ମୋଦି ସରକାରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଛନ୍ତି ଆଇଏମଏଫ୍ ମୁଖ୍ୟ, କହିଲେ-ପୁଣିଥରେ କରନ୍ତୁ ବିଚାର

ନୂଆଦିଲ୍ଲୀ,୨୫।୫: ଅନ୍ତର୍ଜାତୀୟ ମୁଦ୍ରାକୋଷ(ଆଇଏମଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭା ଭାରତକୁ ନିବେଦନ କରିଛନ୍ତି, ଯେତେ ଶୀଘ୍ର ସମ୍ଭବ ହେବ ଗହମ ରପ୍ତାନି ଉପରେ କଟକଣା ନେଇ ପୁନଃ ବିଚାର କରନ୍ତୁ। ସେ ଡାଭୋସ୍ରେ ଓ୍ବାର୍ଲ୍ଡ ଇକୋନୋମିକ୍ ଫୋରମରେ ସାମିଲ ହୋଇ କହିଥିଲେ, ରପ୍ତାନୀ ଉପରେ କଟକଣା ଲଗାଇବା ଫଳରେ ଅନ୍ୟ ଦେଶ ଏଭଳି କରିପାରେ। ଫଳରେ ଏହି ସଙ୍କଟର ମୁକାବିଲା ପାଇଁ ବିଶ୍ୱ ସମୁଦାୟ ପ୍ରସ୍ତୁତ ରହିବ ନାହିଁ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଭାରତର ପ୍ରଶଂସା କରୁଛି, ହେଲେ ଭାରତକୁ ୧.୩୫ ଅରବ ଲୋକଙ୍କର ପେଟ ଭରିବା ଦରକାର। ମୁଁ ବୁଝି ପାରୁଛି, ଲୁ’ କାରଣରୁ ଗହମର ଉତ୍ପାଦନ କମ୍ ହୋଇଛି, କିନ୍ତୁ ଭାରତକୁ ନିବେଦନ କରିବାକୁ ଚାହେଁ ଗହମ ରପ୍ତାନି ଉପରେ କଟକଣା ଲଗାଇବାର ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରନ୍ତୁ, କାରଣ ଅନ୍ୟ ଦେଶ ଏଭଳି ବାଟ ଆପଣେଇପାରେ। ଏଭଳି ହେଲେ ଆମେ ଖାଦ୍ୟ ସଙ୍କଟର ମୁକାବିଲା କରିବାରେ ବିଫଳ ହେବୁ।
ଯେତେବେଳେ ପଚରା ଯାଇଥିଲା ଯଦି ଭାରତ ରପ୍ତାନି ଉପରେ କଟକଣା ଉଠାଇ ଦିଏ ତେବେ କେତେ ସାହାଯ୍ୟ ମିଳିବ? ଏହାର ଉତ୍ତରରେ ଜର୍ଜିଆଭା କହିଥିଲେ, ରୁଷ ଓ ୟୁକ୍ରେନ୍ ଯୁଦ୍ଧ କାରଣରୁ ଗହମର ସପ୍ଲାଇ ପ୍ରଭାବିତ ହୋଇଛି। ଏହି କଥା ଉପରେ ନିର୍ଭର କରେ ଭାରତ କେତେ ରପ୍ତାନି କରିପାରେ ଓ କେଉଁ କେଉଁ ଦେଶକୁ ରପ୍ତାନି କରିପାରେ। ଯଦି ଗହମର ରପ୍ତାନି ଇଜିପ୍ଟ ଓ ଲେବାନନ୍ ଭଳି ଦେଶରେ କରାଯାଇଥାଏ ତେବେ ବହୁତ ପ୍ରଭାବ ପଡିପାରେ। ଇଜିଷ୍ଟ ଓ ଲେବାନନ୍ରେ ନା କେବଳ ଅନାହାର ବିପଦ ରହିଛି, ବଂର ସାମାଜିକ ଅଶାନ୍ତି ବ୍ୟାପିପାରେ, ଯାହାଫଳରେ ବିଶ୍ବରେ ସ୍ଥିରତା ପ୍ରଭାବିତ ହୋଇପାରେ। ଉଲ୍ଳେଖନୀୟ ଯେ, ଗହମର ସବୁଠାରୁ ବଡ ଉତ୍ପାଦନକାରୀ ଦେଶ ଭାରତ ୧୩ ମଇରେ ଗହମର ରପ୍ତାନି ଉପରେ କଟକଣା ଲଗାଇ ଦେଇଥିଲା।