ଭୁବନେଶ୍ୱର,୭/୦୩: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି ) ପରିଚାଳିତ ସିଭିଲ ସର୍ଭିସେସ୍ ପରୀକ୍ଷାରେ ଆଗ ପରି ଆଉ ସଫଳତା ହାସଲ କରିପାରୁନାହାନ୍ତି ଓଡ଼ିଆ । ଦିନକୁ ଦିନ ସଫଳତା ସଂଖ୍ୟା କମିବାର ଲାଗିଛି । ଏପରିକି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍)ରେ ଓଡ଼ିଆଙ୍କ ସଂଖ୍ୟା କମୁଛି । ଟପ୍ ୧୦୦ରେ ଦିନକୁ ଦିନ ଓଡ଼ିଆଙ୍କ ଦବ୍ଦବା କମିବାର ଲାଗିଛି । ପୂର୍ବ ବର୍ଷମାନଙ୍କରେ ଏକାଧିକ ପିଲା ଟପ୍ ୧୦୦ରେ ରହୁଥିବା ବେଳେ ଏଥର ମାତ୍ର ଜଣେ ରହିଛନ୍ତି । କେବଳ ଏତିକି ନୁହେଁ ପୂର୍ବରୁ ୨୦ରୁ ଅଧିକ ପିଲା ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପାଉଥିବା ବେଳେ ଏବର୍ଷ ସଂଖ୍ୟା ୨୦ ଡେଇଁ ନାହିଁ । ସର୍ବଭାରତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀ କିଭଳି ଭଲ ପ୍ରଦର୍ଶନ କରିବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଗଣା କୋଚିଂ ଦେଉଛନ୍ତି ହେଲେ ଫଳ ଶୂନ୍ୟ । ସଫଳତାର ସଂଖ୍ୟା ବଢ଼ିବା ବଦଳରେ କମୁଛି ।

ଶୁକ୍ରବାର ୟୁପିଏସ୍ସି ପରିଚାଳିତ ସିଭିଲ ସର୍ଭିସେସ୍ ୨୦୨୫ ରେଜଲ୍ଟ ପ୍ରକାଶ ପାଇଛି । ୯୫୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୧୮୦ ଜଣ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍), ୫୫ଜଣ ଭାରତୀୟ ବୈଦେଶିକ ସେବା(ଆଇଏଫ୍ଏସ୍) ଓ ୧୫୦ ଜଣ ଭାରତୀୟ ପୁଲିସ ସେବା(ଆଇପିଏସ୍) ପାଇଛନ୍ତି । ଚଳିତଥର ସର୍ବଭାରତୀୟ ର୍ୟାଙ୍କ୍ ୧୦୦ରେ ଓଡ଼ିଶାର ସାତ୍ତ୍ୱିକ୍ ସତ୍ୟକାମ ଦେବତା ରହିଛନ୍ତି । ୨୦୨୩ରେ ପ୍ରକାଶିତ ସିଭିଲ ସର୍ଭିସେସ୍ ୨୦୨୨ ରେଜଲ୍ଟରେ ଓଡ଼ିଶାର ୨୮ ଜଣ ଛାତ୍ରଛାତ୍ରୀ ସଫଳତା ଆଣିଥିଲେ । ଏଥିରୁ ୯ଜଣ ଟପ୍ ୧୦୦ ମଧ୍ୟରେ ରହିଥିଲେ । ୨୦୨୪ ପ୍ରକାଶିତ ସିଭିଲ ସର୍ଭିସେସ୍ ୨୦୨୩ ରେଜଲ୍ଟରେ ଓଡ଼ିଶାର ୨୫ରୁ ଅଧିକ ପିଲା ସଫଳତା ଆଣିଥିଲେ। ଏଥିରୁ ଟପ୍ ୧୦୦ରେ ୬ଜଣ ରହିଥିଲେ । ଏବର୍ଷ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ସର୍ବଭାରତୀୟସ୍ତରରେ ରାଙ୍କ୍-୨ରେ ରହି ରାଜ୍ୟ ପାଇଁ ଗର୍ବ ଆଣିଥିଲେ । ଏହାପରେ ଗତବର୍ଷ(୨୦୨୫)ରେ ପ୍ରକାଶିତ ସିଭିଲ ସର୍ଭିସେସ୍-୨୦୨୪ ରେଜଲ୍ଟରେ ଓଡ଼ିଶାରୁ ୨୦ ଜଣ ପିଲା ଥିଲେ । ଏଥିରୁ ମାତ୍ର ୩ଜଣ ଓଡ଼ିଆ ଟପ୍ ୧୦୦ ମଧ୍ୟରେ ରହିଥିଲେ ।

ଅଧିକ ପଢ଼ନ୍ତୁ :- UPSC ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ; ଅନୁଜ ଅଗ୍ନିହୋତ୍ରୀ ଟପ୍ପର, ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ

କଥା ଉଠୁଛି ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆଙ୍କ ସଂଖ୍ୟା କମିବା ଚିନ୍ତାର ବିଷୟ ହୋଇଛି । ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆ ଛାତ୍ର କିପରି ନିଜର ସଫଳତା ସାଉଣ୍ଟିବେ ସେଥିଲାଗି ରାଜ୍ୟ ସରକାର ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଗଣା କୋଚିଂର ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଏଠାରେ କୋଚିଂ ନେଉଥିବା ପିଲାଙ୍କ ମଧ୍ୟରେ ଜଣେ ହେଲେ କେହି ୟୁପିଏସ୍‌ସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଉନାହାନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩- ୨୪ ଶିକ୍ଷାବର୍ଷରେ ମୋଟ ୬ କୋଟି ୨୪ ଲକ୍ଷ ୩୮ ହଜାର ୩୦୭ ଟଙ୍କା ସରକାର ମାଗଣା ୟୁପିଏସ୍ସି କୋଚିଂ ପାଇଁ ଖର୍ଚ୍ଚ କରିଥିଲେ । ୨୦୨୪-୨୫ ଶିକ୍ଷାବର୍ଷରେ ସରକାର ମୋଟ ୫ କୋଟି ୮୫ ଲକ୍ଷ ୩୫ ହଜାର ୬୩୦ ଟଙ୍କା ଖର୍ଚ୍ଚ କରିଥିଲେ । ୨୦୨୫- ୨୬ ଶିକ୍ଷାବର୍ଷରେ ସରକାର ୪ କୋଟି ୫୧ ଲକ୍ଷ ୧୨ ହଜାର ୩୫୦ ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି । ୩ବର୍ଷ ମଧ୍ୟରେ ଜଣେ ମାତ୍ର ପିଲା ଆଇଏଫଏସ୍ ପାଇଥିଲେ । ତେବେ କ’ଣ ପାଇଁ ଓଡ଼ିଆଙ୍କ ସଂଖ୍ୟା କମୁଛି ତାର ସମୀକ୍ଷା ସରକାର କରିବାର ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍ମାନେ କହିଛନ୍ତି ।