ଅନୁଗୁଳ/ଢେଙ୍କାନାଳ/ହିନ୍ଦୋଳ/ ନିମବାହାଳି, ୧୩/୦୪: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ପାଟଲା ପଞ୍ଚାୟତର ତୁଳସୀବଣି ସାହିରେ ରବିବାର ସନ୍ଧ୍ୟାରେ ଦଣ୍ଡନାଚ ପୂର୍ବରୁ ବଡ଼ଧରଣର ଅଘଟଣ ଘଟିଛି । ଦଣ୍ଡ ନାଚ ପାଇଁ ମଞ୍ଚ ଭିଡ଼ା ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ, ପାଟଲା ଗ୍ରାମର ସୁଧାକର ସାହୁ(୪୦), ଲକ୍ଷ୍ମୀଧର ସାହୁ(୩୪) ଓ ଓଡ଼ାପଡା ବିଡ଼ୋ ଗ୍ରାମର ମିଲନ ମହାଳିକ(୩୪) । ଗୁରୁତର ପାଟଲା ଗ୍ରାମର ନିର୍ମଳ ସାହୁ(୩୫) ଓ ପ୍ରଫୁଲ୍ଲ ତରାଇ(୫୦)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ବିଗିଡ଼ିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି। ଢେଙ୍କାନାଳ ଜିଲ୍ଲାରେ ଏବେ ଗାଁ ଗାଁରେ ମା’କାଳୀଙ୍କ ଦଣ୍ଡଯାତ୍ରା ହେଉଛି ।

ପାଟଲା ଗାଁର ଦଣ୍ଡଯାତ୍ରା ଦଳ ରବିବାର ତୁଳସୀବଣି ଗ୍ରାମରେ ଦଣ୍ଡନୃତ୍ୟ ପରିବେଷଣ କରିବାକୁ ସ୍ଥିର ହୋଇଥିଲା । ଅପରାହ୍ଣରେ ଧୂଳିଦଣ୍ଡ ସରିଥିଲା । ସନ୍ଧ୍ୟାରେ ଦଣ୍ଡୁଆମାନେ ମଞ୍ଚ ବାନ୍ଧୁଥିବା ବେଳେ ଅସାବଧାନତାରୁ ୧୧ କେଭି ବିଦ୍ୟୁତ୍ ତାର ଲାଗିଯାଇଥିଲା । ଷ୍ଟିଲ୍ ବାର୍ ବିଦ୍ୟୁତ୍ ତାରରେ ଲାଗି କରେଣ୍ଟ୍ ଚାର୍ଜ ହୋଇଯାଇଥିଲା । ୫ ଜଣ ଦଣ୍ଡୁଆ ଝଟ୍କା ଖାଇ ଛିଟିକି ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ଏଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ :-  ଆଜିଠୁ ଭିତର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ, SOP ଅନୁଯାୟୀ ଟ୍ରେଜେରୀରୁ ଆସିବ ଚାବି

ପାଟଲା ଦଣ୍ଡନୃତ୍ୟ କଳାକାରମାନେ ଦୀର୍ଘ ୧୨ଦିନ ଧରି ବିଭିନ୍ନ ସ୍ଥାନରେ ଦଣ୍ଡ ପରିବେଷଣ କରିଆସୁଥିଲେ । ରବିବାର ତୁଳସୀବଣି ସାହିରେ ଶେଷରାତି ଥିଲା । ସାହିବାସୀ ସାମୂହିକ ଭାବେ ଦଣ୍ଡ ଆୟୋଜନ କରୁଥିଲେ । ସୋମବାର ମେରୁ ଯାତ୍ରା ଅବସରରେ ଦଣ୍ଡବ୍ରତ ଉଦ୍‌ଯାପିତ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ପାଟଲା ସମିତିସଭ୍ୟ ପରମାନନ୍ଦ ଖୁଣ୍ଟିଆ ଜଣାଇଛନ୍ତି । ଗ୍ରାମରେ ଖୁବ୍ କମ୍ ଉଚ୍ଚତାରେ ୧୧ କେଭି ବିଦ୍ୟୁତ୍ ତାର ଝୁଲି ରହିଥିଲା । ଏ ନେଇ ଗ୍ରାମବାସୀ ପୂର୍ବରୁ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀ ଏହାକୁ ସଜାଡି଼ବାରେ ଅବହେଳା କରିଥିବା ଅଭିଯୋଗ ହୋଇଛି । ହିନ୍ଦୋଳ ଓ ବାଲିମୀ ଥାନା ପୁଲିସ୍ ଗ୍ରାମରେ ପହଞ୍ଚି ଅନୁସନ୍ଧାନ ଚଳାଇଛି