ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ୧୫ ଜଣ ପଳାତକ ଆର୍ଥିକ ଅପରାଧୀଙ୍କୁ ନେଇ ସଂସଦରେ ସୋମବାର ପ୍ରମୁଖ ସୂଚନା ଦେଇଛନ୍ତି। କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଛନ୍ତି ଯେ, ନିରବ ମୋଦି , ବିଜୟ ମାଲ୍ୟା , ନୀତିନ ସନ୍ଦେସରା ଓ ଚେତନ ସନ୍ଦେସରାଙ୍କ ସହ ୧୫ ଜଣ ଲୋକଙ୍କୁ ପଳାତକ ଘୋଷିତ କରିଛନ୍ତି। ପଳାତକ ଆର୍ଥିକ ଅପରାଧୀ ଅଧିନିୟମ , ୨୦୧୮ (ଏଫ୍ଇଓଏ) ଅନୁସାରେ, ସ୍ୱତନ୍ତ୍ର କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ୧୫ ଜଣ ପଳାତକ ବ୍ୟାଙ୍କ ଗୁଡ଼ିକର ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ମୋଟ ୨୬,୬୪୫ କୋଟି ଟଙ୍କାର କ୍ଷତି କରାଇଛନ୍ତି।
ରିପୋର୍ଟ ମୁତାବିକ , ଏହି ପଳାତକଙ୍କ ଆକାଉଣ୍ଟରେ ଏନପିଏ ଘୋଷିତ ହେବାର ତାରିଖ ଠାରୁ ୩୧ ଅକ୍ଟୋବର ୨୦୨୫ ଯାଏ ତାଙ୍କର ଋଣ ଉପରେ ସୁଧ ଭାବେ ଅତିରିକ୍ତ ୩୧ , ୪୩୭ କୋଟି ଟଙ୍କାର କ୍ଷତି ହୋଇଛି। ଏହି ପ୍ରକାରରେ ଏହି ୧୫ ଜଣ ପଳାତକଙ୍କୁ ମିଶାଇ ମୋଟ ଆର୍ଥିକ କ୍ଷତି ୫୮,୦୮୨ କୋଟି ଟଙ୍କାରୁ ଅଧିକ ହୋଇଛି। ମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ପଳାତକ ଆର୍ଥିକ ଅପରାଧୀଙ୍କ ସଂପତ୍ତି ଗୁଡ଼ିକୁ ଜବତ କରିବା ଓ ବିକ୍ରି କରିବାର କାର୍ଯ୍ୟକୁ ଜୋରଦାର କରି ଦେଇଛନ୍ତି। ୩୧ ଅକ୍ଟୋବର ୨୦୧୫ ସୁଦ୍ଧା ଏହି ୧୫ ଜଣ ବ୍ୟକ୍ତିଙ୍କ ଠାରୁ ମୋଟ ୧୯,୧୮୭ କୋଟି ଟଙ୍କାର ରାଶି ଆଦାୟ କରାଯାଇ ସାରିଛି। ଏହି ରାଶି ଜବତ ସଂପତ୍ତିର ନିଲାମୀ ଓ ଅନ୍ୟ ଆଇନଗତ ପ୍ରକ୍ରିୟା ଗୁଡ଼ିକ ମାଧ୍ୟମରେ ବ୍ୟାଙ୍କ ଗୁଡ଼ିକୁ ଫେରାଇ ଦିଆ ଯାଇଛି।
କେନ୍ଦ୍ର ସରକାର ପଳାତକ ଆର୍ଥିକ ଅପରାଧିକ ଆଇନ ଅନୁସାରେ , ବାରମ୍ୱାର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ଯାହାକି ବ୍ୟାଙ୍କିଂ କ୍ଷେତ୍ରରେ ହୋଇଥିବା କ୍ଷତିର ଭରଣା କରାଯାଇ ପାରିବ। ଏହାସହ ଭବିଷ୍ୟତରେ ଏହିପରି ଆର୍ଥିକ ଅପରାଧ ଗୁଡ଼ିକ ଉପରେ ଅଙ୍କୁଶ ଲଗାଯାଇ ପାରିବ।
ବିଗତ ଦିନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ବିଶେଷ କୋର୍ଟ ଝଟକା ଦେଇ ଥିଲେ। କୋର୍ଟ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ( ଏଫଇଓ) ଘୋଷିତ କରିବାର କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବା ନେଇ ତାଙ୍କର ଆବେଦନକୁ ଖାରଜ କରି ଦେଇଥିଲେ। ଚଳିତ ବର୍ଷ ଅପ୍ରେଲରେ ବେଲଜିୟମରେ ଗିରଫ ପରେ ହୀରା ବ୍ୟବସାୟୀ ଚୋକସି ପିଏମଏଲଏ ଅନୁସାରେ, ମାମଲାର ଶୁଣାଣି କରୁଥିବା ବିଶେଷ କୋର୍ଟଙ୍କ ସମ୍ମୁଖରେ ପିଟିସନ ଦାଏର କରିଥିଲେ। ଏଥିରେ ତାଙ୍କୁ ଏଫଇଓ ଘୋଷିତ କରିବା ସମ୍ୱନ୍ଧୀୟ ନିର୍ଦ୍ଦେଶାଳୟର ଆବେଦନକୁ ଖାରଜ କରିବାକୁ ଅନୁରୋଧ କରି ଥିଲେ।