରି ଆଟ୍ଟାପଟୁ (ଅଧିନାୟିକା), ହର୍ଷିତା ସମରବିକ୍ରମା, ଭିଷ୍ମୀ ଗୁଣରତ୍ନେ, କବିଶା ଦିଲହାରୀ, ନୀଳକ୍ଷିକା ସିଲଭା, ଅନୁଷ୍କା ସଞ୍ଜିବନୀ, ଦେଓମି ବିହଙ୍ଗା, ସୁଗନ୍ଧିକା କୁମାରୀ, ଉଦେଶିକା ପ୍ରବୋଧିନୀ, ଇନୋକା ରଣାବୀରା ।