ବିଷ ଓଗାଳିଲେ ପାକ୍ ମନ୍ତ୍ରୀ: ଯୁଦ୍ଧ ହେଲେ ମନ୍ଦିରରେ ଘଣ୍ଟି ବାଜିବନି

ନୂଆଦିଲ୍ଲୀ,୧୯।୨: ପୁଲଓ୍ବାମା ଆକ୍ରମଣ ଘଟଣାର ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆକ୍ରମଣ ଘଟଣାରେ ଭାରତକୁ ପ୍ରମାଣ ମାଗିଥିବା ବେଳେ ତାଙ୍କର ଜଣେ ମନ୍ତ୍ରୀ ଭାରତକୁ ପ୍ରତ୍ୟକ୍ଷ ଭାବରେ ଧମକ ଦେଇଛନ୍ତି। ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରଶିଦ୍ ଅହମ୍ମଦ କହିଛନ୍ତି ୨୦ କୋଟି ପାକିସ୍ତାନୀଙ୍କ ତରଫରୁ ଇମ୍ରାନ ଏହି ବୟାନ ଦେଇଛନ୍ତି। ଯଦି ଭାରତ ଶାନ୍ତିର କଥା କହୁଛି ତେବେ ଶାନ୍ତିର କଥା ହେବୁ। କିନ୍ତୁ ଯଦି ଯୁଦ୍ଧର କଥା କହିବ ତେବେ ନିହାତି ଯୁଦ୍ଧ ହେବ। ଏହାପରେ ସେ କହିଛନ୍ତି କାଶ୍ମୀର ପ୍ରସଙ୍ଗରେ ବିବାଦ ଲାଗି ରହିଛି। ଇମ୍ରାନ ଖାନ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ପାକିସ୍ତାନ ଚୁଡି ପିନ୍ଧିକି ବସିନି। ଆମ ପାଇଁ ପାକିସ୍ତାନ ଆମର ଜୀବନ ଏବଂ ଆମର ମୃତ୍ୟୁ ମଧ୍ୟ। ଯଦି କେହି ପାକିସ୍ତାନକୁ ଖରାପ ନଜରରେ ଦେଖିବ ଆମେ ତାର ଆଖି ବାହାର କରିଦେବୁ। ସେଠାର ମାଟିରେ ଘାସ ଉଠିବନି କି ମନ୍ଦିରରେ ଘଣ୍ଟି ବାଜିବନି। ପାକିସ୍ତାନ ମୁସଲମାନଙ୍କ କିଲା ଯାହା ଆଡକୁ ସାରା ବିଶ୍ବର ମୁସଲମାନଙ୍କ ନଜର ରହିଛି।

ଏହା ପୂର୍ବରୁ ଇମ୍ରାନ ଭାରତର ଅଭିଯୋଗକୁ ଖଣ୍ଡନ କରିବା ସହ ନିଜ ପ୍ରତିକ୍ରିୟା ଦେଇଥିଲେ। ସେ କହିଛନ୍ତି ଭାରତ କିଛି ପ୍ରମାଣ ନଥାଇ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରୁଛି। ଏଭଳି କରି ଭାରତ ନିଜର ପୁରୁଣା କଥାର ରାଗ ସୁଝାଉଛି । ସେ କହିଛନ୍ତି ଯଦି ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀ ରହିଛନ୍ତି ତେବେ ତାଙ୍କ ବିରୋଧରେ ଭାରତ ପ୍ରମାଣ ଦେଉ। ଯାହାର ଗ୍ୟାରେଣ୍ଟିରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।