ବିଶ୍ୱ ଅର୍ଥନୀତିର ଅସ୍ଥିର ଅବସ୍ଥା ଓ ଭାରତର ବହୁବିଧ ସମସ୍ୟା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ତୃତୀୟ ପାଳିରେ ନିରନ୍ତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଅଛନ୍ତି । ପ୍ରଥମ ଥର ନୂତନ ପାର୍ଲାମେଣ୍ଟ ଭବନରେ ୫୩,୪୭୩୧୫ଲକ୍ଷ କୋଟି ଟଙ୍କାର ବଜେଟ୍ ଫେବ୍ରୁଆରୀ ମାସ ୧ ତାରିଖ ଦିନ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଆଗତ କରାଗଲା । ଆଗତ ବଜେଟରେ ନିଟ୍ ଟିକସ ଆୟ ୨୮.୭ଲକ୍ଷ କୋଟି ଟଙ୍କା, ଅଣଋଣ ଆୟ ୩୬.୫ଲକ୍ଷ କୋଟି, ବଜାରରୁ ଋଣ ସଂଗ୍ରହ ୧୭.୨ଲକ୍ଷ କୋଟି, ସିକ୍ୟୁରିଟିଜ୍ରୁ ୧୧.୭ଲକ୍ଷ କୋଟି ଏବଂ ଅବଶିଷ୍ଟ ଟଙ୍କା ଋଣ ସ୍ୱଳ୍ପସଞ୍ଚୟ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ ହେବ ।
ସବୁବର୍ଷ ପରି ଆୟକରଦାତାମାନେ, ସେମାନେ ବେତନଭୋଗୀ ବ୍ୟବସାୟୀ, ବୃତ୍ତିଧାରୀ, ମଧ୍ୟ-ଆୟକାରୀ ଅବା ସାଧାରଣ ଲୋକ ହୁଅନ୍ତୁ, ଆଗାମୀ ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ କ’ଣ ସବୁ ସୁବିଧା, ଟିକସ ହାର ଏବଂ ନୂତନ ନିୟମମାନ ହେବ ଆଗ୍ରହର ସହ ଅପେକ୍ଷା କରିଥାନ୍ତି । ମାତ୍ର ପୂର୍ବବର୍ଷ ତୁଳନାରେ ସେପରି କିଛି ପରିବର୍ତ୍ତନ ହୋଇନାହିଁ । ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଆଗତ ୨୦୨୫ ବର୍ଷର ନୂତନ ଆୟକର ଅଧିନିୟମ ବଳବତ୍ତର ରହିଅଛି । ନୂତନ ଆୟକର ଆଇନ୍ରେ ଟିକସଦାତାଙ୍କ ପାଇଁ କିଛି ସରଳୀକରଣ ପ୍ରକ୍ରିୟାର ଘୋଷଣା ହୋଇଅଛି । ପୂର୍ବବର୍ଷ ଭଳି କରଦାତାଙ୍କ ପାଖରେ ପୁରାତନ ଓ ନୂତନ ୨ଗୋଟି ଟିକସ ବ୍ୟବସ୍ଥାର ପସନ୍ଦ ଉପଲବ୍ଧ ଅଛି । ଯେଉଁଟି ଲାଭପ୍ରଦ ହେବ ତାହାକୁ ସେମାନେ ଗ୍ରହଣ କରିପାରିବେ । ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏଥିରେ ମୌଳିକ ଟିକସ ଛାଡ଼ ସୀମା ସାଧାରଣବର୍ଗ ଓ ମହିଳା ଯାହାଙ୍କର ବୟସ ୬୦ବର୍ଷରୁ କମ୍ ହୋଇଥିବ ୨.୫ଲକ୍ଷ ଟଙ୍କା, ବରିଷ୍ଠ ଯାହାଙ୍କର ବୟସ ୬୦ରୁ ୮୦ବର୍ଷ ମଧ୍ୟରେ ଥିବ ୩ଲକ୍ଷ ଟଙ୍କା ଏବଂ ଅତି ବରିଷ୍ଠ ଯାହାଙ୍କର ବୟସ ୮୦ବର୍ଷରୁ ଅଧିକ ହୋଇଥିବା ୫ଲକ୍ଷ ଟଙ୍କା ଅଟେ । ଏହି ବ୍ୟବସ୍ଥାରେ ଧାର୍ଯ୍ୟ ଟିକସ ହାର ୨.୫ଲକ୍ଷରୁ ୫ଲକ୍ଷ ଟଙ୍କା ମଧ୍ୟରେ ୫%, ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ୨୦% ଏବଂ ୧୦ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଅଟେ । ଅତି ବରିଷ୍ଠଙ୍କ କ୍ଷେତ୍ରରେ ୫ଲକ୍ଷରୁ ୧୦ଲକ୍ଷ ଟଙ୍କା ଆୟ ଉପରେ ୨୦% ଓ ୧୦ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଆୟ ଉପରେ ୩୦% ଟିକସ ଧାର୍ଯ୍ୟ ହୋଇଅଛି । ନୂତନ ଆୟକର ବ୍ୟବସ୍ଥାରେ ମୌଳିକ ଟିକସ ଛାଡ଼ ସୀମା ସମସ୍ତଙ୍କ ପାଇଁ ୪ଲକ୍ଷ ଟଙ୍କା ଅଟେ । ଯାହାଙ୍କର ଆୟ ୪ଲକ୍ଷରୁ ୮ଲକ୍ଷ ୫%, ୮ଲକ୍ଷରୁ ୧୨ଲକ୍ଷ ୧୦%, ୧୨ଲକ୍ଷରୁ ୧୬ଲକ୍ଷ ୧୫%, ୧୬ଲକ୍ଷରୁ ୨୦ଲକ୍ଷ ୨୦%, ୨୦ଲକ୍ଷରୁ ୨୪ଲକ୍ଷ ୨୫% ଓ ୨୪ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଆୟ ଥିଲେ ୩୦% ଟିକସ ଦେବାକୁ ହେବ । ଉଭୟ ବ୍ୟବସ୍ଥାରେ ସର୍ବୋଚ୍ଚ ଟିକସ ହାର ୩୦% ଥିଲେ ମଧ୍ୟ ପୁରୁଣା ବ୍ୟବସ୍ଥାରେ ଟିକସ ଛାଡ଼ ଓ ଆକାଉଣ୍ଟ ସଂଖ୍ୟା ବହୁତ ଅଧିକ ସହିତ ଉଚ୍ଚ ଟିକସ ହାର ଏବଂ ଆୟର ସ୍ତର କମ୍ ଅଛି । ଏହିଠାରେ ଉଲ୍ଲେଖ ଥାଉ ଯେ, ରିଟର୍ଣ୍ଣ ଦାଖଲ ଯଦି ଧାର୍ଯ୍ୟ ତାରିଖ ୩୧ ଜୁଲାଇ ମାସ ମଧ୍ୟରେ ନହୁଏ ତେବେ ସେମାନଙ୍କୁ ନୂତନ ବ୍ୟବସ୍ଥାକୁ ଆପଣାଇବାକୁ ହେବ । ନୂତନ ଆୟକର ବ୍ୟବସ୍ଥାରେ ଟିକସ ଛାଡ଼ ସୀମା ୧୨ଲକ୍ଷ ଟଙ୍କା ଆୟ ଧାର୍ଯ୍ୟ ହୋଇଥିବାରୁ କରଦାତାଙ୍କୁ ଟିକସ ଦେବାକୁ ପଡ଼ିବନାହିଁ । ମାତ୍ର ନିର୍ଦ୍ଧାରିତ ନିୟମ ୮୭(କ) ଅଧୀନରେ ସ୍ୱତନ୍ତ୍ର ରିହାତି ଥିବା ଯୋଗୁଁ ଏହା ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିଥାଏ । ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫୦୦୦ଟଙ୍କା ନୂତନ ବ୍ୟବସ୍ଥାରେ ଥିଲାବେଳେ ପୁରୁଣାରେ ୫୦,୦୦୦ଟଙ୍କା ଅଛି । ଆଶା କରାଯାଉଥିଲା ଏହା ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ, ମାତ୍ର ହୋଇପାରିଲା ନାହିଁ ।
ଆୟକର ଆଇନ ଦେଶରେ ୧୯୬୧ ମସିହାରେ ପ୍ରଣୀତ ହୋଇ ପୁରୁଣା ହୋଇଯିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ସମ୍ବିଧାନ ନାଗରିକମାନଙ୍କୁ ପ୍ରଦାନ କରିଥିବା ସମସ୍ତ ଅଧିକାରକୁ ସୁରକ୍ଷା ଓ ସୁନିଶ୍ଚିତ କରିବା ପାଇଁ, ସେଗୁଡିକୁ ହଟାଇ ଆବଶ୍ୟକ ମୁତାବକ ସଂଶୋଧନ କରି ନୂତନ ଆଇନ ୨୦୨୫ ମସିହାରେ ସରକାର ଆଣିଥିଲେ ଏବଂ ତାକୁ ଆଗାମୀ ଆର୍ôଥକ ବର୍ଷ ୨୦୨୬-୨୭ ଠାରୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ବଜେଟ୍ରେ ଘୋଷଣା ହୋଇଅଛି । ଆୟକର ଆଇନ ପ୍ରଣୟନ ହେବାର ଛଅ ଦଶନ୍ଧିରୁ ଅଧିକ ବର୍ଷ ଅତିକ୍ରାନ୍ତ ହେଲାଣି ଏବଂ ଦେଶରେ ଅନେକ ଆର୍ଥିକ ପ୍ରଗତି ସହ ପରିବର୍ତ୍ତନମାନ ଘଟିଗଲାଣି । ସ୍ୱାଧୀନତା ସମୟ ଏବଂ ଏବେର ଅବସ୍ଥା ମଧ୍ୟରେ ଯଥେଷ୍ଟ ଫରକ ଅଟେ । ପ୍ରତିବର୍ଷ ଜାତୀୟ ବଜେଟ ଉପସ୍ଥାପିତ ହୁଏ ଏବଂ ଆୟକର ସଂକ୍ରାନ୍ତରେ ନୂତନ ବା ସଂଶୋଧନ ନିୟମ ଆଗତ ହୋଇଥାଏ । ଗତବର୍ଷ ସ୍ୱତନ୍ତ୍ର ଭାବରେ ଆୟକର ବିଧେୟକ ସଂସଦରେ ପାରିତ ହୋଇଅଛି । ଆର୍ଥିକ ଦୃଷ୍ଟିରୁ ଦେଖିଲେ ଆୟକର ପ୍ରତ୍ୟକ୍ଷ ଭାବରେ ଏକ ପ୍ରମୁଖ ଟିକସ ସଂଗ୍ରହର ମାଧ୍ୟମ ଅଟେ । ଦେଶ ସ୍ୱାଧୀନ ହେବାଠାରୁ ଏହି ମାଧ୍ୟମରେ ଟିକସ ସଂଗ୍ରହ ହେଉଅଛି । ଏଥିରେ ସଂସ୍କାର ଆଣି ପ୍ରଚଳିତ ଥିବା