ଆଇଏମଏର ଦେଶବ୍ଯାପୀ ଡାକ୍ତର ଧର୍ମଘଟକୁ ଓଡି଼ଶା ଶାଖାର ସମର୍ଥନ

ଭୁବନେଶ୍ୱର ୧୬/୬: ଗୁରୁତର ହେଉଛି କୋଲକାତା ଏନଆରଏସ୍ ମେଡିକାଲ୍ ମାମଲା । ପଶ୍ଚିମବଙ୍ଗରେ ରବିବାର ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିବା ବେଳେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଆଇଏମଏର ସୋମବାର ୨୪ ଘଣ୍ଟିଆ ଦେଶବ୍ୟାପୀ ହରତାଳକୁ ଓଡିଶା ଶାଖା ସମର୍ଥନ କରିଛି। ଫଳରେ ସୋମବାର ସକାଳ ୬ରୁ ମଙ୍ଗଳବାର ସକାଳ ୬ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି ବନ୍ଦ ରହିବ।
କୋଲକାତା ଏନଆରଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ ଜଣେ ଜୁନିୟର ଡାକ୍ତରଙ୍କୁ ମାଡମାରିବା ଘଟଣା ଏବେ ସାରା ଦେଶରେ ଚିକିତ୍ସା ସେବାକୁ ପ୍ରଭାବିତ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶନିବାର ରାଜ୍ୟରେ ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ସରକାର ମାନିନେବେ ବୋଲି ଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ ଡାକ୍ତରମାନେ ସରକାରଙ୍କ ସହ ଆଲୋଚନାକୁ ଆସି ନାହାନ୍ତି । ଏଥିପାଇଁ ଡାକ୍ତରମାନେ ସ୍ଥାନ ଓ ସମୟ ସ୍ଥିର କରିବେ ବୋଲି ଶନିବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ହେଲେ ରବିବାର ମଧ୍ୟ ଡାକ୍ତର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନାକୁ ଆସି ନାହାନ୍ତି। ତେବେ ସୋମବାର ସେମାନେ କେବଳ ଜରୁରୀ ଚିକିତ୍ସା ସେବା ଯୋଗାଇ ଦେବା ବୋଲି ଘୋଷଣା କରିଛନ୍ତି।
ଏଥିରେ ପଶ୍ଚିମବଙ୍ଗ ଘଟଣାକୁ ନେଇ ସାରା ଦେଶରେ ଆଇଏମଏ ୨୪ ଘଣ୍ଟିଆ ହରତାଳ ଡାକରା ଦେଇଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପ୍ରସଙ୍ଗରେ ହସ୍ତକ୍ଷେପ କରୁନାହାନ୍ତି । ଫଳରେ ଦେଶରେ ସ୍ୱାସ୍ଥ୍ୟସେବା ପରିସ୍ଥିତି ଜଟିଳ ହୋଇପଡିଛି । ଏଥିରେ ଓଡିଶା ଆଇଏମଏ ଶାଖା ସୋମବାର ଆଉଟଡୋର ପେସେଣ୍ଟ ସେବା ଯୋଗାଇ ଦିଆଯିବନି ବୋଲି ରବିବାର ବିଳମ୍ବିତ ସନ୍ଧ୍ୟାରେ ଘୋଷଣା କରିବା ରାଜ୍ୟରେ ଗୁରୁତର ସ୍ୱାସ୍ଥ୍ୟ ସଂକଟର ଆଶଙ୍କା କରାଯାଉଛି। ରାଜ୍ୟର ସରକାରୀ ହସ୍ପିଟାଲମାନଙ୍କରେ ଡାକ୍ତରଙ୍କ ଅଭାବ ଥିବାବେଳେ ୨୪ ଘଣ୍ଟିଆ ହରତାଳ ଦୂର ଦୂରାନ୍ତରୁ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ସମସ୍ୟାରେ ପକାଇବ ବୋଲି କୁହଯାଉଛି।