ଆଇଆଇଏମ୍ସି କନେକ୍ସନ- ୨୦୧୯: ପୁରାତନ ଛାତ୍ରଛାତ୍ରୀଙ୍କୁ ମିଳିବ ଚିକିତ୍ସା ସହାୟତା

ଭୁବନେଶ୍ୱର,୫ା୩(ବ୍ୟୁରୋ): ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମ୍ସି) ପୁରାତନ ଛାତ୍ରଛାତ୍ରୀଙ୍କୁ ଏଣିକି ଜରୁରୀକାଳୀନ ଚିକିତ୍ସା ସହାୟତା ମିଳିବ । ଆଇଆଇଏମ୍ସି ଆଲମିନି ଆସୋସିଏସନ୍ର କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ ବାର୍ଷିକ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ଏହି ପାଣ୍ଠିରୁ ଜରୁରୀ ଚିକିତ୍ସା ଲୋଡୁଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ତତ୍କାଳ ସହାୟତା ଯୋଗାଇ ଦିଆଯିବ । ରବିବାର ଭୁବନେଶ୍ୱରରେ ଆୟୋଜିତ ଆଇଆଇଏମ୍ସି କନେକ୍ସନ୍- ୨୦୧୯ ଅବସରରେ ଏଭଳି ଘୋଷଣା କରାଯାଇଛି । ଏଥିପାଇଁ ପୁରାତନ ଛାତ୍ରଛାତ୍ରୀଙ୍କୁ କୌଣସି ସ୍ୱତନ୍ତ୍ର ବୀମା କରିବାକୁ ପଡ଼ିବନି । ଆସୋସିଏସନ୍ ପାଖରେ ଖବର ପହଞ୍ଚିବା ମାତ୍ରେ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରୀୟ କମିଟିର ସଂଗଠନ ସମ୍ପାଦକ ରିତେଶ୍ ବର୍ମା ସୂଚନା ଦେଇଛନ୍ତି । ଏଥିସହ ଆଇଆଇଏମ୍ସିରେ ପଢୁଥିବା ଛାତ୍ରଙ୍କୁ ସ୍ୱତନ୍ତ୍ର ବୃତ୍ତି ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ପ୍ରଥମେ ଆଇଆଇଏମ୍ସି ଢ଼େଙ୍କାନାଳ ପରିସରରେ କନେକ୍ସନ-୨୦୧୯ ଆୟୋଜିତ ହୋଇଥିଲା । ଏ ଅବସରରେ ଭାରତ ଭୂଷଣ ପରିଡ଼ାଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସମ୍ମାନ, ସ୍ୱପ୍ନିଲ ଜୋଗଲକରଙ୍କୁ ପ୍ରଫେସର ବିବି ମହାନ୍ତି ସମ୍ମାନ ଓ ପ୍ରିୟଙ୍କା ଯୋଶୀଙ୍କୁ ପ୍ରଫେସର କେଏମ୍ ଶ୍ରୀବାସ୍ତବ ସମ୍ମାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଆଇଆଇଏମ୍ସି ନିର୍ଦ୍ଦେଶକ ମୃଣାଳ ଚାଟାର୍ଜୀ ଉପସ୍ଥିତ ଥିଲେ । ଆଇଆଇଏମ୍ସିର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସାମ୍ବାଦିତକା କ୍ଷେତ୍ରରେ ଅବଦାନ ପାଇଁ ୯ ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ଇଫ୍କୋ ଆଇଆଇଏମସିଏଏ ପୁରସ୍କାର ଦିଆଯାଇଥିଲା । କାର୍ଯ୍ୟନିର୍ବାହୀ ସଭାପତି ରିତେଶ ଆନନ୍ଦ୍, ୟୁପି ଚାପ୍ଟରର ସଂଗଠନ ସମ୍ପାଦକ କମଲେଶ ରାଠୋର୍, କେନ୍ଦ୍ରୀୟ କମିଟି ସଦସ୍ୟ ସ୍ନେହା ଭଟ୍ଟାଚାର୍ଯ୍ୟ ଓ ଦୀକ୍ଷା ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ କାର୍ଯ୍ୟକ୍ରମରେ ଆଇଆଇଏମସିଏ ଓଡ଼ିଶା ଚାପ୍ଟରର ସଭାପତି ସଞ୍ଜୟ ସାହୁ ସଭାପତିତ୍ୱ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ ।