ମୁମ୍ବାଇ,୧୮/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମଝିରେ ଗୋଟିଏ ଦିନ । ହାତ ଗଣତି ଦିନ ଭିତରେ ରାଜ୍ୟ ରାଜନୀତି ଉଷ୍ଣ ହୋଇଛି । ନିର୍ବାଚନ ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମହାୟୁତି ସ୍ଥିର କରିବ । ମୁଁ ମୁଖ୍ୟମନ୍ତ୍ରୀ ଦୌଡରେ ନାହିଁ ବୋଲି କହିଛନ୍ତି ଏକନାଥ ସିନ୍ଦେ ।
ଗଣମାଧ୍ୟମ ସହ ଆଲୋଚନା ସମୟରେ ଏକନାଥ ସିନ୍ଦେ କହିଛନ୍ତି,ରାଜ୍ୟରେ ମହାୟୁତି ମେଣ୍ଟରୁ ହିଁ ମୁଖ୍ୟମନ୍ତ୍ରୀ ହେବେ । ହେଲେ ସେ ଏହି ରେସରେ ନାହାନ୍ତି । ଏଥିରୁ ଜଣାପଡୁଛି ସିଏମ ଗାଦି ପାଇଁ ତାଙ୍କର ଲୋଭ ନାହିଁ । ବିହାର ପରି ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହେଉଥିଲା ମାତ୍ର ସେ ନିଜକୁ ଏହି ରେସରୁ ବାହାର କରି ଦେଇଛନ୍ତି । ମହାରାଷ୍ଟ୍ରରେ ସିନ୍ଦେଙ୍କ ନେତୃତ୍ବରେ ମହାୟୁତି ନିର୍ବାଚନ ଲଢିବ । ଭୋଟ ପୂର୍ବରୁ ସିନ୍ଦେଙ୍କ ଏପରି ବୟାନ ଭୋଟର ଓ ସେମାନଙ୍କ ସମର୍ଥକଙ୍କୁ ଦ୍ବନ୍ଦରେ ପକାଇଛି ।
କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ ମଧ୍ୟ ସମାନ କଥା କହିଥିଲେ । ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମହାୟୁତି ସ୍ଥିର କରିବ ମୁଁ ରେସରେ ନାହିଁ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ । ଆସନ୍ତା ୨୦ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ୨୮୮ ଆସନରେ ଭୋଟ ଗ୍ରହଣ ହେବ । ବିଜେପି-ମହାୟୁତି ମେଣ୍ଟ ସରକାର ଓ ମହାବିକାଶ ଅଘାଡି ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଜଣାପଡୁଛି । ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।