ଭାରତ-ଇଂଲଣ୍ଡ ୫ମ ଟେଷ୍ଟ: ପ୍ରଥମ ଇନିଂସରେ ୪୧୬ରେ ଅଲଆଉଟ ଟିମ୍ ଇଣ୍ଡିଆ, ପନ୍ତ ଏବଂ ଜାଡେଜାଙ୍କ ଦର୍ଶନୀୟ ଶତକ

ବର୍ମିହାମ୍ ୦୨/ ୦୭: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଜାରି ରହିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସ ଖେଳ ଶେଷ ହୋଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଟିମ ଇଣ୍ଡିଆ ଦ୍ବିତୀୟ ଦିନ ପ୍ରଥମ ସେସନରେ ୮୪.୫ ଓଭର ଖେଳି ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୪୧୬ ରନ । ଦଳ ପକ୍ଷରୁ ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଦର୍ଶନୀୟ ଶତକ ହାସଲ କରି ଦଳକୁ ବଡ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି ।
ଦଳ ପକ୍ଷରୁ ଓପନର୍ ଶୁଭମାନ ଗିଲ ଏବଂ ଚେତେଶ୍ବର ପୁଜାରା ଭଲ ଆରମ୍ଭ ଦେଇଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ । ଗିଲ ବ୍ୟକ୍ତିଗତ ଭାବେ ୧୭ରନ କରି ଆଉଟ ହୋଇଥିବା ବେଳେ ପୁଜାରା ୧୩ରନ କରି ଆଉଟ ହୋଇଥିଲେ । ସେହିଭଳି ହନୁମା ବିହାରୀ ୨୦ରନ, ବିରାଟ କୋହଲି ୧୧ରନ, ଶ୍ରେୟସ ଆୟର ୧୫ରନ କରି ଆଉଟ ହୋଇଥିଲେ । ୯୮ ରନରେ ଦଳ ୫ ଓ୍ବିକେଟ ହରାଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ସଙ୍କଟରୁ ଉଦ୍ଧାର କରିଥିଲା ପନ୍ତ । ବ୍ୟକ୍ତିଗତ ଭାବେ ପନ୍ତ ୧୧ ବଲରୁ ୧୯ ଚୌକା ଏବଂ ୪ଟି ଛକା ସହାୟତାରେ ୧୪୬ରନ କରି ଆଉଟ ହୋଇଥିଲେ । ସେହିଭଳି ରବୀନ୍ଦ୍ର ଜାଡେଜା ମଧ୍ୟ ଚମତ୍କାର ଇନିଂସ ଖେଳି ଦଳକୁ ବଡ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ୧୯୪ ବଲରୁ ୧୩ଟି ଚୌକା ସହାୟତାରେ ୧୦୪ ରନ କରି ଆଉଟ ହୋଇଛନ୍ତି ଜାଡେଜା ।
ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର ୧ରନ, ମହମ୍ମଦ ସାମୀ ୧୬ରନ, ମହମ୍ମଦ ସିରାଜ ୨ରନ କରି ଆଉଟ ହୋଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଧିନାୟକ ଯଶପ୍ରୀତ ବୁମରାହଙ୍କ ଇନିଂସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରରେ ୩୫ ରନ ଆଦାୟ କରିଛି ଟିମ ଇଣ୍ଡିଆ । ଯାହାକି ଟେଷ୍ଟ ଇତିହାସରେ ପ୍ରଥମ ଘଟଣା । ବୁମରାହ ମାତ୍ର ୧୬ଟି ବଲ ଖେଳି ୪ଟି ଚୌକା ଏବଂ ୨ ଛକା ସହାୟତାରେ ୩୧ରନ କରି ଅପରାଜିତ ଅଛନ୍ତି ।
ଜେମସ ଆଣ୍ଡରସନ୍ ୨୧.୫ ଓଭର ବୋଲିଂ କରି ୬୦ ରନଦେଇ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ଷ୍ଟୁଆର୍ଟ ବ୍ରଡ ଗୋଟିଏ, ମାଥ୍ୟୁ ପଟସ୍ ୨ଟି, ବେନ୍ ଷ୍ଟୋକସ୍ ଗୋଟିଏ ଏବଂ ଜୋ ରୁଟ୍ ଗୋଟିଏ ଓ୍ବିକେଟ ନେଇଛନ୍ତି ।