ଭୁବନେଶ୍ୱର,୧୩/୦୪: ଦଶମରେ ଫେଲ୍ ହେବାରୁ ପାଠ ପଢ଼ାରେ ଡୋରି ବନ୍ଧା ହେଲା । ଡେଲିଭରୀ ବଏ ସାଜି ଘରକୁ ଘର ଖାଦ୍ୟ ପହଞ୍ଚାଉଥିଲା । ସେଥିରେ ବି ମନ ଲାଗିଲାନି । ୨୦୨୨ରେ ଚାକିରି ଆଶାରେ ଦିଲ୍ଲୀ ଯାଇଥିଲା । ସେଠାରେ ଏମିତି କ’ଣ ଘଟିଲା ଯେ ଇମ୍ରାନ୍‌ର ହାବଭାବ ପୁରା ବଦଳିଗଲା । କଟ୍ଟରବାଦୀ ମନୋଭାବ ନେଇ ସୋସିଆଲ ମିଡିଆରେ ଦେଶଦ୍ରୋହର ବିଷ ମଞ୍ଜି ବୁଣି ଚାଲିଲା ।

ଭୁବନେଶ୍ୱର ୟୁନିଟ୍-୬ ଅଞ୍ଚଳରେ ସେକ୍ ଇମ୍ରାନକୁ ଗିରଫ ଘଟଣାରେ ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚର ତଦନ୍ତ ଏଇଠି ଝୁଣ୍ଟିଛି । ଇମ୍ରାନ୍ର ଇନଷ୍ଟାଗ୍ରାମ, ଫେସବୁକ୍, ହ୍ୱାଟସ୍ଆପ୍ ତନାଘନା ଓ କଲ୍ ଡିଟେଲ୍ସ ରେକର୍ଡ (ସିଡିଆର) ଯାଞ୍ଚ ବେଳେ କିଛି ସାଂଘତିକ ତଥ୍ୟ ସାମ୍ନାକୁ ଆସିଛି । ଇମ୍ରାନ୍ ଦିଲ୍ଲୀକୁ ଚାକିରି ସନ୍ଧାନରେ ଯିବା ବେଳେ ହନିଟ୍ରାପ୍‌ର ଶିକାର ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବତୀଙ୍କ ସଂସ୍ପର୍ଶରେ ଆସିଲା । ଉକ୍ତ ଯୁବତୀଙ୍କ ପ୍ରେମରେ ପାଗଳ ହୋଇଗଲା । ଯୁବତୀଜଣକ ଇମ୍ରାନକୁ କଟ୍ଟରବାଦୀ ଗୋଷ୍ଠୀ ସହ ଯୋଡ଼ିଦେଲା । ସମୟକ୍ରମେ ଇମ୍ରାନ୍‌ର ଏହି ଦେଶଦ୍ରୋହ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ ପାଲଟିଗଲା । ଦେଶଦ୍ରୋହ ସମ୍ପର୍କିତ ଖବର ପ୍ରଚାର ପ୍ରସାରର ଦାୟିତ୍ୱ ମୁଣ୍ଡାଇଥିଲା । ୨୦୨୨ ମସିହାରେ ଦିଲ୍ଲୀ ଗସ୍ତ ବେଳେ କେଉଁ ଯୁବତୀଙ୍କୁ ଭେଟିଥିଲା? କାହାଠୁ ସ୍ୱତନ୍ତ୍ର ତାଲିମ୍ ନେଇଥିଲା? ସେଦିଗରେ ତଦନ୍ତ ଆଗେଇଛି ।

ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଏଣିକି ଇମ୍ରାନର ଦେଶ ବିରୋଧୀ କାର୍ଯ୍ୟକଳାପର ତନାଘନା କରିବ । କାହିଁକି ନା, ଇମ୍ରାନ୍‌ର କିଛି ଅଛିଣ୍ଡା ଖିଅ ଖୋଳତାଡ଼ କରିବାକୁ ଦିଲ୍ଲୀ ସ୍ପେଶାଲବ୍ରାଞ୍ଚ ପକ୍ଷରୁ ଏସଟିଏଫ୍‌କୁ ଦାୟିତ୍ୱ ଦିଆଯାଇଛି । ବିଶେଷକରି, ଇମ୍ରାନ୍‌କୁ ହନିଟ୍ରାପ୍ ସହ ସନ୍ଦିଗ୍ଧ ଆର୍ଥିକ ବ୍ୟାପାରକୁ ଗୁରୁତ୍ୱ ଦେବାକୁ ଏସ୍‌ଟିଏଫ୍‌କୁ  କୁହାଯାଇଛି । ତଦନ୍ତରୁ କୌଣସି ଲିଡ୍ ମିଳିଲେ, ତୁରନ୍ତ ଦିଲ୍ଲୀ ସ୍ପେଶାଲବ୍ରାଞ୍ଚକୁ ଜଣାଇବାକୁ ନିର୍ଦ୍ଦେଶ ମିଳିଛି ।

