ନୂଆଦିଲ୍ଲୀ, ୨୮।୪: ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ (JEE Main 2026)ର ଫଳାଫଳ ପ୍ରକାଶ ପାଇବା ପରେ ଏବେ ସାରା ଦେଶର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଇଞ୍ଜିନିୟରିଂ ଆଡମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଦେଶର ପ୍ରତିଷ୍ଠିତ IIT ଏବଂ NIT ବ୍ୟତୀତ ଛାତ୍ରଛାତ୍ରୀଙ୍କର ଅନ୍ୟତମ ପ୍ରଥମ ପସନ୍ଦ ହେଉଛି IIIT (Indian Institute of Information Technology)। ବିଶେଷ କରି କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚରେ ନାମ ଲେଖାଇବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ଆପଣଙ୍କର JEE Main ରାଙ୍କ୍ ଅନୁସାରେ ଆପଣ କେଉଁ IIITରେ ସିଟ୍ ପାଇପାରିବେ ଏବଂ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କଟ୍-ଅଫ୍ କେତେ ରହିବ ସେ ବିଷୟରେ ଆସନ୍ତୁ ଜାଣିବା ।

IIITରେ କମ୍ପ୍ୟୁଟର ସାଇନ୍ସ ପାଇଁ କେତେ ରାଙ୍କ୍ ଆବଶ୍ୟକ ?

JoSAA (Joint Seat Allocation Authority) କାଉନସେଲିଂର ଗତ କିଛି ବର୍ଷର ଡାଟା ଅନୁସାରେ, ଟପ୍ IIIT ଗୁଡ଼ିକରେ କମ୍ପ୍ୟୁଟର ସାଇନ୍ସ ପାଇଁ କଟ୍-ଅଫ୍ ବହୁତ ଅଧିକ ରହିଥାଏ । ଟପ୍ IIITs (ଇଲାହାବାଦ, ଗ୍ୱାଲିଅର୍, ଜବଲପୁର)ରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କ୍ଲୋଜିଂ ରାଙ୍କ୍ ପ୍ରାୟ ୧,୫୦୦ ରୁ ୧୦,୦୦୦ ମଧ୍ୟରେ ରହିଥାଏ । ଓବିସି ବର୍ଗ ପାଇଁ ରାଙ୍କ୍ ୩,୦୦୦ ରୁ ୧୫,୦୦୦ ମଧ୍ୟରେ ଥିଲେ କମ୍ପ୍ୟୁଟର ସାଇନ୍ସ ମିଳିବା ସମ୍ଭାବନା ଥାଏ । SC ବର୍ଗରେ ୧୦,୦୦୦ ରୁ ୪୦,୦୦୦ ରାଙ୍କ୍ ମଧ୍ୟରେ ଆଡମିଶନ ମିଳିପାରେ । ST ବର୍ଗରେ ୨୦,୦୦୦ ରୁ ୭୦,୦୦୦ କିମ୍ବା ତା’ଠାରୁ ଅଧିକ ରାଙ୍କରେ ମଧ୍ୟ ସୁଯୋଗ ମିଳିଥାଏ । ନୂଆ କରି ଖୋଲିଥିବା IIIT ଗୁଡ଼ିକରେ ଜେନେରାଲ୍ ବର୍ଗର ପିଲାଙ୍କୁ ୨୦,୦୦୦ ରୁ ୩୫,୦୦୦ ରାଙ୍କ୍ ପର୍ଯ୍ୟନ୍ତ କମ୍ପ୍ୟୁଟର ସାଇନ୍ସ ବ୍ରାଞ୍ଚ ମିଳିବାର ନଜିର ରହିଛି ।

ସଂରକ୍ଷଣର ଫାଇଦା କିପରି ମିଳେ ?

IIIT ଗୁଡ଼ିକରେ ଆଡମିଶନ ସମୟରେ କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତି ପାଳନ କରାଯାଇଥାଏ । ଏଥିରେ ଜେନେରାଲ୍ ବର୍ଗ ତୁଳନାରେ OBC-NCL, SC, ST ଏବଂ EWS ବର୍ଗର ପିଲାଙ୍କୁ କମ୍ ସ୍କୋର ବା ଅଧିକ ରାଙ୍କରେ ମଧ୍ୟ ଭଲ କଲେଜ ମିଳିଥାଏ ।

ହୋମ୍ ଷ୍ଟେଟ୍ କୋଟା: କିଛି IIIT ରେ ପ୍ରାୟ ୫୦ ପ୍ରତିଶତ ସିଟ୍ ସେହି ନିର୍ଦ୍ଦିଷ୍ଟ ରାଜ୍ୟର ପିଲାଙ୍କ ପାଇଁ ସଂରକ୍ଷିତ ଥାଏ, ଯାହା ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଅଳ୍ପ ର୍ୟାଙ୍କ୍ ପାର୍ଥକ୍ୟରେ ସୁବିଧା ମିଳେ । ଗତ ବର୍ଷର ଆକଳନ ଅନୁଯାୟୀ, ଗ୍ୱାଲିଅର୍ IIIT ରେ ଜେନେରାଲ୍ କଟ୍-ଅଫ୍ ୫,୫୧୪ ରୁ ୭,୮୩୫ ଥିବାବେଳେ, SC ବର୍ଗ ପାଇଁ ଏହା ୧,୫୨୦ ରୁ ୧,୯୦୫ ଏବଂ ST ବର୍ଗ ପାଇଁ ୬୬୦ ରୁ ୯୩୩ ମଧ୍ୟରେ ରହିଥିଲା । ଛାତ୍ରଛାତ୍ରୀମାନେ JoSAA ର ଅଫିସିଆଲ୍ ୱେବସାଇଟ୍ josaa.admissions.nic.in ମାଧ୍ୟମରେ ପ୍ରତି ବର୍ଷର ଓପନିଂ ଏବଂ କ୍ଲୋଜିଂ ର୍ୟାଙ୍କ୍ ଯାଞ୍ଚ କରିବା ଉଚିତ୍ । ପ୍ରଥମ ରାଉଣ୍ଡ କାଉନସେଲିଂରେ ହିଁ ଅଧିକାଂଶ କମ୍ପ୍ୟୁଟର ସାଇନ୍ସ (CS) ସିଟ୍ ପୂରଣ ହୋଇଯାଉଥିବାରୁ, ଚଏସ୍ ଫିଲିଂ ସମୟରେ ସତର୍କ ରହିବା ଜରୁରୀ ।

ଆହୁରି ପଢ଼ନ୍ତୁ... ଏୟାରଲାଇନ୍ ଇଣ୍ଡଷ୍ଟ୍ରୀରେ ଫୁଏଲ ସଙ୍କଟ ? ଫ୍ଲାଇଟ୍ ସର୍ଭିସ୍ ଠପ୍ ହେବାର ବଡ଼ ବିପଦ ଆଶଙ୍କା