ଦୁବାଇ – ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ୨୦୨୪ ରେ ଭାରତୀୟ ମହିଳା ଟିମ୍‌ର ଆରମ୍ଭ ଭଲ ହୋଇ ନାହିଁ। ୪ ଅକ୍ଟୋବର (ଶୁକ୍ରବାର) ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇ ଥିବା ମୁକାବିଲାରେ , ଭାରତକୁ ୫୮ ରନରେ ହରାଇଛି ନ୍ୟୁଜିଲ୍ୟାଣ୍ଡ। ଉକ୍ତ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ଭାରତୀୟ ଟିମ୍‌କୁ ବିଜୟ ପାଇଁ ୧୬୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା , ଏହାର ପିଛା କରି ଭାରତ ୧୯ ଓଭରରେ ୧୦୨ ରନ୍‌ରେ ରହି ଥିଲା। 

ନ୍ୟୁଜିଲ୍ୟାଣ୍ଡର ମହିଳା ଟିମ୍‌ ଏହି ବିଜୟ ସହ ମହିଳା ଟି-୨୦ ଇଣ୍ଟରନ୍ୟାସନାଲରେ ଲଗାତାର ପରାଜୟର ଧାରାକୁ ଭାଙ୍ଗି ଦେଇଛି । ଏହି ମ୍ୟାଚର ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବାରମ୍ୱାର ୧୦ ଟି ମ୍ୟାଚ୍‌ରେ ହାରିବାକୁ ପଡିଥିଲା, ଏବେ ଭାରତୀୟ ଟିମ୍‌ ଗ୍ରୁପ୍‌-ଏର ନିଜର ଦ୍ୱିତୀୟ ମୁକାବିଲାରେ ୬ ଅକ୍ଟୋବର (ରବିବାର) ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ମୁକାବିଲା କରିବ। 

ମୁକାବିଲାରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୪ ୱିକେଟ୍‌ରେ ୧୬୦ ରନ୍‌ କରିଥିଲା। ଅଧିନାୟକ ସୋଫି ଡିଭାଇନ ୩୬ ବଲରେ ଅପରାଜେୟ ୫୭ ରନ କରିଥିଲେ ,ଯେଉଁଥିରେ ୭ଟି ଚୌକା ରହିଛି। ଭାରତ ପକ୍ଷରୁ ରେଣୁକା ସିଂହ ସବୁଠୁ ଅଧିକ ୨ ୱିକେଟ୍‌ ନେଇଥିଲେ।

ନ୍ୟୁଜିଲ୍ୟାଣ୍ଡର ଟାର୍ଗେଟର ପିଛା କରି ଭାରତୀୟ ଟିମ୍‌ ଲଗାତାର ଅନ୍ତରାଳରେ ୱିକେଟ୍ସ ହରାଇ ଥିଲା ଏବଂ ଗୋଟିଏ ବି ବଡ଼ ପାର୍ଟନରସିପ୍‌ ହୋଇ ପାରି ନଥିଲା। ଅଧିନାୟକ ହରମନପ୍ରିତ କୌର ସବୁଠୁ ଅଧିକ ୧୫ ରନ୍‌  କରି ପାରିଥିଲେ।