ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ବାଂଲାଦେଶର ଅଡ଼ୁଆ ବଢ଼ାଇ ଦେଇଛି। ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ବାଂଲାଦେଶକୁ ଋଣର ଷଷ୍ଠ କିସ୍ତି ଦେବନାହିଁ ବୋଲି କହିଛି ଆଇଏମଏଫ । ଗତବର୍ଷ ବିଦ୍ରୋହ ପରେ, ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ଆସନ୍ତା ବର୍ଷ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ସମୟରେ ଏଭଳି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଆଇଏମଏଫ ।
ବିଶ୍ୱ ଆର୍ଥିକ ଚାପ ମଧ୍ୟରେ ବାଂଲାଦେଶ ସରକାର ୨୦୨୨ ମସିହାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ସହାୟତା ଲୋଡ଼ିଥିଲେ । ଜାନୁଆରୀ ୨୦୨୩ରେ, ଆଇଏମଏଫ ୪.୭ ବିଲିୟନ ଡଲାରର ଋଣ ପ୍ୟାକେଜ ଅନୁମୋଦନ କରିଥିଲା । ପରେ ଏହାକୁ ୫.୫ ବିଲିୟନ ଡଲାରକୁ ବୃଦ୍ଧି କରାଯାଇଥିଲା। ଆଜି ପର୍ଯ୍ୟନ୍ତ ବାଂଲାଦେଶ ୫ଟି କିସ୍ତିରେ ୩.୬ ବିଲିୟନ ଡଲାର ପାଇଛି। ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଋଣର ଷଷ୍ଠ କିସ୍ତି ପ୍ରଦାନ କରିବାକୁ ଆଇଏମଏଫ ସ୍ପଷ୍ଟ ଭାବରେ ମନା କରିଦେଇଛି ।
ଆଇଏମଏଫ ପକ୍ଷରୁ କୁହାଯାଇଛି ଯେ, ନୂତନ ସରକାରଙ୍କ ସହିତ ଆଲୋଚନା ପରେ ହିଁ ଏହି କିସ୍ତି ପ୍ରଦାନ କରିବ। ବାଂଲାଦେଶ ଏହି ଷଷ୍ଠ କିସ୍ତିରେ ପ୍ରାୟ ୮୦୦ ନିୟୁତ ଡଲାର କିମ୍ବା ପ୍ରାୟ ୬,୭୨୦କୋଟି ପାଇବାକୁ ଆଶା କରୁଥିଲା। କିନ୍ତୁ ବାଂଲାଦେଶରେ ନୂଆ ସରକାର ଆସିବା ପରେ ହିଁ ଆଗାମୀ ପଦକ୍ଷେପ ନେବ ଆଇଏମଏଫ । ନୂଆ ସରକାରଙ୍କ ନୀତି ନିର୍ଦ୍ଧାରଣ ପରେ ଆଇଏମଏଫ ଷଷ୍ଠ କିସ୍ତି ଜାରି କରିବ କି ନାହିଁ ତାହା ସ୍ପଷ୍ଟ ହେବ ।
ଏହା ପୂର୍ବରୁ ୨୦୦୧ ରେ ସମାନ ନୀତି ଆପଣାଇଥିଲା ଆଇଏମଏଫ । ତେବେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆଇଏମଏଫର ସର୍ତ୍ତ ମାନିବାରେ ଅବହେଳା କରିଥିବା କୁହାଯାଉଛି । ଏଥିପାଇଁ ଆଇଏମଏଫ ନୂଆ ରଣନୀତି ଆପଣାଇ ଥାଇପାରେ । ସେପଟେ ସର୍ତ୍ତାବଳୀର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ IMFର ଏକ ପ୍ରତିନିଧି ଦଳ ଅକ୍ଟୋବର ୨୯ ରେ ଢାକାରେ ପହଞ୍ଚିବେ । ଦୁଇ ସପ୍ତାହର ଗସ୍ତ ସମୟରେ, ପ୍ରତିନିଧି ଦଳ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ଯିବେ ଏବଂ ରିପୋର୍ଟ ସଂଗ୍ରହ କରି ଆଇଏମଏଫ ମୁଖ୍ୟାଳୟକୁ ପଠାଇବେ ।