ମୁମ୍ବାଇ,୨୫/୬ : ସାଇ ସୁଦର୍ଶନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ କରିଛନ୍ତି । ସେ ଇଣ୍ଡିଆ ଏ ଲାଗି ଖେଳୁଥିବାବେଳେ ଏହି ଶତକ ହାସଲ କରିଛନ୍ତି । ଇଣ୍ଡିଆ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ପ୍ରଥମ ଅନଅଫିସିଆଲ୍ ଟେଷ୍ଟ ମ୍ୟାଚ୍ ଗାଲେରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଲାଗି ସାଇ ସୁଦର୍ଶନ ଶତକ ଲଗାଇଛନ୍ତି । କିନ୍ତୁ ଦେବଦତ୍ତ ପଡ଼ିକ୍କଲ ଏବଂ ଋତୁରାଜ ଗାୟକଓ୍ବାଡ଼ ଭଳି ନାମୀ ବ୍ୟାଟର ଫ୍ଲପ୍ ହୋଇଛନ୍ତି ।
ଭାରତୀୟ ଟିମ୍ ଲାଗି ସାଇ ସୁଦର୍ଶନ ଆୟୁଷ ପାଣ୍ଡେଙ୍କ ସହ ମିଶି ପାଳିର ଆରମ୍ଭ କରିଥିଲେ । ଆୟୁଷ ୨୫ରନ୍ କରିଥିଲେ ଏବଂ ସେ ସାଇ ସୁଦର୍ଶନଙ୍କ ସହ ମିଶି ପ୍ରଥମ ଓ୍ବିକେଟ ଲାଗି ୮୨ରନ୍ ଯୋଡ଼ିଥିଲେ । ସୁଦର୍ଶନ ଆୟୁଷ ପାଣ୍ଡେ ଏବଂ ଋତୁରାଜ ଗାୟକଓ୍ବାଡ଼ଙ୍କ ସହ ମିଶି ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ଏବଂ ୧୩୨ ରନ୍ କରି ଆଉଟ ହୋଇଥିଲେ ।
ସୁଦର୍ଶନ ଟିମ୍ ଇଣ୍ଡିଆ ଲାଗି ଶେଷ ଟେଷ୍ଟ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷ ଖେଳିଥିଲେ । ଯାହାକୁ ଭାରତ ପାଳି ଏବଂ ୩୦୦ରନ୍ ଭିତରେ ଜିତିଥିଲା । ସୁଦର୍ଶନ ସେହି ମ୍ୟାଚରେ ୮୧ରନର ପାଳି ଖେଳିଥିଲେ । ସେ ଶ୍ରୀଲଙ୍କା ଏ ବିପକ୍ଷରେ ବି ନିଜର ଭଲ ଫର୍ମକୁ ଜାରି ରଖି ୧୩୦ବଲରେ ଶତକ କରିଛନ୍ତି । ଗୋଟିଏ ପଟେ ସାଇ ସୁଦର୍ଶନ ମଜବୁତ ସହ ସମ୍ଭାଳିଥିଲେ ଏବଂ ଅନ୍ୟପଟେ ଲଗାତର ଓ୍ବିକେଟ ଯାଇଥିଲା । ଦେବଦତ୍ତ ପଡ଼ିକ୍କଲ ନିଜ ପାଳିର ଆରମ୍ଭ ଧମାକାଦାର ଅନ୍ଦାଜରେ କରିଥିଲେ। ଗୋଟିଏ ଚୌକା ଏବଂ ଗୋଟିଏ ଛକ୍କା ବି ଲଗାଇଥିଲେ କିନ୍ତୁ ୭ବଲରେ କେବଳ ୧୨ରନ୍ କରି ଆଉଟ ହୋଇଥିଲେ । ଅନ୍ୟପଟେ ନିକଟରେ ଶେଷ ହୋଇଥିବା ଟ୍ରାଇ ସିରିଜରେ ଶତକ ଯୋଡ଼ିଥିବା ଋତୁରାଜ ଗାୟକଓ୍ବାଡ଼ ରେଡ଼-ବଲ ମ୍ୟାଚରେ କେବଳ ୨୨ ରନ୍ କରିଥିଲେ ।
ଇଣ୍ଡିଆ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଏହି ଅନଅଫିଶିଆଲ ଟେଷ୍ଟ ସିରିଜରେ ୨ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ୨୫ଜୁନରୁ ଆରମ୍ଭ ହୋଇସାରିଛି ଏବଂ ଦ୍ବିତୀୟ ମ୍ୟାଚ୍ ୨ ଜୁଲାଇରୁ ଏହି ମୈଦାନରେ ଖେଳାଯିବ । ପ୍ରକାଶ ଯେ, ଏହି ଶୃଙ୍ଖଳାରେ ଧୃବ ଜୁରେଲ ଭାରତୀୟ ଟିମର ଅଧିନାୟକତ୍ବ କରୁଛନ୍ତି ।