ଦୁଇଟି ବର୍ଷ ଯଥା "ଆର୍ଥିକ ବର୍ଷ' ଓ "ନିର୍ଦ୍ଧାରଣ ବର୍ଷ' ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ ବଦଳରେ ଗୋଟିଏ "ଟିକସ ବର୍ଷ'ର ପ୍ରଚଳନ ହେବ, ଯାହାଦ୍ୱାରା ସହଜରେ ରିଟର୍ଣ୍ଣ ଦାଖଲ ସହିତ ଟିକସ ମଧ୍ୟ ପୈଠ ହୋଇପାରିବ । ଆର୍ôଥକ ବର୍ଷ ଭଳି ସମାନ ଅବଧି ୧୨ ମାସ ରହିବ, ଯାହା ଏପ୍ରିଲ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩୧ ତାରିଖରେ ଶେଷ ହେବ । ପୁରୁଣା ଆୟକର ଆଇନରେ ୮୩୨ଗୋଟି ଧାରାର ବ୍ୟବସ୍ଥା ଥିଲାବେଳେ ଏବେ ୫୩୫ଗୋଟି ମଧ୍ୟରେ ସୀମିତ ଅଛି । ଆମେ କହିପାରିବା ଯେ ଅଳ୍ପସଂଖ୍ୟକ ଧାରା ଓ ଉପଧାରାର ବ୍ୟବହାର ଦ୍ୱାରା ଜଟିଳତାକୁ ହ୍ରାସ କରାଯାଇପାରିବ । ଆୟକର ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଧାରାଗୁଡିକରେ ସଂଶୋଧନ ଆଣି ବର୍ତ୍ତମାନ ରିଟର୍ଣ୍ଣ ଦାଖଲର ଧାରା ୧୩୯ ଠାରୁ ୨୬୩ ଓ ଟିକସ ଢାଞ୍ଚାକୁ ୨୦୨କୁ ପରିବର୍ତ୍ତନ କରାଯାଇଛି ।
ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାରେ ପରିବର୍ତ୍ତନ ହୋଇଅଛି । ଶେଷ ତାରିଖକୁ ଡିସେମ୍ବର ମାସ ୩୧ ତାରିଖ ବଦଳରେ ମାର୍ଚ୍ଚ ମାସ ୩୧ ତାରିଖ ରଖାଯାଇଅଛି । ରିଟର୍ଣ୍ଣ-୦୧ ଓ ୦୨ର ଦାଖଲ ସମୟ ଅପରିବର୍ତ୍ତିତ ଅଛି, ଯାହା ପୂର୍ବରୁ ଜୁଲାଇ ମାସ ୩୧ ତାରିଖ ଥିଲା । ଅଡିଟ୍ ହେଉନଥିବା ବ୍ୟବସାୟ ଓ ଟ୍ରଷ୍ଟ ପାଇଁ ଧାର୍ଯ୍ୟ ରିଟର୍ଣ୍ଣ-୦୩ ଓ ୦୪ର ଦାଖଲ ସମୟ ଅଗଷ୍ଟ ମାସ ୩୧ ତାରିଖ ଅଛି । ଅଡିଟ୍ ହେଉଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଟ୍ରଷ୍ଟ ପାଇଁ ରିଟର୍ଣ୍ଣ ଦାଖଲର ସମୟକୁ ଅକ୍ଟୋବର ମାସ ୩୧ ତାରିଖ ଧାର୍ଯ୍ୟ କରାଯାଇଛି । ସଂଶୋଧିତ ଆୟକର ରିଟର୍ଣ୍ଣର ସମୟ ସୀମା ନିର୍ଦ୍ଧାରଣ ବର୍ଷ ଶେଷ ହେବାର ୧ବର୍ଷ ଅର୍ଥାତ୍ ମାର୍ଚ୍ଚ ମାସ ୩୧ ତାରିଖ ମଧ୍ୟରେ କରାଯାଇପାରିବ । ବିଦେଶକୁ ଭ୍ରମଣ, ଶିକ୍ଷା ବା ଚିକିତ୍ସା ପାଇଁ ଟଙ୍କା ପଠାଇବାର ଥିଲେ ପୂର୍ବରୁ ୫% ଟିକସ ଉତ୍ସରୁ କଟାଯାଉଥିଲା, ଯାହାକୁ ୨%କୁ ହ୍ରାସ କରାଯାଇଛି । ଅନ୍ୟ ଏକ ବ୍ୟବସ୍ଥା ଅନୁଯାୟୀ, ମୋଟର ଦୁର୍ଘାଟଣା କ୍ଷେତ୍ରରେ ପାଉଥିବା କ୍ଷତିପୂରଣ ଉପରେ ଟ୍ରିବ୍ୟୁନାଲ ବା ନ୍ୟାୟାଳୟ ଦ୍ୱାରା ପ୍ରଦତ୍ତ ସୁଧ ପାଇଁ ଆୟକର ସମ୍ପୂର୍ଣ୍ଣ ଭାବରେ ଛାଡ଼ ହୋଇଥିବାରୁ ହିତାଧିକାରୀ ଉପକୃତ ହେବେ ।
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଆଗତ ବଜେଟରେ ଅଘୋଷିତ ଥିବା ବିଦେଶରେ ସମ୍ପତ୍ତି ବା ଆୟ ପାଇଁ, କ୍ଷୁଦ୍ର ଟିକସଦାତା ଯଥା ଛାତ୍ର, ଯୁବ ପେସାଦାର, କର୍ମଚାରୀ ଓ ଏନ୍.ଆର୍.ଆଇ.ମାନଙ୍କ ପାଇଁ ଏକ ଯୋଜନା ଅଣାଯାଇଛି, ଯେଉଁଥିରେ ସେମାନେ ୬ମାସ ମଧ୍ୟରେ ସେମାନଙ୍କର ଆୟ ବା ସମ୍ପତ୍ତି ଘୋଷଣା କରିପାରିବେ ଏବଂ ସେଥିପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ । ବିଭିନ୍ନ କମ୍ପାନୀରେ ସିକ୍ୟୁରିଟିରେ ନିବେଶ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଟିକସ ବ୍ୟବସ୍ଥାରେ ସରଳୀକରଣ ହୋଇଅଛି । ନିବେଶକାରୀମାନେ ୬୦ବର୍ଷରୁ କମ୍ ହୋଇଥିଲେ ୧୫ଜି ଓ ଉଦ୍ଧ୍ୱର୍ ହୋଇଥିଲେ ୧୫ଏଚ୍ ଆୟକର ଘୋଷଣାପତ୍ରକୁ ପ୍ରତ୍ୟକ୍ଷ ଭାବରେ ନିବେଶ କରିଥିବା କମ୍ପାନୀକୁ ଦେଇ ଟିକସ ଛାଡ଼ ଦ୍ୱାରା ଉପକୃତ ହୋଇପାରିବେ । ଆୟକର ନିର୍ଦ୍ଧାରଣ ଓ ଜରିମାନା ଭିନ୍ନ ନହୋଇ ଏକତ୍ରଭାବେ ହିସାବକୁ ନିଆଯିବ, ଯାହା ପୂର୍ବ ଆର୍ଥକ ବର୍ଷରେ ଭିନ୍ନ ଥିଲା । ଟିକସ ବିବାଦ କ୍ଷେତ୍ରରେ ପୁନଃ ସମୀକ୍ଷା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲେ ମଧ୍ୟ ଟିକସଦାତା ତାଙ୍କ ରିଟର୍ଣ୍ଣ ଫାଇଲକୁ ବର୍ତ୍ତମାନରେ ନୂତନ ତଥ୍ୟ ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଆର୍ଥିକ ବର୍ଷରେ ଲାଗୁହୋଇଥିବା ଟିକସ ହାର ବ୍ୟତୀତ ୧୦% ଅତିରିକ୍ତ ଟିକସ ପ୍ରଦାନ କରି ବିବାଦର ସମାଧାନ କରିପାରିବେ । ଯଦି ଭୁଲ୍ ଭାବରେ ଆୟର ସୂଚନା ଥାଏ ଜରିମାନା ଭାବରେ ଅତିରିକ୍ତ ଟିକସ ଦେବାକୁ ହେବ ।
ବେଞ୍ଜାମିନ୍ ଫ୍ରାଙ୍କଲିନ୍ ଆମେରିକାର ଜଣେ ରାଷ୍ଟ୍ରନୀତିଜ୍ଞ, ଦାର୍ଶନିକ ଓ ପ୍ରତିଷ୍ଠାତା ସଦସ୍ୟ ଏକଦା କହିଥିଲେ ଯେ ‘ଏ ପୃଥିବୀରେ ମୃତ୍ୟୁ ଓ ଟିକସ ବ୍ୟତୀତ କୌଣସିଥିରେ ନିର୍ଦ୍ଦିଷ୍ଟତା କୁହାଯାଇପାରିବନାହିଁ' । ଏହାର ଅର୍ଥ, କୌଣସି ବ୍ୟକ୍ତି ଜୀବନକାଳ ମଧ୍ୟରେ ଟିକସକୁ ନିଜଠାରୁ ଦୂରେଇ ପାରିବନାହିଁ । ପ୍ରତ୍ୟେକ ରାଷ୍ଟ୍ରର ଆର୍ôଥକ ଶକ୍ତି ସେତିକି ମଜଭୁତ ହୋଇଥାଏ, ଯାହାର ଟିକସ ପଦ୍ଧତି ଯେତେ ସ୍ୱଚ୍ଛ ଓ ସରଳ ହୋଇଥାଏ । ଏକ ଆଦର୍ଶ ଟିକସ ବ୍ୟବସ୍ଥା ସର୍ବଦା ସମାନତା, ନିର୍ଦ୍ଦିଷ୍ଟ ଦେୟ, ସରଳ ଆଦାୟ ପ୍ରକ୍ରିୟା ଏବଂ ଟିକସ ସଂଗ୍ରହରେ କମ୍ ଖର୍ଚ୍ଚ ହେବା ଆବଶ୍ୟକ ଅଟେ । ପ୍ରତ୍ୟକ୍ଷ ବା ପରୋକ୍ଷ ହେଉ ଟିକସ ପଦ୍ଧତି ଏମିତି ହେବା ଆବଶ୍ୟକ ଯେମିତି ଦେଶର ରାଜସ୍ୱ ସଂଗ୍ରହ ଉତ୍ତମ ଭାବରେ ସଞ୍ଚାଳିତ ହେଉଥିବ ଓ ଜି.ଡି.ପି.ରେ ମଧ୍ୟ ଉନ୍ନତି ଆସିପାରୁଥିବ । ଦେଶର ବଜେଟ୍ ଯେ କେବଳ ଆୟବ୍ୟୟ ଅଟକଳରେ ସୀମିତ ତାହା ନୁହେଁ ବରଂ ସରକାରଙ୍କର ନୀତି, ଆଦର୍ଶ ଏବଂ ଯୋଜନା ମାଧ୍ୟମରେ ଦେଶକୁ କେଉଁଭଳି ଭାବରେ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ପରିଚଳନା କରିବାକୁ ସରକାର ଚହୁଁଛନ୍ତି, ତାହାର ପ୍ରତିଫଳନ ହୋଇଥାଏ । ତେବେ ପ୍ରତିବର୍ଷ ବଜେଟ୍ରେ ଟିକସ ନିର୍ଦ୍ଧାରଣ କରିବା ସରକାରଙ୍କର ଯେମିତି ଦାୟିତ୍ୱ, ସେହିଭଳି ସ୍ୱଚ୍ଛଭାବରେ କର ଆଦାୟ କରି ତାହାର ସୁବିନିଯୋଗ କରିବା ମଧ୍ୟ ଅନ୍ୟତମ କର୍ତ୍ତବ୍ୟ ଅଟେ ।