ନୂଆଦିଲ୍ଲୀ ୦୭/୦୨: ପରବର୍ତ୍ତୀ ଭୟାନକ ସୁନାମି ମହାସାଗରରୁ ନୁହେଁ, ହିମାଳୟ ଶୃଙ୍ଗରୁ ଆସିବ, ଯେଉଁଠି ୩୧ ହଜାରରୁ ଉଦ୍ଧ୍ୱର୍ ବିସ୍ତୃତ ଗ୍ଲେସିୟର ହ୍ରଦ ତଳେ ୯୩ ଲକ୍ଷ ଲୋକ ଜୀବନଯାପନ କରୁଛନ୍ତି । ଆଇଆଇଟି ରୁର୍‌କିର ଅଧ୍ୟୟନକର୍ତ୍ତା ରବିନ୍ଦ୍ର କୁମାର ଓ ସୌରଭ ବିଜୟଙ୍କ ଯୁଗାନ୍ତକାରୀ ଅଧ୍ୟୟନ ଏହି ଆଶ୍ଚର୍ଯ୍ୟଚକିତ ତଥ୍ୟ ସାମ୍ନାକୁ ଆଣିଛି । ସାଇଣ୍ଟିଫିକ୍ ରିପୋର୍ଟସ୍‌ରେ ପ୍ରକାଶ ପାଇଥିବା ଏହି ଅଧ୍ୟୟନ ସ୍ପଷ୍ଟ କରିଛି, ୨୦୧୬ରୁ ୨୦୨୪ ମଧ୍ୟରେ ଗ୍ଲେସିୟର ହ୍ରଦ କ୍ଷେତ୍ରରେ ଉଚ୍ଚ ପର୍ବତ ଏସୀୟ କ୍ଷେତ୍ରର ୫.୫ ପ୍ରତିଶତ ବୃଦ୍ଧି ହୋଇଛି । ଉଚ୍ଚ ପର୍ବତ ଏସୀୟ କ୍ଷେତ୍ର ଏକ ବିଶାଳ, ଉଚ୍ଚ ଅଞ୍ଚଳ ଯେଉଁଠି ହିମାଳୟ, ହିନ୍ଦୁ କୁଶ, କାରାକୋରମ ଓ ପାମିର ପର୍ବତ ଶୃଙ୍ଖଳା ରହିଛି । ୩ୟ ମେରୁ ନାମରେ ଏହା ପରିଚିତ, କାରଣ ମେରୁ ଅଞ୍ଚଳ ବାହାରେ ଏହା ସର୍ବାଧିକ ପରିମାଣର ବରଫ ଧାରଣ କରିଛି ।

ଅଧ୍ୟୟନକର୍ତ୍ତା ଏଥିପାଇଁ ୯୬ ପ୍ରତିଶତ ସଠିକତା ହାରଯୁକ୍ତ ଏକ ନୂଆ ସ୍ୱୟଂଚାଳିତ ସାଟେଲାଇଟ୍ ମ୍ୟାପିଂ ପଦ୍ଧତି ପ୍ରୟୋଗ କଲେ । ୨,୨୪୦ ବର୍ଗ କିମିରେ ବିସ୍ତୃତ ୩୧,୬୯୮ ହ୍ରଦ ସେମାନେ ଚିହ୍ନଟ କଲେ । ଏହି ତଥ୍ୟ ଜରିଆରେ ସେମାନେ ‘ଗ୍ଲାସିଆଲ ଲେକ୍ ଆଉଟ୍‌ବର୍ଷ୍ଟ ଫ୍ଲଡ୍ସ (ଜିଏଲ୍‌ଓଏଫ୍)ର ଆଶଙ୍କା ବୃଦ୍ଧି ବିଷୟରେ ଚେତାବନୀ ଦେଲେ । ଅର୍ଥାତ୍ ଗ୍ଲେସିୟର ହ୍ରଦରୁ ବନ୍ୟା ଆଶଙ୍କା । ବିଶ୍ୱ ଉତ୍ତାପନ ବିଶ୍ୱର ସର୍ବୋଚ୍ଚ ଗ୍ଲେସିୟରଗୁଡ଼ିକୁ ତରଳାଇ ଦେଉଥିବାରୁ ଏହି ସ୍ଥିତି କେଦାରନାଥ ଭଳି ବିପତ୍ତିର କାରଣ ହୋଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି ।

