ନୂଆଦିଲ୍ଲୀ: କାଲି ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଭାରତ । ଗୋଟିଏ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚରେ ରେକର୍ଡ କରିବା ପାଇଁ ସୁଯୋଗ ରହିଛି ପନ୍ତଙ୍କ ପାଇଁ । ରେକର୍ଡ ଅପେକ୍ଷାରେ ରହିଥିବା ପନ୍ତଙ୍କ ପାଇଁ ଏହି ମ୍ୟାଚରେ ଆବଶ୍ୟକ ମାତ୍ର ୬ଟି ଛକା । ଏହାକୁ ପୂରଣ କଲେ ସେ ପ୍ରଥମ ଭାରତୀୟ ଭାବେ ଏକ ମାଇଲଖୁଣ୍ଟ ପାର୍ କରିବେ ।

ପନ୍ତ ଏଯାବତ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି । ସେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୯୪ଟି ଛକା ମାରି ଆଗରେ ରହିଛନ୍ତି । ମାତ୍ର କୌଣସି ଭାରତୀୟ ଖେଳାଳି ଟେଷ୍ଟ କ୍ରିକେଟରେ ୧୦୦ ଛକା ମାରିନାହାନ୍ତି । ପନ୍ତ ଯଦି ଆଫଗାନିସ୍ତାନ ବିପକ୍ଷରେ ୬ଟି ଛକା ମାରିବେ ତାହେଲେ ସେ ଏହି ମାଇଲଖୁଣ୍ଟକୁ ପାର୍ କରିବା ସହ ନୂଆ ରେକର୍ଡ ସ୍ଥାପନ କରିବେ ।

ପନ୍ତ ଏଯାବତ ଭାରତ ପାଇଁ ୪୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୯୪ଟି ଛକା ମାରି ଏକ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ପୂର୍ବତନ ଓପନର ବିରେନ୍ଦ୍ର ସେହଓ୍ବାଗ । ସେ ୧୦୪ ମ୍ୟାଚରେ ୯୦ଟି ଛକା ମାରିଥିବାବେଳେ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ପୂର୍ବତନ ଅଧିନାୟକ ରୋହିତ ଶର୍ମା । ତେବେ ଟେଷ୍ଟ କ୍ରିକେଟରେ ଛକା ମାରି ରେକର୍ଡ ସ୍ଥାପନ କରିବାରେ ପନ୍ତ ଆଗରେ ରହିଛନ୍ତି ।

ନିକଟରେ ଖେଳାଯାଇଥିବା ଆଇପିଏଲରେ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତାଙ୍କ ଅଧିନାୟକତ୍ବରେ ଲକ୍ଷ୍ନୌ ପଏଣ୍ଟ ଟେବୁଲର ତଳେ ରହିଥିଲା । ଏହାସହ ବ୍ୟକ୍ତିଗତ ଭାବେ ଖରାପ ପ୍ରଦର୍ଶନ କରିଥିଲେ ପନ୍ତ । ଯେଉଁ କାରଣରୁ ସେ ଲକ୍ଷ୍ନୌର ଅଧିନାୟକ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି । ଆଉ ଏବେ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ପଦରୁ ହଟାଯାଇଛି । ମାତ୍ର ପନ୍ତ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ କିଭଳି ପ୍ରଦର୍ଶନ କରିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହାସହ ପଢ଼ନ୍ତୁ : Kolkata Politics: ପୁଣି ମମତାଙ୍କୁ ଝଟକା, ଇସ୍ତଫା ଦେଲେ କୋଲକାତାର ଟିଏମସି ମେୟର