କଲମ୍ବୋ,୮/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଆଜି ପାକିସ୍ତାନକୁ ଭେଟିବାକୁ ଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମୁକାବିଲା ଭଳି ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଧିପତ୍ୟ ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଅଷ୍ଟ୍ରେଲିଆ ପ୍ରସ୍ତୁତ ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ହାରି ସାରିଥିବା ପାକିସ୍ତାନ ବିଜୟ ଖାତା ଖୋଲିବାକୁ ତତ୍ପର । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଆଶା କରାଯାଉଛି । ପୂର୍ବ ରେକର୍ଡ ଓ ବର୍ତ୍ତମାନର ଫର୍ମକୁ ଦେଖିଲେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି ରହିବା ନିଶ୍ଚିତ । ମାତ୍ର ପାକିସ୍ତାନ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି ।

ବିଶେଷ କରି ଦ୍ୱିତୀୟ ଭାଗରେ ବ୍ୟାଟିଂ ସୁଯୋଗ ମିଳିଲେ ପାକିସ୍ତାନ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିବ । ଉଭୟ ଦଳ ୧୬ଟି ଦିନିକିଆ ଖେଳିଛନ୍ତି ଓ ଅଷ୍ଟ୍ରେଲିଆ ସମସ୍ତ ମ୍ୟାଚ ଜିତିଛି । ଶେଷ ଥର ପାଇଁ ଉଭୟ ଦଳ ୨୦୨୩ରେ ଏକ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲେ । ଅଷ୍ଟ୍ରେଲିଆ ଯଥାକ୍ରମେ ୮ ୱିକେଟ୍‌, ୧୦ ୱିକେଟ୍‌ ଓ ୧୦୧ ରନ୍‌ରେ ୩ଟି ଯାକ ମ୍ୟାଚ୍‌ ଜିତିଥିଲା । ୨୦୧୬ ପରେ ଅଷ୍ଟ୍ରେଲିଆ ପ୍ରଥମ କରି କଲମ୍ବୋରେ ଖେଳିବାକୁ ଯାଉଛି । ଗତ ଶନିବାର ଦିନ ଏହି ଗ୍ରାଉଣ୍ଡ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ପାକିସ୍ତାନ ୨ଟି ଯାକ ମ୍ୟାଚ୍‌ ଏହି ଗ୍ରାଉଣ୍ଡରେ ଖେଳି ସାରିଥିବାରୁ ପିଚ୍‌ ସହ ପରିଚିତ ହୋଇସାରିଛି । ଫଳରେ ଆଜି ଉନ୍ନତ ପ୍ରଦର୍ଶନ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ରହିଛି ।

ପାକିସ୍ତାନର ବ୍ୟାଟିଂ ବିଭାଗ ମୁଖ୍ୟତଃ ସିଦ୍ରା ଅମିନଙ୍କ ଉପରେ ନିର୍ଭର କରିବ । ଗତ ଭାରତ ବିପକ୍ଷରେ ସେ ୮୧ ରନ୍‌ର ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଟାଇଟଲ ଦାବିଦାର ଅଷ୍ଟ୍ରେଲିଆର ପ୍ରମୁଖ ଅଲରାଉଣ୍ଡର ଆସଲି ଗାର୍ଡନର ନ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶତକ ଅର୍ଜନ କରି ଚମତ୍କାର ଫର୍ମରେ ରହିଥିବା ପ୍ରମାଣ କରିସାରିଛନ୍ତି । ସେହିପରି ବେଥ୍‌ ମୁନି ପାକିସ୍ତାନ ବିପକ୍ଷରେ ୮ଟି ମ୍ୟାଚ୍‌ ଖେଳି ୨୭୯ ରନ ସଂଗ୍ରହ କରିଛନ୍ତି । ପ୍ରେମଦାସା ଷ୍ଟାଡ଼ିୟମ ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିଲେ ହେଁ ଆସନ୍ତାକାଲି ପାଗ ଶୁଖିଲା ରହିବାର ସମ୍ଭାବନା ଥିବାରୁ ବ୍ୟାଟିଂ ପାଇଁ ବେଶ୍‌ ସହାୟକ ହେବ । ପୂର୍ବ ୨ଟି ମ୍ୟାଚ୍‌ ସମୟରେ କୋହଲା ପାଗ ସତ୍ତେ୍ୱ ପିଚ୍‌ରୁ ସ୍ପିନରମାନେ ଭରପୁର ଫାଇଦା ଉଠାଇଥିଲେ । ଆଜି ପ୍ରଥମ ଭାଗରେ ସ୍ପିନରଙ୍କ ଆଧିପତ୍ୟ ଦେଖିବାକୁ ମିଳିବ । ରାତ୍ରିରେ କାକର ପଡ଼ୁଥିବାରୁ ଓଦା ବଲ୍‌ରେ ଦ୍ରୁତ ରନ ବାହାରି ପାରିବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ ଅଷ୍ଟ୍ରେଲିଆ: ଆଲିସା ହିଲି (ଅଧିନାୟିକା), ଫୋଏବ ଲିଚଫିଲ୍ଡ, ଏଲିସ ପେରୀ, ବେଥ ମୁନି, ଆନାବେଲ ସୁଦରଲାଣ୍ଡ, ଆସଲି ଗାର୍ଡନର, ତଲିୟା ମ୍ୟାକଗ୍ରା, ଶୋଫି ମୋଲିନକ୍ସ, ଆଲାନା କିଙ୍ଗ, କିମ ଗାର୍ଥ, ଡାର୍ସି ବ୍ରାଉନ/ମେଗାନ ସ୍କଟ୍‌ ।

ପାକିସ୍ତାନ: ମୁନିବା ଅଲି, ଓମାଇମା ସୋହେଲ/ସଦାଫ ସମାସ, ସିଦ୍ରା ଅମିନ, ଆଲିୟା ରିୟାଜ, ନାତାଲିୟା ପରଭେଜ, ଫାତିମା ସାନା (ଅଧିନାୟିକା), ରମିଣ ଶମିମ, ଡାଏନା ବେଗ, ସିଦ୍ରା ନୱାଜ, ନସ୍ରା ସାନ୍ଧୁ, ସାଦିଆ ଇକବାଲ ।