ନୂଆଦିଲ୍ଲୀ, ୨/୨ : ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚ ପାକିସ୍ତାନ ବର୍ଜନ କରିବା ଖବର ସବୁଠି ଚର୍ଚ୍ଚାର ବିଷୟ । ପିସିବିକୁ ଆଇସିସି ସେମାନଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ କହିଥିବାବେଳେ ପାକିସ୍ତାନ ଏଯାବତ କୌଣସି ନିଷ୍ପତ୍ତି ଶୁଣାଇନାହିଁ । କୁହାଯାଉଛି କି, ପାକିସ୍ତାନ ଯଦି ନିଜ ଜିଦରେ ରହେ ତାହେଲେ ବହୁ କ୍ଷତି ସହିବ । ଆଇସିସି ମଧ୍ୟ ଅନେକ କ୍ଷତି ସହିବ । ତେବେ ଆସନ୍ତୁ ଜାଣନ୍ତୁ ବିଶ୍ବକପ ଇତିହାସରେ କେଉଁମାନେ ପୂର୍ବରୁ ବର୍ଜନ କରିଛନ୍ତି ମ୍ୟାଚ୍ ଏବଂ କଣ ହୋଇଛି କାର୍ଯ୍ୟାନୁଷ୍ଠାନ ?
୧୯୯୬ ମସିହାରେ ଭାରତ,ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା ବିଶ୍ବକପ । ଯେଉଁଥିରେଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କାରେ ମ୍ୟାଚ ଖେଳିବାକୁ ସିଧାସିଧା ମନା କରିଦେଇଥିଲେ । ସେତେବେଳେ ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ୯୧ ଜଣ ପ୍ରାଣ ହରାଇଥିବାବେଳେ ଏଠାରେ ମ୍ୟାଚକୁ ବର୍ଜନ କରିଥିଲେ । ସୁରକ୍ଷା ଚିନ୍ତା ପ୍ରକଟ କରିଥିଲେ ଏହି ଦୁଇ ଦେଶ । ଆଇସିସି ଏମାନଙ୍କ ଦାବି ଶୁଣିଥିଲା । ତଥାପି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ମାତ୍ର ସେମାନେ ନିଜର ପଏଣ୍ଟ ଛାଡ଼ିଥିଲେ । ସୌଭାଗ୍ୟ ବଶତଃ ସେଥର ଶ୍ରୀଲଙ୍କା ଚାମ୍ପିୟନ ହୋଇଥିଲା ।
୨୦୦୩ ବିଶ୍ବକପ ସମୟରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମାନଙ୍କ ମ୍ୟାଚ ବର୍ଜନ କରିଥିଲେ । ଇଂଲଣ୍ଡ ଜିମ୍ବାୱେରେ ସେମାନଙ୍କର ଯୋଜନାବଦ୍ଧ ମ୍ୟାଚ୍ ବର୍ଜନ କରିଥିଲା। ସେତେବେଳେ ଜିମ୍ବାୱେ ରାଜନୈତିକ ଅସ୍ଥିରତା ଅନୁଭବ କରୁଥିଲା, ଯାହା ଫଳରେ ଇଂଲଣ୍ଡ ଉପରେ ମ୍ୟାଚ୍ ବର୍ଜନ କରିବାକୁ ଚାପ ପଡ଼ିଥିଲା । ଶେଷରେ, ମ୍ୟାଚ୍ ର ଗୋଟିଏ ଦିନ ପୂର୍ବରୁ, ସୁରକ୍ଷା ଚିନ୍ତାକୁ ଦର୍ଶାଇ ଇଂଲଣ୍ଡ ଖେଳିବାକୁ ମନା କରିଦେଲା। ନ୍ୟୁଜିଲାଣ୍ଡ ମଧ୍ୟ ସୁରକ୍ଷା ଚିନ୍ତାକୁ ଦର୍ଶାଇ କେନିଆରେ ଖେଳିବାକୁ ମନା କରିଥିଲା । ବାଧ୍ୟହୋଇ ଏମାନେ ଦୁଇ ପଏଣ୍ଟ ଛାଡ଼ିଥିଲେ ।
ଏବେ ପ୍ରଶ୍ନ ଉଠୁଛି ଭାରତ ବିପକ୍ଷରେ ମ୍ୟାଚକୁ ବର୍ଜନ କରିଛି ପାକିସ୍ତାନ, ଏଣୁ ଏହି ଦଳ ବିପକ୍ଷରେ କଣ ନିଆଯିବ ପଦକ୍ଷେପ । ନାଁ ପୂର୍ବରୁ ଯେଭଳି ଇତିହାସରେ ରହିଛି କେବଳ ପଭଏଣ୍ଟ ଛାଡ଼ିବାକୁ ବାଧ୍ୟ ହେବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପାକିସ୍ତାନ ପୂର୍ବରୁ ସୁରକ୍ଷା ଚିନ୍ତା କହିଥିବାବେଳେ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବାକୁ ରହିଛି । ଭାରତରେ ବାକି ଦଳ ଖେଳୁଥିବାବେଳେ ବାଂଲାଦେଶ ସପକ୍ଷରେ ଏଭଳି ନିଷ୍ପତ୍ତି ନେଉଥିବା ପାକିସ୍ତାନ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି ।
ଏହାସହ ପଢ଼ନ୍ତୁ : ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତିକୁ ବଦଳାଇପାରେ ପାକିସ୍ତାନ, ସଙ୍କେତ ଦେଲେ ପୂର୍ବତନ କ୍ରିକେଟର