ଗ୍ଲେସିୟର ପର୍ବତ ହ୍ରଦଗୁଡ଼ିକୁ ଧରି ରଖିଥିବା ପ୍ରାକୃତିକ ଡ୍ୟାମ୍ ହଠାତ୍ ଭଙ୍ଗିଗଲେ, ଜିଏଲ୍‌ଓଏଫ୍ ଘଟଣା ଘଟେ । ଏହି ଡ୍ୟାମ୍ ଠୋସ୍ କଂକ୍ରିଟ୍ ନୁହେଁ, ବରଂ ଅସ୍ଥାୟୀ ବରଫ ଓ ଢିଲା ପଥର ଦ୍ୱାରା ଗଠିତ ହୋଇଥାଏ । ଯେତେବେଳେ ଡ୍ୟାମ୍ ଭାଙ୍ଗେ, ଜଳର ବିଶାଳ ତଥା ଭୟଙ୍କର ପ୍ରାଚୀର ମାଡ଼ିଆସି ଉପତ୍ୟକା ଅଞ୍ଚଳକୁ ଧୋଇନିଏ । ଜଳ ପରିମାଣ ବୃଦ୍ଧି ଯୋଗୁ ହିମାଳୟ ଶୃଙ୍ଖଳା ଏବେ ଭାରୀ ହେଉଛି । ଜଳବାୟୁ ଉତ୍ତପ୍ତ ହେଉଥିବାରୁ ଗ୍ଲେସିୟର କେବଳ ଉଭାନ୍ ହେଉନାହାନ୍ତି, ପାର୍ବତ୍ୟାଞ୍ଚଳରେ ବିଶାଳ ଅସ୍ଥାୟୀ ହ୍ରଦରେ ରୂପାନ୍ତରିତ ହେଉଛନ୍ତି । ଏହି ହ୍ରଦ ଠୋସ୍ ପଥର ନୁହେଁ, କେବଳ ଢିଲା ପଥର, ବରଫ ଓ କାଦୁଅ ଦ୍ୱାରା ଅଟକି ରହିଥାନ୍ତି । ଯେତେବେଳେ ଜଳର ପରିମାଣ ବହୁତ ଅଧିକ ହୋଇଯାଏ କିମ୍ବା ହିମସ୍ଖଳନ ହ୍ରଦରେ ମାଡ଼ ହୁଏ, ଏହି ପ୍ରାକୃତିକ ଡ୍ୟାମ୍ଗୁଡ଼ିକ ବେଲୁନ୍ ଭଳି ଫାଟନ୍ତି ।

ଆହୁରି ପଢ଼ନ୍ତୁ...ଗୋଟେ ପଟେ ଆଲୋଚନା , ଆଉ ଗୋଟେ ପଟେ ଆକ୍ସନ ; ଇରାନ ଉପରେ ନୂଆ ତୈଳ କଟକଣା ଲଗାଇଲା ଆମେରିକା

ଡ୍ୟାମ୍ ଭାଙ୍ଗିବା ଦ୍ୱାରା କିଛି ମିନିଟ୍‌ରେ କୋଟି କୋଟି ଟନ୍ ଜଳ, ପଥର ଓ ଆବର୍ଜନା ଉପତ୍ୟକା ଅଞ୍ଚଳକୁ ମାଡ଼ିଯାଆନ୍ତି । ହ୍ରଦଗୁଡ଼ିକ ଅତ୍ୟନ୍ତ ଉଚ୍ଚରେ ଅବସ୍ଥାନ କରୁଥିବାରୁ ଜଳ ଚରମ ଶକ୍ତି ଓ ବେଗର ସହ ତଳକୁ ପ୍ରବାହିତ ହୁଏ । ବନ୍ୟା ଗାଁ କିମ୍ବା ପାୱାର୍ ପ୍ଲାଣ୍ଟ୍‌ରେ ପହଞ୍ଚିବା ବେଳକୁ ତାହା ଆଉ ପାଣି ନୁହେଁ, ବରଂ ତରଳ ପର୍ବତର ଏକ ଗତିଶୀଳ ପ୍ରାଚୀର ପାଲଟିଯାଏ, ଯାହା ନିଜ ମାର୍ଗରେ ଆସୁଥିବା ସବୁକିଛି ଧୋଇନିଏ । ଠିକ୍ ୨୦୧୩ର କେଦାରନାଥ ଓ ୨୦୨୩ର ସିକ୍କିମ ବନ୍ୟା ଭଳି ।

