ଆଜିଠୁ ଭାରତର ଲଢ଼େଇ

ସାଉଥମ୍ପଟନ, ୪ ।୬ (ଏଜେନ୍ସି): ସମୟ ଯେତିକି ପାଖେଇ ଆସୁଛି, ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ଦ୍ୱାଦଶତମ ଦିନିକିଆ ବିଶ୍ୱକପ୍ରେ ୭ଟି ମ୍ୟାଚ୍ ଖେଳ ଶେଷ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇ ନାହିଁ । ହେଲେ ଅପେକ୍ଷାର ମୁହୂର୍ତ୍ତ ଶେଷ ହୋଇ ଆସୁଛି । ବୁଧବାର ଅପରାହ୍ଣ ୩ଟା (ଭାରତୀୟ ସମୟ)ରେ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କାଲି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।
ଚଳିତ ବିଶ୍ୱକପ୍ର ସପ୍ତମ ମ୍ୟାଚ୍ରେ ଆଜି ଆଫଗାନିସ୍ତାନକୁ ଭେଟିଥିଲା ଶ୍ରୀଲଙ୍କା । ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଶ୍ରୀଲଙ୍କା ୩୪ ରନ୍(ଡି/ଏଲ୍ ନିୟମ)ରେ ବିଜୟୀ ହୋଇଛି ।ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ଅଧିନାୟକ ବିରାଟ କୋହଲି । ସେ କହିଛନ୍ତି, ‘ଦଳ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ଗ୍ରୁପ୍ ପର୍ଯ୍ୟାୟରୁ ଆମେ ଭଲ ପ୍ରଦର୍ଶନ କରି ଜିତିବୁ । ଇତି ମଧ୍ୟରେ ବିଶ୍ୱକପ୍ର ଗୋଟିଏ ସପ୍ତାହ ଖେଳ ଶେଷହୋଇଛି । କିଛି ମ୍ୟାଚ୍ ଏକତରଫା ରହିଥିବାବେଳେ ଆଉ କିଛି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହୋଇଛି । ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରାଜୟରୁ ଦଳ ବହୁତ କିଛି ଶିଖିଛି । ଆମେ କେମିତି ଖେଳିବୁ ତାହା ଜାଣିଛୁ । ମଧ୍ୟଭାଗ ଓଭରରେ ୱିକେଟ୍ ପାଇବା ପାଇଁ ଆମେ ରିଷ୍ଟ ସ୍ପିନର ଆଣିଛୁ । ଯେଉଁ ଦଳ ଭଲ କରିବ ସେହି ଦଳ ଚାମ୍ପିଅନ ହେବ । ଚାମ୍ପିଅନ୍ସ ଟ୍ରଫି ଦଳଠୁ ଏଥର ଆମ ଦଳ ବେଶ ଶକ୍ତିଶାଳୀ ରହିଛି ।’
ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଆୟୋଜକ ଇଂଲଣ୍ଡକୁ ଭେଟିଥିଲା । ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଉଭୟ ବୋଲିଂ ଓ ବ୍ୟାଟିଂରେ ବିଫଳ ହୋଇ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ପୁଣି ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶକୁ ଭେଟିଥିଲା । ବାଂଲାଦେଶକୁ ନିୟନ୍ତ୍ରଣ କରିବାରେ ଦକ୍ଷିଣ ଆଫ୍ରିକା ଫେଲ୍ ମାରିଥିଲା । ଆକର୍ଷଣୀୟ ବ୍ୟାଟିଂ ଓ ବୋଲିଂ କରି ବାଂଲାଦେଶ ଚଳିତ ବିଶ୍ୱକପ୍ରେ ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକା ଉନ୍ନତ ପ୍ରଦର୍ଶନ କରି ଭାରତ ବିପକ୍ଷରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛି ।
ଦକ୍ଷିଣ ଆଫ୍ରିକାର ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ଆହତ ସମସ୍ୟା ଦୂର ହେବାର ନାଁ ଧରୁନି । ଯୁବ ପେସ୍ ବୋଲର ଲୁଙ୍ଗି ଏନ୍ଗିଡ଼ି ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ଆହତ ହୋଇଥିଲେ । ସେ ଆସନ୍ତାକାଲିର ମ୍ୟାଚ୍ ଖେଳିବେ ନାହିଁ । ସେହିପରି ଇଂଲଣ୍ଡ ବିପକ୍ଷରେ ଆହତ ହୋଇଥିବା ଓପନର ହାସିମ ଆମଲା ଏପର୍ଯ୍ୟନ୍ତ ଫିଟ୍ ହୋଇ ପାରି ନାହାନ୍ତି । ଏସବୁ ସମସ୍ୟାକୁ ବାହାରିବାକୁ ଦକ୍ଷିଣ ଆଫ୍ରିକା ଚିନ୍ତା କରୁଥିବା ବେଳେ ପ୍ରସିଦ୍ଧ ପେସ୍ ବୋଲର ଡେଲ ଷ୍ଟେନ୍ କୌଣସି ମ୍ୟାଚ୍ ଖେଳିବା ପୂର୍ବରୁ ସ୍ୱଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତି ।
ଗତ ଆଇପିଏଲ୍ ସମୟରେ ଷ୍ଟେନ୍ ଆହତ ହୋଇଥିଲେ । ଫିଟ୍ ନଥିବା ସତ୍ତେ୍ୱ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ଦିଆଯାଇଥିଲା । ଭାରତ ବିପକ୍ଷରେ ଖେଳିବା ଆଶା ରହିଥିଲା । ହେଲେ ଏପର୍ଯ୍ୟନ୍ତ ଫିଟ୍ ହୋଇ ନପାରିବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ୍ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ଡାକରା ମିଳିଛି ।
ଭାରତୀୟ ଦଳ ପାଇଁ ବର୍ତ୍ତମାନ ଶ୍ରେଷ୍ଠ ସୁଯୋଗ । ମନୋବଳ ହରାଇ ସାରିଥିବା ଦକ୍ଷିଣ ଆଫ୍ରିକାକୁ ହରାଇବା କଷ୍ଟକର ହେବ ନାହିଁ । କେବଳ ସ୍ଥାନୀୟ ଜଳବାୟୁ ଓ ପାଗ ପ୍ରତି ସତର୍କ ରହିବାକୁ ପଡ଼ିବ । ସାଉଥମ୍ପଟନ୍ରେ ଆସନ୍ତାକାଲି ପାଗ କୋହଲା ରହିବ । ତେଣୁ ପ୍ରାରମ୍ଭରୁ ବଲ୍ ସୁଇଂ ହେବା ନିଶ୍ଚିତ । ଏଭଳି ପରିସ୍ଥିତିରେ ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।