ଏସ୍‌ଟିଏଫ୍ ଏସ୍‌ପି ରବି ଶତପଥୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି । ଇମ୍ରାନ୍ ଓ ତା’ ବାପା ସେକ୍ ଅମିରଙ୍କ ସହ ଅନ୍ୟ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଯାଞ୍ଚ କରାଯିବ । ଯଦି କାହା ଆକାଉଣ୍ଟରେ ଦେଶ କିମ୍ବା ରାଜ୍ୟ ବାହାରୁ କିଛି ବଡ଼ ଧରଣର ଟଙ୍କା ନେଣଦେଣ ହୋଇଥିବ, ତାକୁ ଏସ୍‌ଟିଏଫ୍ ଜେରା କରିବ । ଏହାସହ ଇମ୍ରାନ୍‌ର ସାଙ୍ଗସାଥୀମାନଙ୍କଠାରୁ ସମ୍ପୃକ୍ତ ଯୁବତୀଙ୍କ ବିଷୟରେ ତଥ୍ୟ ସଂଗ୍ରହରେ ଲାଗିବ ଏସ୍‌ଟିଏଫ୍ । ଯୁବତୀଜଣକ ଇମ୍ରାନ୍‌କୁ ଭେଟିବାକୁ କେବେ ଭୁବନେଶ୍ୱର ଆସିଥିଲା? ଉଭୟେ ଭୁବନେଶ୍ୱରରେ ଏକାଠି ବୁଲାବୁଲି କରିଥିଲେ କି? ହନିଟ୍ରାପ୍ ଯୋଗୁ ଇମ୍ରାନ୍ ଦେଶଦ୍ରୋହ କାର୍ଯ୍ୟକଳାପରେ ମାତିଥିଲା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି । ଦିଲ୍ଲୀର କଟ୍ଟରବାଦୀ ଗ୍ରୁପ୍ର କେହି ସଦସ୍ୟ ଭୁବନେଶ୍ୱର ଆସି ଇମ୍ରାନ୍‌କୁ ଭେଟିଥିଲା କି? ସେ ଦିଗରେ ମଧ୍ୟ ତନାଘନା କରାଯିବ ।

ଅଧିକ ପଢ଼ନ୍ତୁ :- ମଞ୍ଚ ଭିଡ଼ିବା ବେଳେ ଲାଗିଗଲା ୧୧ କେଭି ତାର : ୩ ଦଣ୍ଡୁଆ ମୃତ, ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ମାସକ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସିମ୍ ବକ୍ସ ଜବତ କରାଯାଇଥିଲା । ଏହି ମାମଲାରେ କେରଳର ଦୁଇ ଯୁବକଙ୍କୁ ଅଟକ ରଖାଯାଇଥିଲା । ସିମ୍ ବକ୍ସ ଯୋଗେ ଇମ୍ରାନ୍ କେଉଁ ଆତଙ୍କବାଦୀ ସଂଗଠନ ସହ ଯୋଗାଯୋଗ କରିଛି କି? ଇମ୍ରାନ୍ ଭଳି ଆଉ କିଏ ସନ୍ଦିଗ୍ଧ ଆତଙ୍କୀ ସାଜି ରାଜଧାନୀରେ ଲୁଚିଛି । ସୋସିଆଲ ମିଡିଆରେ ଦେଶଦ୍ରୋହର ମଞ୍ଜି ବୁଣୁଛି । ଏହାକୁ ଗୁରୁତର ସହ ନେଇ ଚେର ଖୋଜିବ ଏସ୍‌ଟିଏଫ୍ ।