ଥରକେ ହଜାର ହଜାର ଗ୍ଲେସିୟର ହ୍ରଦକୁ ମାପିବା ବୈଜ୍ଞାନିକଙ୍କ ପାଇଁ ଦୁଃସ୍ୱପ୍ନ ଥିଲା । ସେମାନେ ଲ୍ୟାଣ୍ଡସାଟ୍ ୮ ଜରିଆରେ ନାସା ଓ ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ (ୟୁଏସ୍‌ଜିଏସ୍)ରୁ ହାଇ-ରିଜୋଲ୍ୟୁସନ୍ ଚିତ୍ର ଓ ଉପତ୍ୟକା ତଥ୍ୟ, ସେଣ୍ଟିନେଲ୍ ୧ ଓ ୨ ଜରିଆରେ ୟୁରୋପୀୟ ମହାକାଶ ଏଜେନ୍ସିରୁ ରାଡାର ଓ ଅପ୍ଟିକାଲ ସେନ୍ସର ଏବଂ କପରନିକସ୍ ଡିଜିଟାଲ ଏଲିଭେସନ୍ ମଡେଲ ଜରିଆରେ ୟୁରୋପୀୟ ୟୁନିୟନ୍‌ର ତଥ୍ୟକୁ ଯୋଡ଼ିଥିଲେ । ପୁରୁଣା ମାନୁଆଲ ପଦ୍ଧତି ପରିବର୍ତ୍ତେ ଏହି ଟେକ୍ନୋଲୋଜି ବାଦଲ ଭିତରେ ଦେଖିବାକୁ ଓ ୨୦ ହଜାରରୁ ୧ ଲକ୍ଷ ବର୍ଗ ମିଟର ମଧ୍ୟରେ ଛୋଟ ହ୍ରଦଗୁଡ଼ିକୁ ଚିହ୍ନଟ କରିବାକୁ ରାଡାର ଓ ଅପ୍ଟିକାଲ ସେନ୍ସର ପ୍ରୟୋଗ କରେ । ଏହା ୩ୟ ମେରୁର ନିୟମିତ ଓ ଉଚ୍ଚ ସଠିକତା ହାରଯୁକ୍ତ ଯାଞ୍ଚ୍‌ରେ ସହାୟକ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଲା, ପର୍ବତ ଶୃଙ୍ଖଳାରେ ହ୍ରଦର ବୃଦ୍ଧି ଭିନ୍ନ ରୂପେ ହେଉଛି । କିଲିଆନ୍ ଶାନ୍ ହ୍ରଦ ଅଞ୍ଚଳ ୨୨.୫ ପ୍ରତିଶତ ବଢ଼ିଛି । ଅଧ୍ୟୟନରେ ରେକର୍ଡ ହୋଇଥିବା ଏହା ସର୍ବାଧିକ ବୃଦ୍ଧି । ୩ୟ ମେରୁର ଉତ୍ତରପୂର୍ବ ପାଶ୍ୱର୍ରେ ଅବସ୍ଥିତ ଏହି ଅଞ୍ଚଳ ହିମାଳୟର ଉତ୍ତରରେ ପଡ଼ୋଶୀ ଭଳି କାମ କରେ । ଅନ୍ୟପକ୍ଷେ, ପୂର୍ବ ହିମାଳୟରେ ସର୍ବାଧିକ ସଂଖ୍ୟକ ସର୍ବୋଚ୍ଚ ହ୍ରଦ ରହିଛି । ବିଶ୍ୱ ଉତ୍ତାପନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ଲେସିୟର ତରଳିବା ଓ ସଂକୁଚିତ ହେବା ଭଳି ପରିବର୍ତ୍ତନ ଘଟୁଛି ।

ଏହି ପରିସ୍ଥିତି ଏକ ବଡ଼ ମାନବ ସଙ୍କଟ । ବିଶ୍ୱର ୧.୫ କୋଟି ଲୋକଙ୍କ ଉପରେ ଗ୍ଲେସିୟର ବନ୍ୟାର ବିପଦ ରହିଥିବା ବେଳେ ୬୨ ପ୍ରତିଶତ ଲୋକ ଉଚ୍ଚ ପର୍ବତ ଏସିଆ କ୍ଷେତ୍ରରେ ବାସ କରୁଛନ୍ତି । କେବଳ ଭାରତରେ ପ୍ରାୟ ୩୦ ଲକ୍ଷ ଲୋକ ଏହି ଅସ୍ଥାୟୀ ଗ୍ଲେସିୟର ହ୍ରଦ ତଳେ ସିଧାସଳଖ ଜୀବନଯାପନ କରୁଛନ୍ତି । ଅନେକ ପରିବାର ହ୍ରଦର ୧୦ କିମି ମଧ୍ୟରେ ଅଛନ୍ତି । ଅର୍ଥାତ୍ ଗୋଟିଏ ହ୍ରଦ ଭାଙ୍ଗିଲେ, ନଜବସତି ଖାଲି କରିବା ପାଇଁ ଚେତାବନୀ ଦେବାକୁ ସମୟ ମିଳିବ ନାହିଁ । ଏହି ହ୍ରଦ ଢିଲା ବରଫ ଓ ଭଙ୍ଗୁର ପଥର ପ୍ରାଚୀର ପଛରେ ଲୁଚିଥିବା ଟାଇମ୍ ବମ୍ ଭଳି ।